ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାତକୋସିଆରେ ତିନି ଦିନ ହେଲା ଚାଲିଛି ବାଘୁଣୀ ଖୋଜା। ହେଲେ ଧରାଦେଉନି ବାଘୁଣୀ ସୁନ୍ଦରୀ।

ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ସ୍ପେଶାଲ ଅପରେସନ ଆରମ୍ଭ କରିଛି ବନବିଭାଗ। ସାତକୋସିଆ ଜଙ୍ଗଲରେ ଗତ ଦୁଇ ଦିନ ଧରି ଚାଲିଥିବା ଅପରେସନ ଆଜି ତୃତୀୟ ଦିନରେ ପହଞ୍ଚିଛି। ହେଲେ ସୁନ୍ଦରୀ ଧରାଦେଉନି। ବନବିଭାଗ କର୍ମଚାରୀ ଏବଂ ବିଶେଷଜ୍ଞ ଟିମ୍‌କୁ ଚକ୍‌ମା ଦେଇ ଚାଲିଛି ସୁନ୍ଦରୀ।

ଆଜି ସୁନ୍ଦରୀକୁ ସାତକୋସିଆର ବାଘମୁଣ୍ଡା ଜଙ୍ଗଲରେ ଠାବ କରିଥିଲେ ବନବିଭାଗ କର୍ମଚାରୀ। ବାଘୁଣୀକୁ ଧରିବା ପାଇଁ ନିଶ୍ଚେତକ ଗୁଳି ବି ମରାଯାଇଥିଲା। କିନ୍ତୁ ବାଘୁଣୀ ଦେହରେ ବାଜି ନଥିଲା ନିଶ୍ଚେତକ ଗୁଳି। ଗୁଳି ଲକ୍ଷ୍ୟଭେଦ କରିବା ସହ ବାଘୁଣୀ ଡିଆଁ ମାରି ଅନ୍ୟ ଜଙ୍ଗଲକୁ ଚାଲି ଯାଇଛି। ଏବେ ବାଘୁଣୀକୁ ଧରିବା ପାଇଁ ବନବିଭାଗ କର୍ମଚାରୀ ଏବଂ ବିଶେଷଜ୍ଞ ଟିମ୍ ଜଙ୍ଗଲରୁ ଜଙ୍ଗଲ ବୁଲି ନାକେଦମ୍ ହୋଇଗଲେଣି।

ସୁନ୍ଦରୀକୁ ଧରିବା ପାଇଁ କଞ୍ଚା ମାଂସର ବାସ୍ନା ସ୍ପ୍ରେ କରାଯାଉଛି। ଗୋଟିଏ ଛେଳିକୁ ଧରି କର୍ମଚାରୀମାନେ ଜଙ୍ଗଲରେ ଡେରା ପକାଇଛନ୍ତି। ସ୍ପ୍ରେ ବାସ୍ନା ଶୁଙ୍ଘି ବାଘୁଣୀ ଦେଖାଦେବା ମାତ୍ରେ ଛେଳିକୁ ଛାଡ଼ିବା ପାଇଁ ଯୋଜନା କରିଛି ବନବିଭାଗ। ଏହାସହ ଜଙ୍ଗଲ ଚାରିପଟେ ଟ୍ରାଙ୍କୁଲାଇଜ ଟିମ୍ ମଧ୍ୟ ସୁନ୍ଦରୀକୁ ଜଗି ରହିଛନ୍ତି। କିନ୍ତୁ ବାଘୁଣୀର ପତ୍ତା ମିଳୁନି।

ସୁନ୍ଦରୀକୁ କାବୁ କରିବା ପାଇଁ ରେଡିଓ କଲାର ମାଧ୍ୟମରେ ସ୍ଥିତି ଜାଣିବାକୁ ଉଦ୍ୟମ କରୁଛି ବନବିଭାଗ। ହେଲେ ରେଡିଓ କଲାର ଠିକ୍ ଭାବେ କାମ କରୁ ନଥିବାରୁ ବାଘୁଣୀ କେଉଁଠି ଅଛି ତାହା ଠଉରେଇ ପାରୁନାହିଁ ବନବିଭାଗ।

ବାଘୁଣୀ ବନବିଭାଗ କର୍ମଚାରୀଙ୍କୁ ସହ ଲୁଚକାଳି ଖେଳୁଥିବା ବେଳେ ଜଙ୍ଗଲ ପାଖ ଗାଁରେ ଭୟ ବଢ଼ୁଛି। କୁମୁରୀ ଗାଁରେ ବାଘୁଣୀ ବଳଦ ଶିକାର କରିବା ପରେ ଗାଁ ଲୋକେ ଘରୁ ବାହାରୁ ନାହାନ୍ତି। ତାଟି କବାଟ ଦେଇ ଘରେ ରହୁଛନ୍ତି।

ବାଘୁଣୀକୁ ନିଶ୍ଚେତକ ଦେଇ ଟ୍ରାଙ୍କୁଲାଇଜ କରିବା ପାଇଁ ଓୟୁଏଟି, ନନ୍ଦନକାନନରୁ ଏକ ଟିମ୍ ସାତକୋଶିଆ ଯାଇଛନ୍ତି। ହେଲେ ବାଘୁଣୀର ପତା ମିଳୁ ନଥିବାରୁ ଚିନ୍ତା ବଢ଼ିଛି।

ବାଘମୁଣ୍ଡା ଗାଁ ନିକଟରେ ଥିବା ପାହାଡ଼ ତଳେ ବାଘୁଣୀ ଲୁଚିଥିବା ବନବିଭାଗ ଅନୁମାନ କରିଛି। ପାହାଡ଼କୁ ବନବିଭାଗ କର୍ମଚାରୀ ଘେରି ରହିଥିବା ବେଳେ ନିଶ୍ଚେତକ ଗୁଳି ମାରିବାକୁ ବନବିଭାଗ ପ୍ରସ୍ତୁତ ହେଉଛି।

Comment