ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜେଲ୍‌ରେ ବଢ଼ୁଛି ଅପରାଧିଙ୍କ ସଂଖ୍ୟା
  • ଜେଲ୍‌ରେ ୭୦୦ ବଦଳରେ ୧୩୦୦ କଏଦୀ
  • ବାନ୍ଧିବାକୁ ଡରିଲାଣି କଟକ କମିଶନରେଟ
  • ଶୁଆଇ ଦେଉନି ଟାର୍ଗେଟ ୩୦୦

କଟକ: କଟକ ଦଶହରାରେ ଅପରାଧୀ ଗୋଷ୍ଠୀ ଅଧିକ ସକ୍ରିୟ ହୋଇଉଠନ୍ତି। ଏଥିପାଇଁ ପୂଜା ପୂର୍ବରୁ ଫି ବର୍ଷ ପେଶାଦାର ଅପରାଧୀଙ୍କୁ ଆଗୁଆ ଜେଲ ପଠାଏ ପୋଲିସ। କୌଣସି ବର୍ଷ କଟକ ଦଶହରା ଦେଖିବାକୁ ପୋଲିସ ସୁଯୋଗ ବି ଦିଏନି। କିନ୍ତୁ ଏଥର ପୋଲିସ-ଆଇନଜୀବୀ ବିବାଦ ଫଳରେ ଚୌଦ୍ୱାର ସର୍କଲ ଜେଲରେ ଅପରାଧୀଙ୍କ ରହିବା ପାଇଁ ଜାଗା ନାହିଁ। ତେଣୁ ପୋଲିସର ଗିରଫ ତାଲିକାରେ ଥିବା କଟକର ୩୦୦ ଅପରାଧୀଙ୍କୁ ବାନ୍ଧିବା ବର୍ତ୍ତମାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ବର୍ତ୍ତମାନ ସୁଦ୍ଧା ମାତ୍ର ୯୦ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଚିହ୍ନଟ ହୋଇଥିବା ସମସ୍ତ ଅପରାଧି ଯଦି ଗିରଫ ନହୁଅନ୍ତି, ତେବେ ଏଥର କଟକ ଦଶହରା ଦେଖିବା ମୌକାରେ ଅପରାଧୀକ କାର୍ଯ୍ୟକଳାପ ଘଟାଇବାର ଆଶଙ୍କା ରହିଛି। କଟକ ଇତିହାସ ଯଦି ଦେଖାଯାଏ, ତେବେ ପୂଜାରେ ହିଁ ଗ୍ୟାଙ୍ଗୱାର ଓ ସାହି ବିବାଦ ଅଧିକ ମୁଣ୍ଡ ଟେକିଥାଏ। ଏସବୁକୁ ଏଡ଼ାଇବା ପାଇଁ ପୂଜା ପୂର୍ବରୁ ଏ ପ୍ରକାର ଗିରଫଦାରୀ କରାଯାଏ। କିନ୍ତ ଏଥର କିଛି ଅଘଟଣକୁ ଏଡ଼ାଇ ଦିଆଯାଇ ପରିବନାହିଁ।

ଚୌଦ୍ୱାର ସର୍କଲ ଜେଲରେ ୭୨୮ ଜଣ କଏଦୀଙ୍କ ପାଇଁ ରହିବା ବ୍ୟବସ୍ଥା ଅଛି। କିନ୍ତୁ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀ-ପୋଲିସ ବିବାଦ ପାଇଁ ଅଦାଲତରେ ଅଚଳାବସ୍ଥା ଜାରି ରହିଥିବାରୁ ବିଚାରାଧୀନ କଏଦୀଙ୍କୁ ଜାମିନ ମିଳିପାରୁ ନାହିଁ। ଫଳରେ  ଏବେ ଜେଲରେ କଏଦୀ ସଂଖ୍ୟା ୧୩୦୦ ଡେଇଁଲାଣି। ଅନ୍ୟପଟେ କଟକ ଦୁର୍ଗପୂଜା ଓ ଭଷାଣିରେ ଯେଭଳି କୌଣସି ଅପରାଧୀ ଗୋଷ୍ଠୀ ସକ୍ରିୟ ନହୁଅନ୍ତି ସେଥିପାଇଁ କଡ଼ା ନଜର ରଖିଛି କମିଶନରେଟ ପୋଲିସ।

