ଓଡ଼ିଶାଲାଇଭ୍ ବ୍ୟୁରୋ
ସେସୁକୁ ଏନଜିଟି ଝଟ୍କା। ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ୧ ହଜାର କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଏହାସହ ଏହି ଘଟଣାରେ ଗଣମାଧ୍ୟମ ରିପୋର୍ଟ ଆଧାରରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ଏନଜିଟି।
ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସେସୁ ଉପରେ ଏହି ଜରିମାନା ଲଗାଇଛନ୍ତି।
ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଏନଜିଟି ପକ୍ଷରୁ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି ଟିମ୍ ଢେଙ୍କାନାଳ ଯାଇ ତଦନ୍ତ କରିବେ। ଏହା ପୂର୍ବରୁ ସେସୁକୁ ଦାୟୀ କରିଥିଲା ଜଙ୍ଗଲ ବିଭାଗ।
ଗତ ୨୬ ତାରିଖରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ନିକଟରେ ୭ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ୧୧ କେଭି ବିଦ୍ୟୁତ ତାର ତଳକୁ ଓହଳି ରହିଥିବାରୁ ହାତୀ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଏହାକୁ ନେଇ ଜଙ୍ଗଲ ବିଭାଗ ଏବଂ ସେସୁ ମଧ୍ୟରେ ବିବାଦ ଲାଗିଥିଲା।
କର୍ତ୍ତବ୍ୟରେ ଅବହେଳା ପାଇଁ ଉଭୟ ଜଙ୍ଗଲ ଏବଂ ସେସୁ ୬ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।


















