ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବେଶ୍ କିଛି ଦିନ ବ୍ୟବଧାନ ପରେ ବଲିଉଡର ଛୋଟେ ନବାବ ସୈଫ୍ ଅଲ୍ଲୀ ଖାନ୍ ପରଦାକୁ ଫେରୁଛନ୍ତି।

ବଲିଉଡର ଛୋଟେ ନବାବ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ନୂଆ ସିନେମା ‘ବାଜାର’ ଅକ୍ଟୋବର ୨୬ ତାରିଖରେ ରିଲିଜ୍‌ ହେଉଛି। ଗୌରବ କେ. ଚାୱଲା ଏହାର ନିର୍ଦ୍ଦେଶକ ଅଛନ୍ତି। ନିଥିଲ ଆଡଭାନି, ଭାୟାକମ୍‌ ୧୮ ମୋସନ୍ ପିକଚର୍ସ, କ୍ୟାଟା ପ୍ରଡକ୍ସନ୍ସ, ଏମେ ଏଣ୍ଟରଟେନମେଣ୍ଟ ଏବଂ ବି ଫୋର୍‌ ୟୁ ମୁଭିଜ୍‌ ଦ୍ୱାରା ପ୍ରଯୋଜିତ ଫିଲ୍ମ ହେଉଛି ‘ବାଜାର’।

‘ବାଜାର’ର କାହାଣୀ ମୁଖ୍ୟତଃ ଅର୍ଥ, କ୍ଷମତା ଓ ବ୍ୟବସାୟ ଉପରେ ଆଧାରିତ। ଏହି ଫିଲ୍ମ ଷ୍ଟକମାର୍କେଟ୍ ଉପରେ ପର୍ଯ୍ୟବସିତ। ଏଥିରେ ବ୍ୟବସାୟିକ ଶତ୍ରୁତା, ବ୍ୟବସାୟରେ ଉତ୍‌ଥାନ ପତନ ଓ ପ୍ରତିଦ୍ୱନ୍ଦ୍ୱିତା ଆଦି ପ୍ରସଙ୍ଗ ମଧ୍ୟ ରହିଥିବା ଜଣାଯାଇଛି।

‘ବାଜାର୍’ରେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଶକୁନ୍‌ କୋଠରୀ ଓରଫ୍ ନବାବ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ଭୂମିକାରେ ନଜର ଆସିବେ। ଫିଲ୍ମର ଅନ୍ୟତମ ନାୟକ ରୋହନ ମେହେରାଙ୍କ ଅଭିନୀତ ଚରିତ୍ରଟି ହେଲା ରିଜ୍‌ୱାନ୍‌ ଅହମ୍ମଦ୍‌। ବଲିଉଡର ଜଣାଶୁଣା ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ଅଛନ୍ତି ମନ୍ଦିରା କୋଠରୀ ଭୂମିକାରେ। ଏଥିରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଚିତ୍ରାଙ୍ଗଦା ସିଂହ।

ଅପରପକ୍ଷରେ ରାଧିକା ଆପ୍‌ଟେ ଅଛନ୍ତି ପ୍ରିୟା ମାଲହୋତ୍ରା ଚରିତ୍ରରେ। ନବାବଙ୍କ ଭଉଣୀ ଭୂମିକାରେ ଅଛନ୍ତି ଅନୁ ପ୍ରିୟା ଗୋଏଙ୍କା। ନବାବଙ୍କ ଶତ୍ରୁ ଭୂମିକାରେ ନଜର ଆସିବେ ଡେନ୍‌ଜିଲ୍‌ ସ୍ମିଥ୍‌। ପ୍ରଖ୍ୟାତ ଅଭିନେତା ସୌରଭ ଶୁକ୍ଳା ‘ମୋଟା’ ଭୂମିକାରେ ଅଭିନୟ କରିଛନ୍ତି।

ସୈଫ୍- ଚିତ୍ରାଙ୍ଗଦା ଯୋଡ଼ି

ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଆଗରୁ ବହୁ ନାୟିକାଙ୍କ ନାୟକ ହେବାର ସୁଯୋଗ ପାଇଛନ୍ତି। ହେଲେ ଚିତ୍ରାଙ୍ଗଦା ସିଂହଙ୍କ ବିପକ୍ଷରେ କେବେ ବି ନାୟକ ହେବାର ସୁଯୋଗ ପାଇନଥିଲେ। ଠିକ୍‌ ସେହିପରି ଖୁବ୍‌ କମ୍‌ ସିନେମାରେ ଅଭିନୟ କରିଥିବା ନାୟିକା ଚିତ୍ରଙ୍ଗଦା ସିଂହ ବି ପ୍ରଥମ ଥର ପାଇଁ ସୈଫ୍‌ଙ୍କ ସାଥ୍‌ ପାଇଛନ୍ତି ଫିଲ୍ମ ‘ବାଜାର୍’ରେ।

ଏହି ଫିଲ୍ମରେ ତିନିଟି ଗୀତ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା କେମ୍‌ ଚୋ…, ଦ୍ୱିତୀୟଟି ହେଲା ବିଲିଓଜେୟାର୍‌…, ଏବଂ ତୃତୀୟଟି ହେଲା ଅଧୁରା ଲଫ୍‌ଜ…। ତାନିଷ୍କ ବାଗ୍‌ଚୀ, ୟୋ ୟୋ ହନି ସିଂହ ଓ ସୋହେଲ୍ ସେନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଟ୍ରେଲରରେ ରୋହନ ମେହେରାଙ୍କ ଜଲୱା

ଫିଲ୍ମ ‘ବାଜାର୍’ର ଟ୍ରେଲରେ ନୂଆ ନାୟକ ରୋହନ ମେହେରାଙ୍କ ଜଲୱା ଦେଖିବାକୁ ମିଳିଛି। ସେ ଏଭଳି ଏକ ଚରିତ୍ରରେ ଅଛନ୍ତି, ଯାହା ଦର୍ଶକଙ୍କୁ ପସନ୍ଦ ଆସିଛି।ରୋହନ୍ ମେହେରା ହେଉଛନ୍ତି ଖ୍ୟାତନାମା ଅଭିନେତା ବିନୋଦ ମେହେରାଙ୍କୁ ପୁଅ। ଟ୍ରେଲରରୁ ଜଣାଯାଉଛି ଯେ ରୋହନ ଜଣେ କଲେଜ ଛାତ୍ର ଭୂମିକାରେ ଅଛନ୍ତି, ଯିଏ କି ଦିନେ ସୈଫ୍‌ ଅଲ୍ଲି ଖାନ୍‌ଙ୍କ କମ୍ପାନିରେ ଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି। ଆଶା କରାଯାଉଛି ‘ବାଜାର’ ଦର୍ଶକଙ୍କୁ ପସନ୍ଦ ଆସିବ।

Comment