ମୋଟ ୧୮ଟି ଥାନାର ଇନ୍ସପେକ୍ଟରଙ୍କୁ ନିଜ ଅଞ୍ଚଳରେ ୮୦ ଜଣ ପେଶାଦାର ଅପରାଧୀଙ୍କୁ ସିଆରପିସିର ଧାରା ୧୧୦ରେ ଗିରଫ ପାଇଁ କୁହାଯାଇଛି। ସେହିପରି ସଙ୍ଗିନ ମାମଲାରେ ଜଡ଼ିତ ଥିବା ୨୨୦ ଜଣ ଫେରାର ଅପରାଧୀଙ୍କ ବିରୋଧରେ କୋର୍ଟରୁ ୱାରେଣ୍ଟ ଜାରି କରାଯାଇଛି। ଏହି ଅପରାଧିମାନେ ଗିରଫ ନହୋଇ ପୂଜା ସମୟରେ ବାହାରେ ଖୋଲାଖୋଲି ବୁଲିଲେ, ଅପରାଧ ଘଟିବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ କଟକ ଅପରାଧିମାନେ ଦୁର୍ଗାପୂଜା ଓ ଭାଷାଣିରେ ଭିଡ଼ର ସୁଯୋଗ ନେଇ ଶତ୍ରୁ ପକ୍ଷକୁ ଟାର୍ଗେଟ କରିଥାନ୍ତି।

ଏସବୁକୁ ଦୃଷ୍ଟିରେ ରଖାଯାଇ ପୋଲିସ ଏ ପ୍ରକାର ଗିରଫଦାରୀ ଚଳିତ ବର୍ଷ ମଧ୍ୟ ଆରମ୍ଭ କରିଛି। କିନ୍ତୁ ଏବେ ଚୌଦ୍ୱାର ଜେଲରେ କଏଦୀଙ୍କ ରହିବା ପାଇଁ ସେଭଳି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଉଭୟ କମିଶନରେଟ ପୋଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ଗିରଫଦାରୀ ପରେ ସେମାନଙ୍କୁ ଜେଲରେ କିଭଳି ରଖାଯିବ, ସେନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

କମିଶନରେଟ ପୋଲିସର ସୂଚନା ଅନୁଯାୟୀ, କଟକର ଚୋଦ୍ୱାର ଥାନାକୁ ୧୫ ଜଣ ୱାରେଣ୍ଟି, ଜଗତପୁର ଓ ଚାଉଳିଆଗଞ୍ଜ ଥାନାକୁ ୧୮ ଜଣ, ମାଲଗୋଦାମ ଥାନାକୁ ୧୪ ଜଣ, ମଙ୍ଗଳାବାଗ ଥାନାକୁ ୨୦ ଜଣ, ଦରଘା ବଜାର ଥାନାକୁ ୮ ଜଣ, କ୍ୟାଣ୍ଟନମେଣ୍ଟ ଥାନାକୁ ୧୨ ଜଣ, ଲାଲବାଗ ଥାନାକୁ ୧୫ ଜଣ, ବିଡ଼ାନାସୀ ଥାନାକୁ ୧୩ ଜଣ, ମର୍କତନଗର ଥାନାକୁ ୯ ଜଣ, ସଦର ଥାନାକୁ ୧୮ ଜଣ, କନ୍ଦରପୁର ଥାନାକୁ ୩ ଜଣ, ବାରଙ୍ଗ ଥାନାକୁ ୩ ଜଣ, ପୁରୀଘାଟ ଥାନାକୁ ୨୦ ଜଣ, ବାଦାମବାଡ଼ି ଥାନାକୁ ୧୪ ଜଣ ଏବଂ ମଧୁପାଟଣା ଥାନାକୁ ୨୦ ଜଣଙ୍କୁ ଗିରଫ କରିବାକୁ ଟାର୍ଗେଟ ତାଲିକା ଧରାଯାଇଛି।

Comment