ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ୨୭ ସନ୍ଧ୍ୟା ୭ଟାରୁ ରାତି ସାରା ଚାଲିବ ସ୍ପିକ୍‌ମାକେ ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’। ଓଡ଼ିଶାଲାଇଭ୍‌ରେ ଦେଖିପାରିବେ ସିଧାପ୍ରସାରଣ।

ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଥିବା ‘ସ୍ପିକ୍‌ମାକେ’ ଓଡ଼ିଶା ଚାପ୍ଟର ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଯାଉଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’।

ଏହି ବିଶେଷ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ୨୭ ତାରିଖରେ ସାରା ରାତି ପରିବେଷିତ ହେବ।

ଦେଶ ବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍‌ (www.facebook.com/spicmacay) ସମେତ ଓଡ଼ିଶା ଲାଇଭ୍‌ର ନ୍ୟୁଜ୍‌ ପୋଟାଲ (www.odisha.live) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଲାଇଭ୍‌ଷ୍ଟ୍ରିମିଂ(ସିଧା ପ୍ରସାରଣ) ମଧ୍ୟ ଦେଖିପାରିବେ। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଲାଇଭ୍‌ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।

ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସାରା ରାତି ଚାଲିବ ଏବଂ ଜଣକ ପରେ ଜଣେ ଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ।

spic_macay_yamini_2018 posterଚଳିତବର୍ଷ ‘ୟାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଘଟମ୍‌ ବାଦକ ବିଦ୍ୱାନ ଭିକୁ ବିନାୟକ ରାମ୍, ସୀତାର ବାଦକ ପୂର୍ବାୟନ ଚାଟାର୍ଜୀ, ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ବିଦୁଷୀ ଭିଡେ ଦେଶପାଣ୍ଡେ, ସାରଙ୍ଗୀ ବାଦକ ଉସ୍ତାଦ ସବିର ଖାନ୍‌, ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଉସ୍ତାଦ ରାଜା ମିଆଁ। ଏହି ଶିଳ୍ପୀମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ବିରଳ ସାଧନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ନାଁ କମାଇଛନ୍ତି।

“ୟାମିନି ହେଉଛି ସ୍ପିକ୍‌ମାକେର ଏକ ଅଭିନବ ପ୍ରୟାସ। ଏହା ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଛାତ୍ର ଓ ଯୁବକମାନଙ୍କ ପାଖରେ ପହଞ୍ଚାଇବାକୁ ଅନୁଷ୍ଠାନ ଉଦ୍ୟମ କରିଆସୁଛୁ। ଓଡ଼ିଶା ଚାପ୍ଟର ପକ୍ଷରୁ ୨୦୧୫ ମସିହାରେ ପ୍ରଥମେ ୟାମିନି ଆୟୋଜିତ ହୋ‍ଇଥିଲା। ଚଳିତ ବର୍ଷ ଏହାର ଚତୁର୍ଥ ସଂସ୍କରଣ ହେବାକୁ ଯାଉଛି”, କହିଛନ୍ତି ସ୍ପିକ୍‌ମାକେ ଓଡ଼ିଶା ଚାପ୍ଟରର ସଂଯୋଜିକା ବବିତା ମିଶ୍ର।

ସ୍ପିକ୍‌ମାକେ ଓଡ଼ିଶା ଚାପ୍‍ଟର ଗତ କିଛି ବର୍ଷ ଧରି ବେଶ୍‍ ସକ୍ରିୟ ରହିଛି। ରାଜ୍ୟର ଅନେକ କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଏହା ସହିତ ଯୋଡ଼ି ହୋ‌ଇଛନ୍ତି। ଏହି ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଶବିଦେଶର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‍ ପକ୍ଷରୁ ଉଦ୍ୟମ କରାଯାଉଛି।

Comment