ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ‘ମିଡ଼ିଆ ଓ ଏଣ୍ଟରଟେନମେଣ୍ଟ’ ପର୍ଯ୍ୟାୟରେ ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଯୋଗ ଦେବେ।

ଭୁବନେଶ୍ୱରର ଜନତା ମଇଦାନରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ଵିତୀୟ ସଂସ୍କରଣରେ ବିଶିଷ୍ଟ ଓଡ଼ିଶା ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଯୋଗ ଦେବାକୁ ଯାଉଛନ୍ତି। ବର୍ତ୍ତମାନ ଦୁବାଇରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଶା ଫିଲ୍ମ ନିର୍ମାତା ଅକ୍ଷୟ ପରିଜା। ହେଲେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ‘ମିଡ଼ିଆ ଓ ଏଣ୍ଟରଟେନମେଣ୍ଟ’ ପର୍ଯ୍ୟାୟରେ ଅକ୍ଷୟ ଜଣେ ଫିଲ୍ମ ବିଶାରଦ ରୂପେ ଯୋଗ ଦେବେ।

ଓଡ଼ିଆ ତଥା ହିନ୍ଦୀ ସିନେମା ଜଗତରେ ବିଶେଷ ସଫଳତା ହାସଲ କରିବା ପରେ ଅକ୍ଷୟ ପରିଜା ପ୍ରଡକ୍ସନ ବର୍ତ୍ତମାନ ବଙ୍ଗଳା ଫିଲ୍ମରେ ନିଜର ପାରଦର୍ଶିତା ଦେଖାଇବାକୁ ଯାଉଛନ୍ତି। ଏହି ଫିଲ୍ମର ନାମ ହେଉଛି ‘ବେଲା ସୁରୁ’। ଏହି ଫିଲ୍ମରେ ବିଶିଷ୍ଟ ବଙ୍ଗଳା ଫିଲ୍ମ ନିର୍ଦ୍ଦେଶକ ଶିବପ୍ରସାଦ ମୁଖାର୍ଜୀ ଓ ନନ୍ଦିତା ରାୟ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି।

ଅକ୍ଷୟ ପରିଜା ଓଲିଉଡରେ ଜିଅନ୍ତା ଭୂତ, ଥୁକୁଲ୍, କେହି ନୁହେଁ କାହାର ଭଳି ଅନେକ ଓଡ଼ିଆ ଫିଲ୍ମ ନିର୍ମାଣ କରିଛନ୍ତି। ସେହିପରି ବଲିଉଡରେ ଅକ୍ଷୟ କଡ଼ବି ହୱା, ହଲ୍‌କା ଭଳି ଉଲ୍ଲେଖନୀୟ ହିନ୍ଦୀ ଫିଲ୍ମ କରିଛନ୍ତି। ଯେଉଁପାଇଁ ତାଙ୍କୁ ୨ଟି ଜାତୀୟ ପୁରସ୍କାର, ୨୪ ଟି ରାଜ୍ୟ ପୁରସ୍କାର ଏବଂ ୬୨ରୁ ଅଧିକ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଅକ୍ଷୟ ପରିଜା କହିଛନ୍ତି,” ମୁଁ ସବୁବେଳେ କଳାତ୍ମକ ଏବଂ ସତ୍ୟ କାହାଣୀ ଉପରେ ଆଧାରିତ ଥିବା ସିନେମା ତିଆରି କରିବାକୁ ଚେଷ୍ଟା କରେ। ହେଲେ ମୁଁ କେତୋଟି କମରସିଆଲ ଓ ରି-ମେକ୍‌ ଫିଲ୍ମ ନିର୍ମାଣ କରିଛି। କିନ୍ତୁ ମୁଁ ଏପରି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛି, ଯେଉଁଥିପାଇଁ ମୁଁ ଆଗାମି ୧୦ ବର୍ଷ ଯାଏଁ ଗର୍ବ କରିବି। ଏଥିସହ ମୁଁ କେବେ ଅର୍ଥ ଉପାର୍ଜନ ପାଇଁ ସିନେମା ତିଆରି କରି ନାହିଁ।”

ଶେଷରେ ପରିଜା ତାଙ୍କ ବଙ୍ଗଳା ଫିଲ୍ମ ‘ବେଲା ସୁରୁ’ ପାଇଁ ଶିବପ୍ରସାଦ ମୁଖାର୍ଜୀ ଓ ନନ୍ଦିତା ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବଙ୍ଗଳା ଫିଲ୍ମ ‘ବେଲା ସୁରୁ’ ସମେତ ସେ ଆଗାମୀ ବର୍ଷରେ ୬ଟି ବଙ୍ଗଳା ଫିଲ୍ମ ନିର୍ମାଣ କରିବେ। ଯାହା ଯେକୌଣସି ଫିଲ୍ମ ନିର୍ମାତାଙ୍କ ପାଇଁ ଗର୍ବର ବିଷୟ।

Comment