ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର। ଆଇନଜୀବୀ ହେଲେ ମୁହାଁମୁହିଁ।

ଆଇନଜୀବୀଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଗତ ଦେଢ଼ ମାସ ହେଲା କୋର୍ଟ କାର୍ଯ୍ୟ ଅଚଳ ହୋଇଯାଇଛି। ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବାରୁ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସୋମବାର ଦିନ ଆଇନଜୀବୀଙ୍କ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଆନ୍ଦୋଳନରୁ ଓହରି ଗୋଟିଏ ଆଇନଜୀବୀ ଗୋଷ୍ଠୀ ହାଇକୋର୍ଟକୁ ଆସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ।

ଏହାକୁ ନେଇ ଆଜି ହାଇକୋର୍ଟ ପରିସରରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଓକିଲ-ଓକିଲ ମଧ୍ୟରେ ଠେଲାପେଲା ଏବଂ ଧସ୍ତାଧସ୍ତି ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ହାଇକୋର୍ଟ ପରିସରରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ସୋମବାର ସକାଳ ୧୦ଟା ୧୫। ଏହି ସମୟରେ ହାଇକୋର୍ଟର ନୂଆ ଗେଟ୍ ଦେଇ ପ୍ରବେଶ କରିଥିଲେ ବିଜେଡି ଲିଗାଲ ସଭାପତି ମିଲନ କାନୁନଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାସ ଏବଂ କିଛି ଆଇନଜୀବୀ। ହେଲେ ବାର୍‌ ଆସୋସିଏସନର ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ। ଫଳରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଉଭୟ ଗୋଷ୍ଠୀର ଆଇନଜୀବୀ ହାତାହାତି ମଧ୍ୟ ହୋଇଥିଲେ। ଏଥିରେ ୪ ଆଇନଜୀବୀଙ୍କ ସମେତ ଅସୀମ ଅମିତାଭ ଦାସ ଆହତ ହୋଇଥିବା ଜଣାପଡ଼ିଛି।

ହାଇକୋର୍ଟ ମୁଖ୍ୟ ବିଚାରପତି, ଅନ୍ୟ ବିଚାରପତି ଏବଂ ଆଡଭୋକେଟ ଜେନେରାଲଙ୍କୁ କୋର୍ଟରେ ସୁରକ୍ଷା ବଳୟ ଭିତରେ ଛାଡ଼ିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସରକାର। ଏଜିଙ୍କୁ ତାଙ୍କ ଅଫିସରେ ଛାଡ଼ି ଫେରୁଥିବା ବେଳେ କିଛି ଏପିଆର୍ କନଷ୍ଟେବଳଙ୍କୁ ବିକ୍ଷୋଭକାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହାଇକୋର୍ଟ ପରିସରରେ ଉତ୍ତେଜନା ଲାଗି ରହିଛି।

ଏପଟେ ହାଇକୋର୍ଟ ଏବଂ ଅନ୍ୟ କୋର୍ଟ ଅଚଳକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

“ଆଇନଜୀବୀମାନେ ଗତ ଦୁଇ ମାସ ହେଲା ଆନ୍ଦୋଳନ ଚଳାଇଥିବାରୁ ନ୍ୟାୟପାଳିକା ଏକ ପ୍ରକାର ଅଚଳ ହୋଇଯାଇଛି। ଆଇନଜୀବୀଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ। ମୁଖ୍ୟମନ୍ତ୍ରୀ ଗାନ୍ଧାରୀ ସାଜନ୍ତୁ ନାହିଁ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

“ଆଇନଜୀବୀଙ୍କ ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି। ଓଡ଼ିଶା ହାଇକୋର୍ଟର ମର୍ଯ୍ୟାଦା ରହିଛି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଘଟଣା ଆଗକୁ ନବଢ଼ାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ”, କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ଏପଟେ ସାରା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ତେଜିଛି। ଭୁବନେଶ୍ବର ବାର୍‌ ଆସୋସିଏସନର ଆଇନଜୀବୀଙ୍କ ସମେତ ଅନ୍ୟ ଜିଲ୍ଲାରେ ଆନ୍ଦୋଳନ ଜୋରଦାର ହୋଇଛି।

ଜଣେ ଆଇନଜୀବୀଙ୍କୁ କଟକ ନୂଆବଜାରରେ ପୋଲିସ ମାଡ଼ ମାରିବା ଅଭିଯୋଗରେ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଗତ ଦୁଇ ମାସ ହେଲା କୋର୍ଟ ଅଚଳ ହୋଇଯାଇଛି। ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନ ତେଜିଛି। ଏହି ଆନ୍ଦୋଳନରେ ରାଜନୀତି ପଶିଛି।

ବିଜେଡି ଲିଗାଲ ସେଲ୍ ଆନ୍ଦୋଳନରୁ ଓହରିଯିବ ବୋଲି ଗତ ଶନିବାର ଦିନ ଘୋଷଣା କରିଥିଲା। ଫଳରେ ଆଇନଜୀବୀ ସଂଘ ଦୁଇଫାଳ ହୋଇଯାଇଛି।

“ମୁଖ୍ୟମନ୍ତ୍ରୀ ଆଇନଜୀବୀ ସଂଘରେ ଫାଟ ପୂରାଇଛନ୍ତି। ଆଇନଜୀବୀ ଓ ପୋଲିସ ଭିତରେ ଚାଲିଥିବା ବିବାଦର ସମାଧାନ ନକରି ଅଯଥା ରାଜନୀତି ପୂରାଇବା ଆଦୌ ଗ୍ରହଣୀୟ ନୁହେଁ। ଏହା ଅତି ନିନ୍ଦନୀୟ”, କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି।

Comment