ଓଡ଼ିଶାଲାଇଭ୍ ବ୍ୟୁରୋ

“ଆମ ଆକାଉଣ୍ଟରେ ଜମା ହୋଇଗଲା ୭ ଲକ୍ଷ ଟଙ୍କା। ଆମ ଜୀବନରେ କେବେ ବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେବେଳେ ବ୍ୟାଙ୍କ ଗଲୁ, ଆମକୁ ଏକ ବସ୍ତାରେ ଟଙ୍କା ଭର୍ତ୍ତି କରି ଧରାଇ ଦେଲେ। ହେଲେ ସେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ ମାଟି ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା। ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ପଇସାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। ଆମ ଟଙ୍କା ସୁରକ୍ଷିତ ରହିଲା।”

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଥିବା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାରୁ ଆସିଥିବା ଜଣେ ମହିଳା ଏମିତି ଏକ କାହାଣୀ ଶୁଣାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କଥା ଥିଲା  ସୁନ୍ଦରଗଡ଼ରୁ ଆସିଥିବା ଜଣେ ମହିଳା ଜୟନ୍ତୀ ଏକ୍କାଙ୍କର।

ବୁଧବାର ଯାଏଁ ଏହି ନାଁକୁ କେହି ଜାଣି ନଥିଲେ କିନ୍ତୁ ଏବେ ଓଡ଼ିଶାର ଘରେ ଘରେ ପରିଚିତ ଏହି ନାଁ। ‘ମେକ୍ ଇନ୍‌ ଓଡ଼ିଶା’ର ମହିଳା ଉଦ୍ୟୋଗ କର୍ମଶାଳାରେ ସୁନ୍ଦରଗଡ଼ରୁ ଆସିଥିବା ଏହି ମହିଳା ଜଣଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ସିଟ୍‌ରୁ ଉଠି ତାଳି ମାରିବାକୁ ବାଧ୍ୟ କରିଥିଲା। ପାଖାପାଖି ୨୦ ମିନଟ୍ ଧରି ଜୟନ୍ତୀ ନିଜ କାହାଣୀ କହିଥିବା ବେଳେ ନବୀନ ମଧ୍ୟ ବେଶ ଆଗ୍ରହର ସହ ଏହାକୁ ଶୁଣିଥିଲେ।

ଜୟନ୍ତୀଙ୍କ କେହି ପଦ କଥା ଆପଣଙ୍କୁ କାହାଣୀ ଲାଗିପାରେ। କଥାଟି ବି ଜଣେ ସାଧାରଣ ଗାଉଁଲି ମହିଳାର ଥିଲା। ହେଲେ ମହିଳାଜଣକ ଏହି କଥାଟାକୁ ଯେଉଁଠି ଉପସ୍ଥାପନ କରିଥିଲେ ତାହା ସାଧାରଣ ନ ଥିଲା । କେବେଳ ଏତିକି ନୁହେଁ, ଜଣେ ସାଧାରଣ ମହିଳା ହୋଇ ମଧ୍ୟ ଅନେକ ଲୋକଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି।

ସୁନ୍ଦରଗଡ଼ରେ ଏସ୍‌ଏସ୍‌ଜି ଆରମ୍ଭ ହେବ ସମୟରେ ଜୟନ୍ତୀଙ୍କର ରହିଥିଲା ପ୍ରମୁଖ ଭୂମିକା। ସେ ନିଜେ ଜଣେ ଦିବ୍ୟାଙ୍ଗ କିନ୍ତୁ ତାଙ୍କ ଶାରୀରିକ ଅକ୍ଷମତା କେବେ ତାଙ୍କ କାମରେ ବାଧା ସୃଷ୍ଟି କରିନାହିଁ। ଏଥିସହ ତାଙ୍କ ମନବଳକୁ କେବେ ଭାଙ୍ଗି ପାରିନାହିଁ। ନିଜର ସଂଘର୍ଷପୂର୍ଣ୍ଣ କାହାଣୀ ଭିତରେ ଜୟନ୍ତୀ ଏମିତି କିଛି କଥା କହିଥିଲେ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ହସିଥିଲେ।

ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ବସିଥିବା ସଭାରେ ଆଇଏଏସ ଅଫିସରଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୫ ମିନିଟରୁ କମ୍‌ ସମୟ ମଧ୍ୟରେ ଭାଷଣ ଶେଷ କରୁଥିବାର ଦେଖିବାକୁ ମିଳିଥାଏ। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବ୍‌ କମ ସମୟ ମଧ୍ୟରେ ନିଜର ଭାଷଣ ସାରିଥାନ୍ତି।

କିନ୍ତୁ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ମିଶନ ଶକ୍ତିର ମାସ୍କଟ ସାଜି ଉଭା ହୋଇଥିଲେ ମଫସଲ ଗାଁରୁ ଆସିଥିବା ଜୟନ୍ତୀ ଏକ୍କା। ପାଖାପାଖି ୨୦ ମିନିଟ୍ ଧରି ଜୟନ୍ତୀ କହି ଚାଲିଥିଲେ ମିଶନ ଶକ୍ତି ଦ୍ୱାରା ସେ ପାଇଥିବା ସଫଳତାର ପୂରା କାହାଣୀ। ମୁଖ୍ୟମନ୍ତ୍ରୀ ମଧ୍ୟ ବେଶ୍ ଆରାମରେ ଜୟନ୍ତୀଙ୍କ କଥା ଶୁଣି ଚାଲିଥିଲେ।

Comment