ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାତକୋସିଆରୁ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ମଧ୍ୟପ୍ରଦେଶରୁ ଆସିଲେ ଦୁଇଟି ଟିମ୍।

ସାତକୋସିଆରେ ଧରା ଦଉନି ବାଘୁଣୀ ସୁନ୍ଦରୀ। ଗତ ୫ ଦିନ ହେଲା ବନ ବିଭାଗ କର୍ମଚାରୀ ସୁନ୍ଦରୀକୁ ଠାବ କରିବାରେ ଫେଲ୍ ମାରିବା ପରେ ସୋମବାର ମଧ୍ୟପ୍ରଦେଶରୁ ଦୁଇଟି ଟିମ୍ ସାତକୋସିଆରେ ପହଞ୍ଚିଛନ୍ତି। ଏହି ଟିମ୍ ସାତକୋସିଆରେ ଟ୍ରାଙ୍କୁଲାଇଜ କରି ସୁନ୍ଦରୀକୁ ଧରିବେ।

ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି, “ମଧ୍ୟପ୍ରଦେଶରୁ ଆସିଥିବା ଟିମ୍ ସାତକୋସିଆରେ ପହଞ୍ଚି ସାରିଛନ୍ତି। ବାଘୁଣୀକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରହିଛି। ଅସନାବାହାଳ ଗାଁଠାରୁ ୩ କିଲୋମିଟର ଦୂର ଘଞ୍ଚ ଜଙ୍ଗଲରେ ବାଘୁଣୀକୁ ଠାବ କରାଯାଇଛି।”

ବନ ବିଭାଗ କର୍ମଚାରୀ ସୁନ୍ଦରୀ ଧରିବାରେ ବିଫଳ ହେବା ପରେ ମଧ୍ୟପ୍ରଦେଶକୁ ଦୁଇଟି ଟିମ୍ ପଠାଇବା ପାଇଁ ଓଡ଼ିଶା ସରକାର ଅନୁରୋଧ କରିଥିଲେ।

ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ମଧ୍ୟପ୍ରଦେଶର ବାନ୍ଧବୀଗଡ଼ ଜଙ୍ଗଲରୁ ସୁନ୍ଦରୀକୁ ସାତକୋସିଆ ଅଣାଯାଇଥିଲା। ଗତ ଜୁନ୍ ୨୮ ତାରିଖରେ ବାଘୁଣୀ ସାତକୋସିଆ ଆସିଥିଲା।

ବାଘୁଣୀ ଦୁଇଟି ମଣିଷ ଶିକାର କରିବା ପରେ ସ୍ଥାନୀୟ ଲୋକେ ସାତକୋସିଆରୁ ସୁନ୍ଦରୀକୁ ସ୍ଥାନାନ୍ତର କରିବା ପାଇଁ ଦାବି କରୁଛନ୍ତି।

“ମଧ୍ୟପ୍ରଦେଶରୁ ଆସିଥିବା ଦୁଇଟି ଟିମ୍ ଟ୍ରାଙ୍କୁଲାଇଜ କରି ବାଘୁଣୀକୁ ଧରିବା ପରେ ତାକୁ ନନ୍ଦନକାନନ ଅଣାଯିବ। ନନ୍ଦନକାନନରେ ସୁନ୍ଦରୀକୁ ରଖାଯିବ”, କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

Comment