ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ସକାଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନ ସମ୍ମୁଖରୁ ୪ ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି।
ଦିନକୁ ଦିନ ଘନେଇବାକୁ ଲାଗିଛି ସିବିଆଇ ବିବାଦ। ଏହି ବିବାଦରେ ପୁଣି ଏକ ପର୍ଦ୍ଦାଫାସ୍ ହୋଇଛି। ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନ ସମ୍ମୁଖରୁ ୪ ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି।

ସିବିଆଇ ନିର୍ଦ୍ଦେଶକ ଆଲୋକଙ୍କ ଘର ଚାରିପଟେ ବୁଲୁଥିବା ଏହି ୪ ଜଣ ବ୍ୟକ୍ତିଙ୍କୁ ତାଙ୍କ ସୁରକ୍ଷା କର୍ମୀମାନେ କାବୁ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ଦିଲ୍ଲୀର କଡ଼ା ସୁରକ୍ଷା ଜୋନ୍ କୁହାଯାଉଥିବା ଆକବର ରୋଡରେ ଥିବା ବର୍ମାଙ୍କ ବାସଭବନ ସମ୍ମୁଖରେ ଏହି ୪ ଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବାର ନଜର ଆସିଥିଲେ। ଏମାନଙ୍କୁ ଏପରି ବୁଲୁଥିବାର ଦେଖିବା ପରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିଥିଲେ।

ଏମାନେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଜୁନିଅର ଆସିଷ୍ଟାଣ୍ଟ୍ ଅଫିସର ବୋଲି କୁହାଯାଉଛି। ସେମାନଙ୍କ ନିକଟରୁ ପ୍ରମାଣପତ୍ର ଓ ଫୋନ୍ ଆଦିକୁ ଜବତ କରାଯାଇଛି। ତେବେ ସେମାନଙ୍କୁ ବର୍ମାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କୁହାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।












