ଓଡ଼ିଶାଲାଇଭ୍ ବ୍ୟୁରୋ

ପଟ୍ଟାମୁଣ୍ତାଇ ବ୍ଲକ୍ ଅଣ୍ତରା ହାଟ ବଜାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ତ ଘଟିବା ଫଳରେ ଗୋଟିଏ ଗ୍ୟାରେଜ୍‌ ସହ ୩ଟି ମିଠା ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ପୋଲିସ କହିବାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଶେଖ ରହେମାନଙ୍କ ଗ୍ୟାରେଜରେ ହଠାତ୍ ନିଆଁ ଲାଗି ଯାଇଥିଲା। ଗ୍ୟାରେଜ ଭିତରେ ଥିବା ୧୬ଟି ମଟରସାଇକେଲ ଓ ଅନ୍ୟ ସାମଗ୍ରୀଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି।

ଏହି ଗ୍ୟାରେଜରେ ଥିବା ଏକ ଗ୍ୟାସ ଟାଙ୍କି ଉପରକୁ ଉଠି ବିସ୍ପୋରଣ ହେବାରୁ ଭୟରେ କେହି ଦୋକାନ ପାଖକୁ ଯାଇନଥିଲେ। ଏହି ଦୋକାନ ନିକଟରେ ଥିବା ବିଜୟ ସାହୁ, ଶରତ ସାହୁ ଓ ପିତାମ୍ବର ମଲ୍ଳିକଙ୍କ ଦୋକାନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ବିଜୟ ଓ ଶରତଙ୍କ ଦୋକାନରେ ଥିବା ଫ୍ରିଜ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏବିଷୟରେ ଖବର ପାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜସେବୀ ଗଦାଧର ମଲ୍ଳିକ, ଚିତ୍ତ ରଞ୍ଜନ ମଲ୍ଳିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ।

Comment