ଓଡ଼ିଶାଲାଇଭ୍ ବ୍ୟୁରୋ

 

ବହୁ ଦିନର ବ୍ୟବଧାନ ପରେ ପୁଣିଥରେ କଟକ ମହାନଦୀ ପୋଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଇଁଷି ସହ ଧକ୍କା ଖାଇ ଏକ ଯାତ୍ରୀବାହୀ ବସ୍‌ ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ପାଇଁ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି।

ମିଳିଲା ମୃତକଙ୍କ ପରିଚୟ

ଦୁର୍ଘଟଣାଗ୍ରସ୍ତ ବସ୍‌ଟି ତାଳଚେରରୁ କଟକ ଅଭିମୁଖେ ଆସୁଥିଲା। ବସ୍‌ରେ ପ୍ରାୟ ୬୦-୭୦ ଜଣ ଯାତ୍ରୀ ଥିବା ସୂଚନା ମିଳିଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ୭ଜଣ ପୁରୁଷ ୩ ଜଣ ମହିଳା ଥିଲେ। ମୃତକମାନେ ହେଲେ ମିନତି ବେହେରା, ଅନିତା ଆଚାର୍ଯ୍ୟ, ପି.କେ. ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ବର୍ଷା ପାଣି, କଟକ କିଶନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହୁରା ଓ ବାଲେଶ୍ୱର ଖନ୍ତାପଡ଼ାର ମାନସ ତ୍ରିପାଠୀ। ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିନାହିଁ।

ଗୁରୁତର ହୋଇଥିବା ଯାତ୍ରୀ

ଏଥିସହ ୫୦ଜଣ ଯାତ୍ରୀର ଗୁରୁତର ଅବସ୍ଥାରେ ଏସସିବି (ଶ୍ରୀରାମଚନ୍ଦ୍ର ଭଞ୍ଜ)ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯାତ୍ରୀ ମଧ୍ୟରୁ ୩୯ ୱାର୍ଡ଼ରେ ଥିବାବେଳେ ୭ଜଣକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଅଧିକାଂଶ ଯାତ୍ରୀଙ୍କର ଗୋଡ଼, ମୁଣ୍ଡ, ହାତ, ପିଠିରେ ଆଘାତ ଲାଗିଛି। ଏଥିସହ ଆହତମାନେ ହେଲେ କଟକ ମେହେନ୍ଦୀପୁରର ସୀମା ବିବି(୬୨), ସୀତାକାନ୍ତ ମହାରଣା(୩୫), ମର୍କତନଗରର ରଶ୍ମୀରେଖା ବେହେରା (୨୯), ମଧୁପାଟଣାର ସର୍ବେଶ୍ୱର ସାହୁ(୪୭), ନିବେଦିତା ନନ୍ଦ, ମଙ୍ଗଳାବାଗର ମନୋଜ ଛଲାନି, ଲାଲବାଗର ମୁସ୍ତାକିନ୍‌ ଖାନ୍‌(୪୧), ନିଆଳିର ରଶ୍ମିରଞ୍ଜନ ଦାସ, ଭୁବନେଶ୍ୱରର ସ୍ୱସ୍ତି ସୌରଭ ବେହେରା(୨୪), ଅଶୋକନଗରର ଲୁସି ମହାନ୍ତି(୨୬), ଚନ୍ଦ୍ରଶେଖରପୁରର ସରସ୍ୱତୀ ବେହେରା(୫୨), ନୟାପଲ୍ଲୀର ମାନସ ରଞ୍ଜନ ଆଇଚ(୪୦), ଖଣ୍ଡଗିରିର ପ୍ରସନ୍ନ କୁମାର ଦାସ ଓ ପ୍ରଦ୍ୟୁମ୍ନ କୁମାର ସାହୁ(୩୬), ଖୋର୍ଦ୍ଧା ବୋଲଗଡ଼ର ବିଜୟ କୁମାର ରଥ(୫୩), ନମିତାରାଣୀ ରଥ, ବାଲୁଗାଁର ମଧୁସ୍ମିତା ତରାଇ(୨୮), ବାଲିଅନ୍ତାର କୃତ୍ତିବାସ ମହାନ୍ତି(୩୮), ପୁରୀର ଉମାକାନ୍ତ ଭଟ୍ଟ, କୋଣାର୍କର ଲିପିଶ୍ରୀ ଲିପିକା (୨୧),  ଢେଙ୍କାନାଳର ପଦ୍ମନାଭ ପରିଡ଼ା(୪୦), ଢେଙ୍କାନାଳ ବେଗୁନିଆପାଳର ଖଗେଶ୍ୱର ମୁଦୁଲି(୫୦), ପରଜଙ୍ଗର ଲକ୍ଷ୍ମୀଧର ନାୟକ (୨୭), କାମାକ୍ଷାନଗରର ଗୁରୁପ୍ରସାଦ ପ୍ରଧାନ(୪୦),  ଗଁଦିଆର ଉପେନ୍ଦ୍ର କୁମାର ସାହୁ(୪୩), ଅନୁଗୋଳର ସେକ୍‌ ସୈଫୁଲା(୧୪), ଏନ୍‌ଟିପିସି ଟାଉନ୍‌ର ପ୍ରତାପ ଚନ୍ଦ୍ର ସାହୁ(୩୯), ତାଳଚେରର ବିଜୟଲକ୍ଷ୍ମୀ ବେହେରା(୩୦) ଓ ସେକ୍‌ ମୁସ୍ତାଫା(୩୮), ନୟାଗଡ଼ ଗୋଡ଼ିପଡ଼ାର ଭାଗୀରଥି ପ୍ରଧାନ(୪୮), ରଣପୁରର ସ୍ବାଗରିକା ଜଗଦ୍ଦେବ(୩୫), ଜଗତ୍‌ସିଂହପୁରର ସତ୍ୟଜିତ୍‌ ସାହୁ(୩୭), ଯାଜପୁର ମିର୍ଜାପୁରର ସିପନ୍‌ ନାଥ(୧୫), ଯୋକଡ଼ିଆର ଅଜୟ ସ୍ୱାଇଁ(୪୦), ବରୀ ରାମଚନ୍ଦ୍ରପୁରର ଜଗଦୀଶ ମଲ୍ଲିକ(୩୪),  ସମ୍ବଲପୁର କୁଚିଣ୍ଡାର ବିନତି ମହାନ୍ତି, ବାଲେଶ୍ୱର ସିମୁଳିଆର ନିରଞ୍ଜନ ଜେନା(୩୦),  ଗଞ୍ଜାମ ଜିଲ୍ଲା ଜରଡ଼ାର ଲକ୍ଷ୍ମୀମା ପାତ୍ର, ବେଲଗୁଣ୍ଠାର ରାଜେନ୍ଦ୍ର ନାୟକ(୩୨),  ମୟୂରଭଞ୍ଜ ଉଦଳାର ସୁଗି(୩୫), କେନ୍ଦୁଝର ଧକୋଠାର ଆଦିତ୍ୟ କୁମାର ସାହୁ(୮), ରାଜଲକ୍ଷ୍ମୀ ସାହୁ(୩୦), ଆନନ୍ଦପୁରର ଜନ୍ମେଜୟ ସାହୁ(୨୮), ରାଉରକେଲାର ଜ୍ୟୋତିରେଖା ଦାସ(୩୧), ପଶ୍ଚିମବଙ୍ଗ ଚବିଶପ୍ରଗଣାର ଜୟ ଦେବନାଥ(୩୫) ଓ ପୂର୍ବ ମେଦିନାପୁରର ସେକ୍‌ ଜଲାଲ(୨୨)।

