ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମେହେମୁଦ୍‌ ହେଉଛନ୍ତି ଏକମାତ୍ର କମେଡିଆନ୍‌, ଯାହାକୁ ଫିଲ୍ମରେ ହିରୋଠାରୁ ବି ଅଧିକ ଗୁରୁତ୍ୱ ଦିଆଯାଉଥିଲା। ମେହେମୁଦ ଜଣେ ଜିନ୍ଦାଦିଲ୍ ମଣିଷ ଭାବେ ବେଶ୍‌ ସୁପରିଚିତ। ମେହେମୁଦଙ୍କୁ ହିରୋଠାରୁ ମଧ୍ୟ ଅଧିକ ପାରିଶ୍ରମିକ ମିଳୁଥିଲା। ଖାଲି ସେତିକି ନୁହେଁ ଫିଲ୍ମର ପୋଷ୍ଟରରେ ମେହେମୁଦଙ୍କର ବଡ଼ ଫଟୋ ରହୁଥିଲା। ଯହାର ଅର୍ଥ ହେଲା ଯେ ଫିଲ୍ମଟି ସୁପରହିଟ୍ ହେବ।

ସଫଳତାର ଶୀର୍ଷରେ ପହଞ୍ଚିବା ପରେ ମଧ୍ୟ ମେହେମୁଦ୍‌ କେବେ ହେଲେ କାହାରିକୁ ସହାୟତା କରିବାକୁ ପଛଘୁଞ୍ଚା ଦେଇନଥିଲେ। ବଲିଉଡର ଏହି ସଫଳତମ ହାସ୍ୟାଭିନେତା ଅନେକ କଳାକାରଙ୍କ ଭାଗ୍ୟ ବଦଳାଇଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ବିଗ୍‌ ବି ଅମିତାଭ ବଚ୍ଚନ।

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମେହେମୁଦଙ୍କୁ ତାଙ୍କର ଦ୍ୱିତୀୟ ପିତା ବୋଲି କହୁଥିଲେ। ଅମିତାଭ ବଚ୍ଚନ ଏକଥା ବି ସ୍ୱୀକାର କରନ୍ତି।

୨୦୦୪ ଜୁଲାଇ ମାସରେ ଯେତେବେଳେ ମେହେମୁଦଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ଅମିତାଭ ବଚ୍ଚନ ଲେଖିଥିଲେ ଯେ, ଜଣେ ଅଭିନେତା ଭାବେ ମେହେମୁଦ କ୍ୟାରିଅରର ପ୍ରାରମ୍ଭିକ ସମୟରେ ବହୁତ ସାହାଯ୍ୟ କରିଥିଲେ। ମେହେମୁଦ୍ ହେଉଛନ୍ତି ପ୍ରଥମ ପ୍ରଯୋଜକ ଯିଏ କି ଅମିତାଭ ବଚ୍ଚନଙ୍କ ଭଳି ଲଗାତାର ଫ୍ଲପ୍ ହେଉଥିବା ଅଭିନେତାଙ୍କୁ ମଧ୍ୟ ‘ବମ୍ବେ ଟୁ ଗୋଆ’ ଫିଲ୍ମରେ ହିରୋ ଭାବେ ଚୁକ୍ତିବଦ୍ଧ କରିଥିଲେ। ‘ବମ୍ବେ ଟୁ ଗୋଆ’ ମିଳିବା ପୂର୍ବରୁ ଅମିତାଭ ବଚ୍ଚନ ନିଜ କ୍ୟାରିଅର୍‌କୁ ନେଇ ନିରାଶା ଘେରରେ ଥିଲେ। ଠିକ୍‌ ସେହି ସମୟରେ ମେହେମୁଦଙ୍କ ଭାଇ ଅନୱର ଅମିତାଭଙ୍କୁ ଅଟକାଇଥିଲେ। ଅନୱର ମେହେମୁଦଙ୍କୁ ଅମିତାଭଙ୍କ ସମ୍ପର୍କରେ କହିଥିଲେ। ସେତେବେଳେ ଅମିତାଭଙ୍କ ପାଖରେ ରହିବା ପାଇଁ ଜାଗା ବି ନଥିଲା। ଏଭଳି ସ୍ଥିତିରେ ମେହେମୁଦ ନିଜ ଘରେ ଅମିତାଭଙ୍କର ରହିବାର ବ୍ୟବସ୍ଥା କରିଲେ ଓ  ‘ବମ୍ବେ ଟୁ ଗୋଆ’ ସମେତ ଲଗାତାର ସାତଟି ସିନେମାରେ କାମ ଦେଇଥିଲେ। ଅମିତାଭ ବଚ୍ଚନ ମେହେମୁଦଙ୍କ ପାଇଁ ପୁଣି ଥରେ କ୍ୟାରିଅର ବିଷୟରେ ଚିନ୍ତା କଲେ ଓ ସଫଳ ବି ହେଲେ।

ହେଲେ ଗୋଟିଏ ଘଟଣା ମେହେମୁଦଙ୍କ ମନକୁ ତୀବ୍ର ଆଘାତ ଦେଇଥିଲା। ଅମିତାଭଙ୍କ ପିତା ହରିବଂଶରାୟ ବଚ୍ଚନ ଥରେ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଏହି ଖବର ପାଇବା ମାତ୍ରେ ମେହେମୁଦ ଅମିତାଭଙ୍କ ଘରକୁ ଯାଇ ହରିବଂଶରାୟ ବଚ୍ଚନଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ଅପରପକ୍ଷରେ ମେହେମୁଦଙ୍କର ଯେତେବେଳେ ବାଇପାସ୍‌ ସର୍ଜରି ହୋଇଥିଲା, ସେତେବେଳେ ସେ ବ୍ରିଚ୍‌କାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ କିନ୍ତୁ ଅମିତାଭ ଓ ତାଙ୍କ ପିତା ତାଙ୍କୁ ଦେଖିବାକୁ ଆସିନଥିଲେ। ମେହେମୁଦଙ୍କୁ ଏହି ଘଟଣା ବେଶି ବାଧିଥିଲା ଯେ ମେହେମୁଦ ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଥିବା ବେଳେ ସେଠାକୁ ଅମିତାଭ ଓ ବଚ୍ଚନ ଆସିଥିଲେ ବି ମେହେମୁଦଙ୍କୁ ଭେଟି ନଥିଲେ।

ସେହି ଦୁଃଖରେ ମେହେମୁଦ୍‌ କହିଥିଲେ ଯେ, ଅମିତାଭ ବଚ୍ଚନ ପ୍ରମାଣିତ କରି ଦେଲେ ଯେ ଅସଲି ପିତା ହିଁ ପିତା, କିନ୍ତୁ ନକଲି ପିତା ନକଲି। କେବଳ ମୁହଁରେ ଦ୍ୱିତୀୟ ପିତା କହିଲେ କ’ଣ ହେବ, ପ୍ରକୃତ ସମୟରେ ତ ତା’ର ପ୍ରମାଣ ଦେଇନଥିଲେ ବିଗ୍‌ ବି।

Comment