ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ପୂର୍ବାହ୍ନରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୩ତମ ଜୟନ୍ତୀ ଅବସରରେ ତାଙ୍କର ୧୮୨ ମିଟର ବିଶିଷ୍ଟ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରିଛନ୍ତି।

ନର୍ମଦା ନଦୀକୂଳରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ପ୍ରାଧନମନ୍ତ୍ରୀ ମୋଦି ଏକ ଲିଭର୍‌ ଟାଣି ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ।

ଏହି ଉଦ୍‌ଘାଟନୀ ସମାରୋହରେ ପ୍ରାଧନମନ୍ତ୍ରୀ କହିଛନ୍ତି, “ଏହି ପ୍ରତିମୂର୍ତ୍ତି ଦେଶର ଇତିହାସର ଏକ ଉଲ୍ଲେଖଯୋଗ୍ୟ ମୁହୂର୍ତ୍ତ। ଏହି ଦିବସଟି ଭାରତୀୟ ଇତିହାସରେ ସ୍ମରଣୀୟ ହୋଇ ରହିବ। କୌଣସି ଭାରତୀୟ ଏହାକୁ କେବେ ଭୁଲି ପାରିବେ ନାହିଁ।”


ଏହାଛଡ଼ା ମୋଦି କହିଛନ୍ତି, “ ମୁଁ ଗୁଜରାଟର ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲୁ। ମୂର୍ତ୍ତି ନିର୍ମାଣ କରିବାକୁ ଦେଶର ଲକ୍ଷ ଲକ୍ଷ ଚାଷୀ ସେମାନଙ୍କର ଲଙ୍ଗଳ ଓ ମାଟି ପ୍ରଦାନ କରି ଗଣ ଆନ୍ଦୋଳନ ଆରମ୍ଭ କରିଥିଲେ।”

୧୯୪୭ ମସିହାରେ ଦେଶ ବିଭାଜନ ହେବା ପରେ ଗଡ଼ଜାତ ରାଜ୍ୟଗୁଡ଼ିକୁ ଭାରତୀୟ ସଂଘରେ ସାମିଲ କରିବାକୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଟେଲ୍‌ଙ୍କ ନିମେନ୍ତ ଏହି ୨, ୩୮୯ କୋଟି ମୂଲ୍ୟର ପ୍ରତିମୂର୍ତ୍ତି ଏକ ଶ୍ରଦ୍ଧାଞ୍ଜଳି।”

ଉଦ୍‌ଘାଟନ ପରେ ଭାରତୀୟ ବାୟୁସେନାର ୩ଟି ‘କିରଣ’ ବିମାନ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଚାରିପଟ ଆକାଶରେ ତ୍ରିରଙ୍ଗ ବିଚ୍ଛୁରଣ କରିଥିଲେ। ଏହାଛଡ଼ା ଏହି ଉଦ୍‌ଘାଟନୀ ସମାରୋହରେ ସମବେତ ଜନତାଙ୍କୁ ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାନି ନିଜର ଅଭିଭାଷଣ ପ୍ରଦାନ କରିବା ସହ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପାଇଁ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ନର୍ମଦା ନଦୀ ଚାରିପଟେ ଅପୂର୍ବ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପକୁ ବିରୋଧ କରି ରାଜ୍ୟରେ କେତେଗୁଡ଼ିଏ ପ୍ରତିବାଦ ଏବଂ ଛୋଟମୋଟ ହିଂସାକାଣ୍ଡ ଉପୁଜିଛି। ଏହାଛଡ଼ା ପ୍ରତିବାଦକାରୀମାନେ ବନ୍ଦ ଡାକରା ଦେଇଥିବା ବେଳେ ଆଦିବାସୀ ଲୋକମାନେ ଆଜି ଘରେ ରୋଷେଇ କରିବେ ନାହିଁ ବୋଲି କହିଛନ୍ତି।

ଜଣେ ଆଡିସ୍‌ନାଲ୍‌ ଡିଜି, ଜଣେ ଆଇଜି, ପାଞ୍ଚ ଜଣ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌, ୩୦ ଜଣ ଡିଏସ୍‌ପି, ୬୭ ଜଣ ପୋଲିସ ଇନ୍‌ସ୍‌ପେକ୍ଟର୍‌, ୩୧୭ ପୋଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ସ ସମେତ ୨୮ ଜଣ ବାଇକ୍‌ ଆରୋହୀ ପୋଲିସ ଉଦ୍‌ଘାଟନସ୍ଥଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ। ଏହାଛଡ଼ା ୬ଟି ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ମୁତୟନ କରାଯାଇଥିଲା। ଏଥିସହ ପ୍ରାୟ ୨୦ ସରିକି ଡ୍ରୋନ୍‌କୁ ମଧ୍ୟ ଉଦ୍‌ଘାଟନୀସ୍ଥଳୀ ଏବଂ ତା’ର ଆଖପାଖ ଅଞ୍ଚଳରେ କାର୍ଯ୍ୟରେ ଲଗାଯାଇଥିଲା।

Comment