ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କୁ ଡାକ୍ତରମାନଙ୍କ ପକ୍ଷରୁ ଚେତାବନୀ। ଦାବି ପୂରଣ ନହେଲେ ୨୮ ତାରିଖରୁ ସମସ୍ତ ସରକାରୀ ଛୁଟିରେ ସେମାନେ ଘରେ ରହିବେ। ସେମାନଙ୍କ କହିବା ଅନୁଯାୟୀ ସରକାର ତାଙ୍କ ଦାବି ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ବା ଓମ୍ସାର ସଭାପତି ଡାକ୍ତର ନିରାକାର ଭଟ୍ଟ ଏହି ଘୋଷଣା କରିଛନ୍ତି।
ଚଳିତ ଦୁଇ ତାରିଖରୁ ସରକାରୀ ଡାକ୍ତରମାନେ ନିଜ ନିଜ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାରଣା ଦେଇ ଆସୁଛନ୍ତି।
ଖବର ମିଳିଛି ଯେ ଓମ୍ସା ତାର ୮ ଦଫା ଦାବି ସମ୍ବଳିତପତ୍ର ସରକାରଙ୍କୁ ବହୁ ପୂର୍ବରୁ ଦେଇଛି। ଏହି ଦାବି ଭିତରେ ରହିଛି ଓଡ଼ିଶା ମେଡିକାଲ ସର୍ଭିସ ରୁଲ ୨୦୧୮ର ସଂଶୋଧନ ଓ ଡାଇନାମିକ ଆସୁର୍ଡ କ୍ୟାରିଅର ପ୍ରୋଗ୍ରେସନ ବା ଡିଏସିପି।
ଡାକ୍ତର ଭଟ୍ଟ କହିଛନ୍ତି, “ଅନ୍ୟ ୧୮ ରାଜ୍ୟରେ ଏହା ଲାଗୁ ହୋଇ ସାରିଲାଣି ଅଥଚ ଓଡ଼ିଶାରେ ତାହା ଜାଣିଶୁଣି ଲାଗୁ କରାଯାଉନାହିଁ। ୨୦୦୬ରୁ ଏହି ଦାବି କରାଯାଇଛି କିନ୍ତୁ ସରକାର ଶୁଣୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯେହେତୁ ସରକାର ତାଙ୍କ ଦାବିକୁ ଗ୍ରହଣ କରିବାକୁ ଇଚ୍ଛା କରୁନାହାନ୍ତି ସେହି କାରଣରୁ ସେମାନେ ଛୁଟି ଦିନରେ କାମ କରିବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି।”
ସଂଘର ସମ୍ପାଦକ ଡାକ୍ତର ପୁଣ୍ୟଶ୍ଲୋକ ଦାସ କହିଛନ୍ତି ଯେ ସ୍ୱାସ୍ଥ୍ୟ ସଚିବଙ୍କୁ ଆମେ ଚିଠି ଲେଖି ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅନୁରୋଧ କରିଛୁ। ଯାହା ଫଳରେ କି ଆମେ ଛୁଟି ନେଇପାରିବୁ।


















