ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ ଇନ ଓଡ଼ିଶା କନକ୍ଲେଭ ପରେ ଓଡ଼ିଶାରେ ଶିଳ୍ପାୟନ ନକ୍ସା ବଦଳିବା ଆଶା କରାଯାଉଛି।

ରବିବାରଠାରୁ ଭୁବନେଶ୍ୱରରେ  ଆରମ୍ଭ ହେଉଛି ପାଞ୍ଚ ଦିନିଆ ମେକ ଇନ ଓଡ଼ିଶା କନକ୍ଲେଭ। ଏହି ସମ୍ମିଳନୀ ପରେ ରାଜ୍ୟର ଶିଳ୍ପାୟନ ନକ୍ସା  ବଦଳିବା ଆଶା କରାଯାଉଛି। ଆଗରୁ ଯେତେ ସବୁ କନକ୍ଲେଭ ହୋଇଥିଲା ତା’ ତୁଳନାରେ ଏହାକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ଯଦି ସବୁ କିଛି ଠିକ୍ ଚାଲେ, ରାଜ୍ୟରେ ଶିଳ୍ପ ବିକାଶ କ୍ଷେତ୍ରରେ ନୂଆ ପର ଯୋଡ଼ା ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ନଭେମ୍ବର ୧୧-୧୫  କନକ୍ଲେଭର ସବୁଠାରୁ ବଡ଼ ଆକର୍ଷଣ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଆଗମନ। ସେ ୧୨ ତାରିଖରେ ଓଡ଼ିଶା ଆସିବେ ଓ କନକ୍ଲେଭରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ମୁଖ୍ୟ ମଞ୍ଚ ଉପରେ ବସିବେ। ମୁକେଶ ଅମ୍ବାନୀଙ୍କ ଯୋଗଦାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସେ ଚାହିଁଲେ ବହୁତ କିଛି ଓଡ଼ିଶା ପାଇଁ କରିପାରିବେ।

ଅଗଷ୍ଟ ୮ ତାରିଖରେ ମୁମ୍ବାଇରେ ଯେଉଁ କନକ୍ଲେଭ ହୋଇଥିଲା। ସେଠି ମୁଖ୍ୟମନ୍ତ୍ରୀ ଅମ୍ବାନୀଙ୍କୁ ଭେଟିଥିଲେ ଓ ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ। ମୁମ୍ବାଇ କନକ୍ଲେଭ ପରଠାରୁ ଗତ ଏକ ବର୍ଷ ମଧ୍ୟରେ ୨୦୧୮ ସମ୍ମେଳନକୁ ସଫଳ କରିବା ପାଇଁ ପ୍ରାଣପଣେ ଲାଗିପଡ଼ିଛନ୍ତି ସରକାର। ଦେଖିବାକୁ ଗଲେ ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ଯେଉଁ ରୋଡ ଶୋ ହୋଇଥିଲା ସେଗୁଡ଼ିକ ସେମି ଫାଇନାଲ ଥିଲା। ଏହି ସବୁ ସହରରେ ବିଭିନ୍ନ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ ଓଡ଼ିଶାରେ ପୁଞ୍ଜି ବିନିଯୋଗର ମୂଳଦୁଆ ପକାଯାଇଥିଲା।

ଓଡ଼ିଶାରେ ଯେଉଁ ଭିତ୍ତିଭୂମି ରହିଛି ତାହାର ପର୍ଯ୍ୟାପ୍ତ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଥିବା ବେଳେ ଏହି କନକ୍ଲେଭରୁ କିଛି ଫଳ ନିଶ୍ଚିତ ଭାବେ ବାହାରିବ ବୋଲି ସରକାରଙ୍କ ଆଶା ରହିଛି। କନକ୍ଲେଭରେ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଜିନ୍ଦଲ ଷ୍ଟିଲ ୱାର୍କସ୍, ଆଦିତ୍ୟ ବିର୍ଲା ଗ୍ରୁପ, ଟାଟା ଗ୍ରୁପର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା ହେବ।

ଗତ ଏକ ବର୍ଷ ମଧ୍ୟରେ ଯେତେ ସବୁ କମ୍ପାନି ସହିତ ଓଡ଼ିଶା ସରକାର ଆଲୋଚନା କରିଛନ୍ତି ସେଥିରୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭବ ବୋଲି କୁହାଯାଉଛି। ଏହି ସବୁ ପ୍ରକଳ୍ପ ଭିତରୁ ୬୫ ପ୍ରତିଶତ ପ୍ରକଳ୍ପରେ ଶତ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଦାବି କରିଛନ୍ତି।

ଅନ୍ୟ ଏକ ଖବର ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫୦ଟି ଷ୍ଟାର୍ଟ ଅପ ପଞ୍ଜିକୃତ ହୋଇସାରିଛି। ଏଣେ ବିଦେଶୀ ପୁଞ୍ଜି ଆସିବାର ସମ୍ଭାବନା ମଧ୍ୟ ଉଜ୍ଜ୍ୱଳ ହୋଇଛି। ଫ୍ରାନ୍ସ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି। ନବୀନ ପଟ୍ଟନାୟକ ଓ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକ ଜଣ୍ଡର ଜିଗଲରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ବେଳେ ଏ କଥା ଜଣାପଡ଼ିଛି। ହୋଟେଲ, ଷ୍ଟିଲ, ଇଲେକ୍ଟ୍ରୋନିକ୍ସ, ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଫ୍ରାନ୍ସର ବିଭିନ୍ନ କମ୍ପାନି ଆଗ୍ରହୀ ଥିବା ଇଣ୍ଡୋ-ଫ୍ରାନ୍ସ ଚ୍ୟାମ୍ବର ଅଫ କମର୍ସର ପ୍ରତିନିଧି ମଣ୍ଡଳୀ ସହିତ ଅନୁଷ୍ଠିତ ଅଲୋଚନାରୁ ସ୍ପଷ୍ଟ ହୋଇଛି।

ଆଲୁମିନିୟମ କ୍ଷେତ୍ରରେ ଓଡ଼ିଶାରେ ଯେଉଁ ଅନୁକୂଳ ପରିସ୍ଥିତି ରହିଛି ତାକୁ ଯଦି ଦେଖାଯାଏ, ଆଗାମୀ ଦିନରେ ଦକ୍ଷିଣ ଏସୀୟ ଦେଶମାନଙ୍କ ଆଲୁମିନିୟମ ରାଜଧାନୀ ହେବାକୁ ଯାଉଛି ଓଡ଼ିଶା। ଯେହେତୁ ଭାରତର ୫୪ ପ୍ରତିଶତ ଆଲୁମିନିୟମ ଓଡ଼ିଶାରେ ମିଳିଥାଏ, ପ୍ରତିରକ୍ଷା ଓ ଏରୋସ୍ପେସ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଠୋସ ନୀତି ଗ୍ରହଣ କରାଯାଇଛି।

ଇତି ମଧ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଭିଜନ-୨୦୩୦ରେ ଉଲ୍ଲେଖ ଥିବା ବଛା ବଛା କ୍ଷେତ୍ରଗୁଡ଼ିକୁ ପୁଞ୍ଜି ନିବେଶକାରୀଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି ଶିଳ୍ପ ବିଭାଗ।

Comment