ଓଡ଼ିଶାଲାଇଭ୍ ବ୍ୟୁରୋ
ରାବଣ ପୋଡ଼ି ଉତ୍ସବକୁ ନେଇ ଜଗତସଂହପୁର ରାଜନୀତି ଗରମ।
ରାବଣ ପୋଡ଼ି ଉତ୍ସବକୁ ନେଇ ଜଗତସିଂହପୁର ରାଜନୀତି ପୁଣି ସରଗରମ ହୋଇଛି। ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ସମର୍ଥକଙ୍କୁ ରାବଣ ପୋଡ଼ି ଉତ୍ସବ ପାଳନ ପାଇଁ ପ୍ରଶାସନ ଅନୁମତି ନଦେବାରୁ ଦାମ ତୃତୀୟ ମହଲାକୁ ବାଣ ମାରିଛନ୍ତି। ଏହାର ପ୍ରତିବାଦରେ ଦାମଙ୍କ ସମର୍ଥକମାନେ ଏରସମା ବଜାର ବନ୍ଦ କରିଥିଲେ।
ଏରସମାର ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ଆୟୋଜିତ ହୋଇଛି ରାବଣ ପୋଡ଼ି ଉତ୍ସବ। ଏହି ଉତ୍ସବରେ ଯୋଗ ଦେଇଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ହେଲେ ପ୍ରତି ବର୍ଷ ଧରି ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଉଥିବା ପାରାଦୀପ ବିଧାୟକ ଡାକ୍ତ ଦାମୋଦର ରାଉତଙ୍କୁ ଏହି ଉତ୍ସବରେ ଦେଖିବାକୁ ମିଳିନି।
ଦାମଙ୍କ ସମର୍ଥକମାନେ ଅଲଗା ରାବଣ ପୋଡ଼ି ଉତ୍ସବ ପାଇଁ ପ୍ରଶାସନର ଅନୁମତି ମାଗିଥିଲେ। କିନ୍ତୁ ପ୍ରଶାସନ ଅନୁମତି ନଦେବାରୁ ରାଜନୀତି ରାଜନୀତି ଜୋର୍ ଧରିଛି।
“ଏରସମାରେ ଯେତେ ସାଂସ୍କୃତି କାର୍ଯ୍ୟକ୍ରମ ହେଉଛି ତାହା ମୁଁ ଆରମ୍ଭ କରିଥିଲି। ଦୁର୍ଗା ପୂଜା, ରଥଯାତ୍ରା, ରଜ ମହୋତ୍ସବ, କୁଞ୍ଜ ମେଲଣ, ରାବଣ ପୋଡ଼ି ଭଳି ଉତ୍ସବ ମୁଁ ହିଁ ଆରମ୍ଭ କରିଥିଲି। କିନ୍ତୁ ଚଳିତ ବର୍ଷ ମତେ ପ୍ରଶାସନ ଅନୁମତି ନଦେଇ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁମତି ଦେଇଛି। ପ୍ରଶାନ୍ତ ମୁଦୁଲି ସ୍ଥାନୀୟ ବିଧାୟକ ରହିଥିଲେ ମଧ୍ୟ ତାଙ୍କୁ କେବେ ବି ରାବଣ ପୋଡ଼ି ଉତ୍ସବରେ ଦେଖିବାକୁ ମିଳି ନଥିଲା। ଏହା ପଛରେ ତୃତୀୟ ମହଲାର ଷଡ଼ଯନ୍ତ୍ର ରହିଛି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।
ଦାମ ଆହୁରି କହିଛନ୍ତି ଯେ ରାବଣ ୧୦ଟି ଖରାପ ଖୁଣ ରହିଥିଲା। ସେଥିପାଇଁ ପ୍ରଭୁ ରାମଚନ୍ଦ୍ର ତାକୁ ବଧ କରିଥିଲେ। କିନ୍ତୁ ଏବେ ଶାସନରେ ରାବଣଠାରୁ ଅଧିକ ଖରାପ ଗୁଣ ଥିବା ଲୋକ ବାହାରିଲେଣି। ଶାସକ ଦଳରେ ମାଳ ମାଳ ରାବଣ ଅଛନ୍ତି। ବେଶୀ ଅବିଗୁଣ ଥିବା ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ଗାଦିଚ୍ୟୁତ କରାଯିବ।
ଦଶହରା ଦିନ ପାରାଦୀପରେ ଅନୁଷ୍ଠିତ ରାବଣ ପୋଡ଼ି ଉତ୍ସବରେ ଦାମ ଯୋଗ ଦେଇଥିଲେ। ଏହି ଉତ୍ସବରେ ଦାମ ବିଜେଡି ନେତା ଏବଂ ଅଫିସରଙ୍କ ଉପରେ ବର୍ଷିଥିଲେ।
ଦାମ ବିଜେଡିରୁ ବିଦା ହେବା ହେବା ପରେ ଏରସମାର ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେହି ମଞ୍ଚରେ ରାବଣ ପୋଡ଼ି ଉତ୍ସବ କରାଯିବା ପାଇଁ ଦାମ ଘୋଷଣା କରିଥିଲେ। ସେଥିପାଇଁ ମଞ୍ଚ ଖୋଲାଯାଇ ନଥିଲା। କିନ୍ତୁ ଅପରପେଟ ପ୍ରଶାନ୍ତ ମୁଦୁଲି ସେହି ପଡ଼ିଆରେ ରାବଣ ପୋଡ଼ି ଉତ୍ସବ କରିବା ପାଇଁ ପ୍ରଶାସନର ଅନୁମତି ମାଗିଥିଲେ। ଫଳରେ ପ୍ରଶାସନ ଦାମଙ୍କୁ ଅନୁମତି ନଦେଇ ପ୍ରଶାନ୍ତଙ୍କୁ ଅନୁମତି ଦେଇଛି।
ଦାମଙ୍କ ମନ୍ତବ୍ୟର ଜବାବ ରଖିଛି ବିଜେଡି। ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, “ଦାମ ବାବୁ ଯାହା କହୁଛନ୍ତି ତାଙ୍କ କଥା ଆଉ କେହି ଶୁଣୁ ନାହାନ୍ତି। ଦିନ ଥିଲା ଦାମ ବାବୁ କ’ଣ କହିବେ ସେଥିପାଇଁ ରାଜ୍ୟବାସୀ ଅପେକ୍ଷା କରି ରହୁଥିଲେ। ହେଲେ ଏବେ ତାଙ୍କ କଥାରେ ଆଉ ଦମ୍ ନାହିଁ ବୋଲି ଦାମ ବାବୁ ବୁଝିବା ଦରକାର।”
ପ୍ରଶାନ୍ତ ମୁଦୁଲି କହିଛନ୍ତି, “କିଏ କ’ଣ କହିଲା ତାକୁ ଗୁରୁତ୍ୱ ମୁଁ ଦେଉନି। ସାଂସ୍କୃତି କାର୍ଯ୍ୟକ୍ରମକୁ ରାଜନୀତିକରଣ କରା ନଯିବା ଦରକାର।”








ରାବଣ ପୋଡ଼ି ଉତ୍ସବକୁ ନେଇ ଜଗତସଂହପୁର ରାଜନୀତି ଗରମ। 









