ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ନୌପଡ଼ା- ଗୁଣୁପୁର ମଧ୍ୟରେ ଆସନ୍ତାକାଲିଠାରୁ ପାସେଞ୍ଜର ଓ ୨୪ ତାରିଖରୁ ସମସ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲୱେର ବିଶାଖାପାଟଣା ଡିଭିଜନ ଅଧିକାରୀ ମୁକୁଲ ଶରଣ ମାଥୁର। ତିତ୍‌ଲି ବାତ୍ୟାରେ ସଂପୂର୍ଣ୍ଣରୂପେ ନଷ୍ଟ ହୋଇ ଯାଇଥିଲା ଏହି ଲାଇନ୍।

ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ରେଳ ଧାରଣାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ତିତ୍‌ଲି ପ୍ରଭାବରେ ପ୍ରବଳ ପବନ ବହିବାରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇ ରେଳପଥ ଉପରେ ପଡ଼ି ରହିଥିଲା। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ବହୁ ଜାଗାରେ ରେଳଧାରଣା ଭାସି ଯାଇଥିଲା।

ପ୍ରାୟ ୧୦ କିଲୋମିଟରରୁ ଅଧିକ ରେଳପଥର ଟ୍ରାକ ଭାସି ଯାଇଥିଲା। ନୌପଡ଼ା, ପୁରୁଣାପାଟଣା ଓ ପାରଳାଖେମୁଣ୍ଡିରେ ଷ୍ଟେସନ କୋଠା ଭାଙ୍ଗିଯିବା ସହ ସିଗନାଲ ଖୁଣ୍ଟ  ଓ ଯନ୍ତ୍ରପାତି ନଷ୍ଟ ହୋଇଥିଲା। ମରାମତି କାର୍ଯ୍ୟ ମଧ୍ୟ ବାତ୍ୟା ପରେ ଜୋରସୋରରେ ଚାଲିଥିଲା। ରେଳପଥ ନିର୍ମାଣ କାର୍ଯ୍ୟରେ ପ୍ରାୟ ୫୦୦ରୁ ଅଧିକ  କର୍ମଚାରୀ ନିୟୋଜିତ ରହିଥିଲେ। ଏଥିରେ ଟ୍ରାକ ବିଶେଷଜ୍ଞ, ଟେଲିକମ୍ୟୁନିକେସନ ଇଂଜିନିୟର ନିୟୋଜିତ ହୋଇଥିଲେ।

ନୌପଡାଠାରୁ ଗୁଣୁପୁର ମୋଟ ୯୦ କିଲୋମିଟର ରେଳ ଧାରଣା ନଷ୍ଟ ହୋଇଥିଲା। ଏହି ରାସ୍ତାରେ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲା। ବନ୍ୟାରେ ରେଳବାଇର ୩ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ମୁକୁଲ ଶରଣ ମାଥୁର ପ୍ରକାଶ କରିଛନ୍ତି। ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟ ସନ୍ତୋଷଜନକ ଥିବାଯୋଗୁଁ ଆଗାମୀ ୨୪ ତାରିଖ ଠାରୁ ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଶ୍ରୀ ମାଥୁର କହିଛନ୍ତି।

କେମିତି ଥିଲା ଅପରେସନ୍?

“ନୌପଡ଼ା-ଗୁଣୁପୁର ରେଳପଥ ମରାମତି କରିବା ଆମ ପାଇଁ ବଡ଼ ଚାଲେଞ୍ଜ ଥିଲା। ରେଳପଥ ନିକଟକୁ ଯିବା ପାଇଁ କୌଣସି ରାସ୍ତା ନଥିଲା। ପ୍ରାକୃତି ଦୁର୍ବିପାକରେ ରାସ୍ତା ନଷ୍ଟ ହୋଇଯାଇଥିଲା। ପ୍ରଥମେ ତିନି ଦିନ ଯାଏଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ପରେ ରେଳପଥ ମରାମତି କାମ ଆରମ୍ଭ ହୋଇଥିଲା”, କହିଛନ୍ତି ମୁକୁଲ ଶରଣ ମାଥୁର।

ଗତ ୧୩ ତାରିଖଠାରୁ ପ୍ରାୟ ୫୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ ୩ ଟି ପର୍ଯ୍ୟାୟରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ଆସନ୍ତାକଲି ଶେଷ ହେବ। ଗୁଣୁପୁରକୁ ଟ୍ରେନ ସେବା ଆରମ୍ଭ କରାଯିବ।

ମାଥୁର କହିଛନ୍ତି, “ଆଜି ରାତିରେ ପ୍ରଥମେ ଗୁଣୁପୁରରେ ରହିଥିବା ଟ୍ରେନକୁ ପଲାସା ଅଣାଯିବ। ରାତିରେ ଉକ୍ତ ଟ୍ରେନ ଦ୍ୱାରା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯିବ। ଆସନ୍ତାକାଲିଠାରୁ ପ୍ରଥମେ ବିଶାଖାପାଟଣା-ଗୁଣୁପୁର, ପୁରୀ-ଗୁଣୁପୁର ସହ ସମସ୍ତ ପାସେଞ୍ଜର ଟ୍ରେନସେବାର ଆରମ୍ଭ କରାଯିବ। ୨୪ ତାରିଖଠାରୁ ଏକ୍ସପ୍ରେସ ଟ୍ରେନସେବା ଆରମ୍ଭ କରାଯିବ।”

ପଲାସାରୁ ଗୁଣୁପୁର ୯୦ କିଲୋମିଟର ମଧ୍ୟରେ ୬୦ଟି ଟ୍ରେନ ଫାଟକ ରହିଥିବାରୁ ଉକ୍ତ ଫାଟକ ଗୁଡ଼ିକରେ କାର୍ଯ୍ୟ କରିବା ପାଇଁ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ପ୍ରଥମେ ଗୁଣୁପୁରକୁ ଟ୍ରେନ ଚଳାଚଳ ଆରମ୍ଭ ହେବାପରେ କ୍ଷତିଗ୍ରସ୍ତ ଷ୍ଟେସନଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହି ୯୦ କିଲୋମିଟର ରାସ୍ତାର ନିର୍ମାଣ ପାଇଁ ୫୦ରୁ ଅଧିକ ଟିପର, ୨୦ରୁ ଅଧିକ ଟ୍ରାକ୍ଟର ସହ ଜେସିବି ମେସିନ ବ୍ୟବହାର କରାଯାଇଥିବା ସେ କହିଛନ୍ତି।

ପଲାସା ଗୁଣୁପୁର ଟ୍ରେନ ରାସ୍ତା ନିର୍ମାଣ ଗୋଟିଏ କଷ୍ଟସାଧ୍ୟ କାର୍ଯ୍ୟ ହୋଇଥିଲେ ମଧ୍ୟ କର୍ମଚାରୀଙ୍କ ଆପ୍ରାଣ ଚେଷ୍ଟା ଦ୍ୱାରା ତାହା ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପ୍ତ ହୋଇଛି। ଏଣୁ ମାଥୁର ସମସ୍ତ କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ଏହି ରେଳପଥରେ ଗତ ୧୦ ତାରିଖ ରାତିରୁ ଗୁଣୁପୁର-ପୁରୀ, ଗୁଣୁପୁର-ରାଉରକେଲା ରାଜାରାଣୀ, ଗୁଣୁପୁର-ପଲାସା ଏବଂ ବିଶାଖାପାଟଣା-ଗୁଣୁପୁର ଆଦି ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

LEAVE A REPLY

Please enter your comment!
Please enter your name here