ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଜୋରଦାର ହେବ ଚାଷୀ ଆନ୍ଦୋଳନ। ସରକାର ଚାଷୀଙ୍କୁ ରାଜଧାନୀ ମନା କରିବା ପରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ଘୋଷଣା କରିଛି। ନଭେମ୍ବର ୧୨ରେ ଚାଷୀମାନେ ପ୍ରତି ପଞ୍ଚାୟତ ଅଫିସ ଘେରାଉ କରିବାକୁ ଘୋଷଣା କରିଥିବା ବେଳେ ୧୫ରେ ଥାନା ଆଗରେ ଧାରଣା ଦେବେ।
ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ସରକାର ଚାଷୀଙ୍କୁ ରାଜଧାନୀ ମନା କରିଥିଲେ। ରାଜଧାନୀ ଉପକଣ୍ଠରୁ ଚାଷୀମାନଙ୍କୁ ପୋଲିସ ବଳ ଲଗାଇ ଘଉଡ଼ାଇ ଦିଆଗଲା। ହେଲେ ଗାଁ ହେଉଛି ଆମର। ଯଦି ରାଜଧାନୀକୁ ଚାଷୀମାନଙ୍କୁ ମନା ତାହାଲେ ଗାଁରେ ନେତାମାନଙ୍କୁ ପଶିବାକୁ ଦିଆଯିବ ନାହିଁ।”
ଚାଷୀମାନଙ୍କ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜୋରଦାର ହେବ ବୋଲି ସେ କହିଛନ୍ତି।
ବିଭିନ୍ନ ଦାବି ନେଇ ଗତ ୫ ତାରିଖରେ ଚାଷୀମାନେ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିବାକୁ ବିଶାଳ ପଦଯାତ୍ରାରେ ଆସିଥିଲେ। ହେଲେ ଚାଷୀମାନଙ୍କୁ ଭୁବନେଶ୍ୱରର ହଂସପାଳ ଏବଂ ତମାଣ୍ଡୋରେ ଅଟକାଇ ଦିଆଯାଇଥିଲା।
ଚାଷୀମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ସହର ଭିତରେ ପ୍ରବେଶ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା।


















