ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟ ଘୁଞ୍ଚାଇଲେ ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ମାମଲାର ଶୁଣାଣି। ୨୦୧୯ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣି।
ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାର ଥିଲା। କିନ୍ତୁ ଏହି ଶୁଣାଣି ସୁପ୍ରିମକୋର୍ଟ ୨୦୧୯ ମସିହା ଜାନୁଆରୀ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି। ଯାହାଫଳରେ ରାମ ଜନ୍ମଭୂମି ବାବ୍ରୀ ମସ୍ଜିଦ୍ ଅଞ୍ଚଳରେ ଥିବା ୨.୭୭ ଏକର ଜମିକୁ ନେଇ ଲାଗି ରହିଥିବା ବିବାଦର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ପରିବର୍ତ୍ତେ ୨୦୧୯ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ କରିବେ।
ସୋମବାର ଦିନ ସୁପ୍ରିମ୍କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଶୁଣାଣି ହୋଇଥାନ୍ତା। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ ଏବଂ ଜଷ୍ଟିସ୍ କେଏମ୍ ଯୋଶେଫଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲା। ୧୬୪ ବର୍ଷ ପୁରୁଣା ଏହି ବିବାଦର ସୋମବାର ଅନ୍ତ ଘଟିବ ବୋଲି ସମସ୍ତେ ଆଶା ରଖିଥିଲେ।

ବିଶେଷକରି ମାମଲା ସହିତ ହିନ୍ଦୁ ଓ ମୁସ୍ଲିମ୍ ସମ୍ପ୍ରଦାୟ ଲୋକଙ୍କ ଭାବନା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ସୁପ୍ରିମ୍କୋର୍ଟଙ୍କ ଶୁଣାଣି ବେଶ୍ ଗୁରୁତ୍ୱ ବହନ କରୁଛି। ଏହି ଜମିକୁ ନେଇ ହିନ୍ଦୁ ଓ ମୁସ୍ଲିମ୍ଙ୍କ ମଧ୍ୟରେ ପ୍ରାୟ ଶହେ ବର୍ଷ ହେଲା ବିବାଦ ଲାଗି ରହିଛି।
ଯେଉଁଠି ସାରା ଦେଶରେ ରାମ ମନ୍ଦିରକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି, ସେଠାରେ ଏହି ମାମଲାର ଶୁଣାଣିକୁ ପୁନଶ୍ଚ ଘୁଞ୍ଚାଇବାର ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। କାରଣ ସୋମବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ଜନ୍ମଭୂମି ବାବ୍ରୀ ମସ୍ଜିଦ୍ ଉପରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ମାତ୍ର ୩ ମିନିଟ ମଧ୍ୟରେ ହିଁ ସୁପ୍ରିମକୋର୍ଟ ଆଗାମୀ ତାରିଖ ଘୋଷଣା କରିଥିଲେ।

ଦୀର୍ଘ ୭ ବର୍ଷ ହେଲା ଗଡ଼ୁଛି ଏହି ମାମଲା
ଅଯୋଧ୍ୟା ମାମଲାରେ ଟାଇଟଲ ସୁଟ୍କୁ ନେଇ ବିଭିନ୍ନ ସଂସ୍ଥା ନିଜକୁ ପକ୍ଷଭୁକ୍ତ କରିଛନ୍ତି। କିଛି ବ୍ୟକ୍ତିଙ୍କ ପକ୍ଷରୁ ସ୍ୱତନ୍ତ୍ର ଲିଭ ପିଟିସନ ମଧ୍ୟ ଓକିଲ ଦାଖଲ କରିଥିଲେ। ଏସବୁ ପିଟିସନ ଦୀର୍ଘ ୭ ବର୍ଷ ଧରି ସୁପ୍ରିମକୋର୍ଟରେ ଗଡ଼ୁଛି। ୨୦୧୭ ମସିହା ଫେବୃଆରୀ ୨୬ ତାରିଖରେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା।
ସୁବ୍ରମଣ୍ୟମ୍ ତାଙ୍କ ଆବେଦନରେ କହିଥିଲେ ଯେ, ମୁସଲିମ ଦେଶମାନଙ୍କରେ ମସ୍ଜିଦ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ରହିଛି ଓ ଅନ୍ୟ ଯେକୌଣସି ସ୍ଥାନରେ ମସ୍ଜିଦ୍ ନିର୍ମାଣ କରାଯାଇପାରେ। ଏହି ମାମଲାକୁ ମୁଖ୍ୟତଃ ଦୁଇଟି ପକ୍ଷ ହିନ୍ଦୁ ମହାସଭା ଓ ସୁନ୍ନି କେନ୍ଦ୍ରୀୟ ୱାକଫ୍ ବୋର୍ଡ ଲଢ଼ୁଛନ୍ତି।

ଅଯୋଧ୍ୟାର ପୂରା ମାମଲା କ’ଣ?
- ୧୯୯୨ ଡିସେମ୍ବର ୬ ତାରିଖରେ ନରସିଂହ ରାଓ ସରକାର କେନ୍ଦ୍ରରେ ଥିବାବେଳେ ଅଯୋଧ୍ୟାରେ ଥିବା ବାବ୍ରି ମସ୍ଜିଦ୍କୁ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ଅପରାଧିକ ଓ ଦେବାନି ମକଦ୍ଦମା ରୁଜୁ କରାଯାଇଥିଲା।
- ଆଲାହାବାଦ ହାଇକୋର୍ଟ ୨୦୧୦ ସେପ୍ଟେମ୍ବର ୩୦ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରିଥିଲେ। ଏଥିସହ କହିଥିଲେ ଯେ, ବିବାଦୀୟ ଜମିକୁ ୩ ଭାଗରେ ବିଭକ୍ତ କରାଯାଉ।
- ଏଥିରୁ ଭାଗେ ଯେଉଁଠି ରାମଲାଲା ପୂଜା ପାଉଛନ୍ତି ତାହାକୁ ଦିଆଯିବ, ସୀତା ରୋଷେଇ ଓ ରାମ ଚବୁତରାକୁ ନିର୍ମୋହି ଆଖଡ଼ାକୁ ଦିଆଯିବ ଓ ବାକି ଜମିକୁ ସୁନ୍ନି ୱାକଫ୍ ବୋର୍ଡକୁ ଦେବା ପାଇଁ ହାଇକୋର୍ଟ କହିଥିଲେ।
- କିନ୍ତୁ ଏଥିରେ କୌଣସି ପକ୍ଷ ରାଜି ହେଲେ ନାହିଁ। ଯାହାଫଳରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଥିଲା।
- ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ୨୦୧୧ରେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ପ୍ରତିବନ୍ଧକ ଜାରି କରିସାରିଛନ୍ତି।












