ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ବରେଲିରେ ଲଜ୍ଜା। ଆଇସିୟୁ ବେଡ୍‌ରେ ଗଣଦୁଷ୍କର୍ମ ଅଭିଯୋଗ।

ହସ୍ପିଟାଲ ଆଇସିୟୁ ବେଡ୍‌ରେ ନାବାଳିକା ସହ ଗଣଦୁଷ୍କର୍ମ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ। ୫ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମରେ ସାମିଲ ଥିବା ଅଭିଯୋଗ ଆସିଛି। ଏହି ଅଭିଯୁକ୍ତମାନେ ନାବାଳିକାର ସମ୍ପର୍କୀୟ ହୋଇଥିବା ସୂଚନା ରହିଛି।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ବରେଲୀ ସହରର ଏକ ଘରୋଇ ହସ୍ପିଟାଲରେ ଏଭଳି ଛାତିଥରା ଘଟଣା ଘଟିଛି। ଜଣେ ୧୬ ବର୍ଷୀୟ ନାବାଳିକାକୁ ସାପ କାମୁଡ଼ିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ହିଁ ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଏସପି ମଧ୍ୟ ଏଭଳି ଘଟଣାକୁ ସ୍ୱୀକାର କରିଛନ୍ତି। ପରିବାରଲୋକଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଏତଲାରେ ହସ୍ପିଟାଲର କର୍ମଚାରୀଙ୍କ ନାଁ ଥିବାରୁ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରୁଛି ପୋଲିସ। ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟ ଆସି ନଥିବା କହିଛନ୍ତି ପୋଲିସ ଅଧିକାରୀ।

ସମସ୍ତ ପ୍ରମାଣ ମିଳିବା ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲା ଏସ୍‌ପି।

LEAVE A REPLY

Please enter your comment!
Please enter your name here