ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପହାଡ଼ ଉପରେ ୭୬ ପରିବାର ଚିହ୍ନଟ
  • ପାହାଡ଼ ପାର୍ଶ୍ୱବର୍ତ୍ତୀ ସ୍ଥାନରେ କରାଯିବ ଥଇଥାନ
  • ସମସ୍ତଙ୍କୁ ଦିଆଯିବ ୪ ଡେସିମିଲ୍ ଜାଗା
  • ବିଜୁ ପକ୍କା ଘର ଯୋଜନାରେ ମିଳିବ ଘର

ତିତ୍‌ଲି ପ୍ରଭାବିତ ଅଞ୍ଚଳ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗାଁ ପରିଦର୍ଶନ କରି ଲୋକଙ୍କୁ ଭେଟିଛନ୍ତି ନବୀନ। ବନ୍ୟା ପୀଡ଼ିତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି।

ବନ୍ୟା ଏବଂ ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତିତ୍‌ଲି ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ବାରଘର ନିକଟରେ ପାହାଡ଼ ଧସି ଯିବାରୁ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ପାହାଡ଼ ଉପରେ ଥିବା ୭୬ ପରିବାରକୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପାହାଡ଼ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥଇଥାନ କରାଯିବ। ୪ ଡେସିମିଲ୍ ସରକାରୀ ଜାଗାରେ ବିଜୁ ପକ୍କା ଘର ଯୋଗାଇ ଦିଆଯିବ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ମୃତକଙ୍କ ପିଲାମାନଙ୍କର ଦାୟିତ୍ୱ ସରକାର ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମଙ୍ଗଳବାର ଦିନ ବାତ୍ୟା ଓ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ପାଇଁ ୧୦୨ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ପର୍ଯ୍ୟାୟରେ ଏହି ଘୋଷଣା କରାଯାଇଥିଲା।

ଏହାସହ ସ୍ଥିତି ଉପରେ ନଜର ରଖିବା ପାଇଁ ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ନବୀନ। ପରବର୍ତ୍ତୀ ସମୟରେ ବନ୍ୟା ଦୁର୍ଗତଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

ତିତ୍‌ଲି ନେଇଛି ୫୭ ଜୀବନ

ବାତ୍ୟା ତିତ୍‌ଲି ୫୭ ଜଣଙ୍କ ଜୀବନ ନେଇଛି। ଗଜପତି ଜିଲ୍ଲାରେ ତିତ୍‌ଲି ୩୯ ଜଣଙ୍କର ପ୍ରାଣ ନେଇଥିବା ଗଞ୍ଜାମରେ ୧୨ ଜଣ ଏବଂ ରାୟଗଡ଼ାରେ ୬ ଜଣ ପ୍ରାଣ ହରାଇଛନ୍ତି। ୧୦ ଜଣ ନିଖୋଜ ହୋଇଛନ୍ତି। ନିଖୋଜଙ୍କର ଏଯାଏଁ ପତ୍ତା ମିଳିନାହିଁ। ଏହାସହ ୨୨ଶହ କୋଟି ଟଙ୍କାର କ୍ଷତି ହୋଇଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ସ୍ଥିତି ସୁଧୁରୁଛି।

Comment