ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁକାଶ୍ମୀର ଘାଟିରେ ପଥର ମାଡ଼ରେ ଜଣେ ଯବାନ ସହିଦ ହେବା ପରେ ସେନାଧ୍ୟକ୍ଷ ବିପିନ ରାୱତ କଡ଼ା ଆଭିମୁଖ୍ୟ ନେଇଛନ୍ତି। ସେନାଧ୍ୟକ୍ଷ ବିପିନ ରାୱତ ‘ଇନଫ୍ୟାଂଟ୍ରି ଦିବସ’ ଅବସରରେ ଶନିବାର ଇଣ୍ଡିଆ ଗେଟ୍ସ୍ଥିତ ଅମର ଯବାନ ଜ୍ୟୋତି ନିକଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଟାଗେର୍ଟ କରିଛନ୍ତି।
ଜମ୍ମୁକାଶ୍ମୀର ଘାଟିରେ ପଥର ମାଡ଼ରେ ସହିଦ ହୋଇଥିବା ଯବାନଙ୍କ ମାମଲାରେ ମୁହଁ ଖୋଲି ବିପିନ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, “ପାକିସ୍ତାନ ନିଜ ମନ୍ଦ ବୁଦ୍ଧିରୁ କେବେ ବାଦ୍ ପଡ଼ିବନି। କିନ୍ତୁ ପାକିସ୍ତାନ ଭଲରେ ଜାଣିଛି ଯେ, ଏଭଳି କାର୍ଯ୍ୟ କରିବା ଦ୍ୱାରା ସେ କେବେବି ସଫଳ ହୋଇ ପାରିବ ନାହିଁ”। ବିପିନ ଆହୁରି ମଧ୍ୟ କହିଛନ୍ତି, ପଥର ଆକ୍ରମଣରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି କିନ୍ତୁ ତଥାପି ଲୋକ କହୁଛନ୍ତି କି ପଥର ଫୋପଡ଼ାଳୀଙ୍କୁ ଆତଙ୍କବାଦୀ କୁହା ନଯାଉ।
ଜମ୍ମୁକାଶ୍ମୀର ଘାଟିରେ ପଥର ମାଡ଼ରେ ଜଣେ ଯବାନ ସହିଦ ହେବା ପରେ ସେଠାକାର ମାହୋଲ ଗରମ ରହିଛି। ଏହି ସମୟରେ ସେନାଧ୍ୟକ୍ଷ ବିପିନ ରାୱତ ‘ଇନଫ୍ୟାଂଟ୍ରି ଦିବସ’ ଅବସରରେ ଶନିବାର ଇଣ୍ଡିଆ ଗେଟ୍ସ୍ଥିତ ଅମର ଯବାନ ଜ୍ୟୋତି ନିକଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଞ୍ଚିଥିଲେ।
ଏହି ଘଟଣାରେ ପ୍ରାଣ ହରାଇ ଥିବା ୨୨ ବର୍ଷିୟ ଯବାନ ରାଜେନ୍ଦ୍ର ସିଂହ ସଡ଼କ ତିଆରି କରୁଥିବା ବର୍ଡର ରୋଡ ଟିମଙ୍କୁ ସୁରକ୍ଷା ଦେଉଥିଲେ। ସେହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ମୁଣ୍ଡରେ ପଥର ବାଜିବା ଯୋଗୁଁ ସେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ପ୍ରାଥମିକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ବିପିନ ଆହୁରି ମଧ୍ୟ କହିଛନ୍ତି, “ଏହି ମାମଲାରେ ଏଫଆଇଆର ରୁଜୁ କରାଯାଇଛି। ବର୍ଡର ଟିମ ସେଠାରେ ହତିଆର ନିର୍ମାଣ ପାଇଁ ନୁହେଁ, ବରଂ ସଡ଼କ ଓ ପୋଲ ନିର୍ମାଣ ପାଇଁ ନିୟୋଜିତ ଅଛନ୍ତି। ପରିବେଶକୁ ଗରମ ରଖିବାକୁ ପାକିସ୍ତାନ ପାଇଁ ଆତଙ୍କବାଦୀ ହିଁ କେବଳ ଗୋଟିଏ ବିକଳ୍ପ। କାଶ୍ମୀରର ବିକାଶ ହେଉ ତାହା ପାକିସ୍ତାନ ଚାହୁଁ ନାହିଁ। କିନ୍ତୁ ରାଜ୍ୟ ଏହାର ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିଛି। ପାକିସ୍ତାନକୁ ରୋକିବା ପାଇଁ ସେମାନେ ଅଲଗା ଅଲଗା ଅପରେସନ କରିବେ।“