ସେହି ଅଶୁଭ ମଙ୍ଗଳବାର ସନ୍ଧ୍ୟା

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୩୦ରେ ଏହି ଦୁଃଖଦ ଘଟଣା ଘଟିଥିଲା। ତାଳଚେର ବଲଣ୍ଡାରୁ କଟକ ଆସୁଥିବା “ଜଗନ୍ନାଥ’ (ଓଡି୦୩୫ଏ୦୨୧୧) ନାମକ ଏକ ଯାତ୍ରବାହୀ ବସ୍ ଜଗତପୁର-ଶିଖରପୁର ମହାନଦୀ ପୋଲ ଅତିକ୍ରମ କରୁଥିଲା। ପୋଲ ମଝିରେ ଏକ ମଇଁଷିକୁ ଧକ୍କା ଦେଇ ବସ୍‌ଟି ଭାରସାମ୍ୟ ହରାଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ପୋଲର ବାଡ଼ ଭାଙ୍ଗି ସିଧା ନଦୀ ବାଲିରେ ପଡ଼ିଥିଲା।

ଫଳରେ ଅନେକ ଯାତ୍ରୀ ବସ୍‌ରୁ ଛିଟ୍‌କି ହୋଇ ବାଲିରେ ପଡ଼ିଥିଲେ। ଅନ୍ୟ ଯାତ୍ରୀ ବସ୍‌ରେ ଚାପି ହୋଇ ରହିଥିଲେ। ଘଟଣାର ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ଯଥା ଅଗ୍ନିଶମ ବିଭାଗ, ସ୍ଥାନୀୟ ପୋଲିସ ଓ ଓଡ୍ରାଫ ଟିମ୍ ପହଞ୍ଚିଥିଲେ। ମହାନଦୀ ମଝିରେ ବସ୍‌ଟି ପଡ଼ିଥିବାରୁ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରପ୍ତ ହୋଇଥିଲା। ନଦୀର ଉଭୟ ପଟେ ପାଣି ଥିବାରୁ ଲୋକମାନଙ୍କୁ ବୋଟ ସାହଯ୍ୟରେ ଉଦ୍ଧାର କରାଯାଇଥିଲା।

 

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣାର ଖବର ପାଇ ପୋଲ ଉପରେ ଲୋକଙ୍କ ଭିଡ଼ ଲାଗିଥିଲା। ଯାହାଫଳରେ ପୋଲ ଉପରେ ରାସ୍ତାଜାମ ହୋଇ ଯାଇଥିଲା। ଏଥିସହ ଦୁର୍ଘଟଣା ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଏସ୍‌ସିବିରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ଏହି ଘଟଣାକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି।

Comment