ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମୁଦ୍ରାକରଣକୁ ଦୁଇ ବର୍ଷ ପୂରିଛି। ବିଜେପି ଏହାକୁ ନେଇ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ସାରା ଦେଶରେ କଳାଦିବସ ପାଳନ କରିଛି। ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ଭିତରେ ବିମୁଦ୍ରାକରଣକୁ ନେଇ କଥା କଟାକଟି ଚାଲିଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୁହାଁମୁହିଁ ହୋଇଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ଅରୁଣ ଜେଟଲୀ ବିମୁଦ୍ରାକରଣ ପାଇଁ ଭାରତର ଅର୍ଥନୀତି ସୁଦୃଢ଼ ହୋଇଥିବା କହିଥିବା ବେଳେ ମନମୋହନ ସିଧା ବାଣ ମାରିଛନ୍ତି। ବିମୁଦ୍ରାକରଣ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ମନମୋହନ କହିଛନ୍ତି।

“ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ବାଟକୁ ଆଣିବା ପାଇଁ ବିମୁଦ୍ରାକରଣ ଠିକ୍ ନିଷ୍ପତ୍ତି ଥିଲା। ଟଙ୍କା ଜବତ କରିବା ବିମୁଦ୍ରାକରଣର ଲକ୍ଷ୍ୟ ନଥିଲା। ଟିକସ ଆଦାୟ କରିବା ବିମୁଦ୍ରାକରଣର ବଡ଼ ଲକ୍ଷ୍ୟ ଥିଲା। ବିମୁଦ୍ରାକରଣ ପରେ ଟିକସ ଫାଙ୍କିବା ମୁସ୍କିଲ ହୋଇପଡ଼ିଛି”, କହିଛନ୍ତି ଅରୁଣ ଜେଟଲୀ।

ଜେଟଲୀ ଆହୁରି କହିଛନ୍ତି ଯେ ବ୍ୟାଙ୍କରେ ନଗଦ ଟଙ୍କା ଜମା କରିବା ପାଇଁ ବିମୁଦ୍ରାକରଣ ବାଧ୍ୟ କରିଥିଲା। ଫଳରେ ୧୭.୪୨ ଲକ୍ଷ ଆକାଉଣ୍ଟଧାରୀଙ୍କୁ ଚିହ୍ନଟ କରାଯାଇଥିଲା। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ଫଳରେ ବଡ଼ ସଫଳତା ମିଳିଥିଲା।

ବିମୁଦ୍ରାକାଣ ଯୋଗୁଁ ଇନକମ୍ ଟ୍ୟାକ୍ସ ଆଦାୟ ଭଲ ହେଉଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଗତବର୍ଷ ତୁଳନାରେ ୨୦.୨ ପ୍ରତିଶତରୁ ଅଧିକ ବ୍ୟକ୍ତିଗତ ଟିକସ ଜମା ହୋଇଛି। ୧୯.୫ ପ୍ରତିଶତରୁ ଅଧିକ କର୍ପୋରେଟ ଟ୍ୟାକ୍ସ ଆଦାୟ ହୋଇଛି।

ମନମୋହନ ସିଂ କହିଛନ୍ତି, “ବିମୁଦ୍ରାକରଣକୁ ଦୁଇ ବର୍ଷ ପୂରିଥିଲେ ମଧ୍ୟ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିନି। କ୍ଷଉଧ୍ୟ ଓ ମଧ୍ୟମ ବର୍ଗର ବ୍ୟବସାୟୀ ଯେଉଁ ଆଘାତ ପାଇଛନ୍ତି ତାହା ଭରଣା ହୋଇପାରି ନାହିଁ। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବିମୁଦ୍ରାକରଣ ପ୍ରଭାବ ପକାଇଛି।”

Comment