ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ-କାଶ୍ମୀର ନୂଆ ସରକାର ଗଠନ ନେଇ ପୁଣି ରାଜନୀତି ସରଗରମ ହୋଇଛି। ଆସନ୍ତା ଡିସେମ୍ବର ୧୯ରେ  ରାଜ୍ୟପାଳ ଶାସନ ଅବଧି ପୂରଣ ହେଉଛି। ଏହାପରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ସମ୍ଭାବନା ରହିଛି। ରାଜ୍ୟପାଳ ମଧ୍ୟ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଶାସନ ସତ୍ୱେ ବିଧାନସଭା ଭଙ୍ଗ ହେବ ନାହିଁ।

ଏହାକୁ ନଜରରେ ରଖି ସରକାର ଗଠନ ନେଇ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି। ପିଡିପି-କଂଗ୍ରେସ ମେଣ୍ଟ ସରକାର ଗଠବନ୍ଧନ ନେଇ ଜୋଡତୋଡ ଆରମ୍ଭ ହୋଇଯାଇଛି।  ଏହାକୁ ମଧ୍ୟ ଏନସି ସମର୍ଥନ ଦେଉଥିବାର ଚର୍ଚ୍ଚା ହେଉଛି। ପୂର୍ବରୁ ଉଭୟ ଦଳ ଏକାଠି ୨୦୦୨ରୁ ୨୦୦୭ ଯାଏଁ ସରକାର ଗଠନ କରିଛନ୍ତି।

ଗଣମାଧ୍ୟମକୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, “ଏହି ପ୍ରସ୍ତାବ ଅନୁସାରେ ଦୁଇ ଦଳ ସହ ଆଲୋଚନା ହୋଇଛି। ଯଦି ଆମେ ଏକାଠି ହୋଇପାରିବା ତାହାଲେ ସରକାର ଗଠନ ସମ୍ଭବ ହେବ।“

ଅନ୍ୟପଟେ ମେଣ୍ଟରେ ସାମିଲ ହେବାକୁ ଇଚ୍ଛା ନଥିବା ଏନସି ସୂତ୍ରରୁ ଜଣାପଡ଼ିଛି, କିନ୍ତୁ ପିଡିପି-କଂଗ୍ରେସକୁ ବାହାରୁ ସମର୍ଥନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ଏନସି କହିଛି।

ବିଜେପି ନେତା କହିଲେ ପାକ୍ ପ୍ରାୟୋଜିତ

ଅନ୍ୟପଟେ ଜାମ୍ମୁ-କାଶ୍ମୀର ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବୀନ୍ଦ୍ର ଗୁପ୍ତା ଏନସି-କଂଗ୍ରେସ ମେଣ୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ବିଜେପିକୁ ସରକାର ଗଠନରୁ ଦୂରେଇବା ପାଇଁ ଦୁବାଇରୁ ଷଡ଼ଯନ୍ତ୍ର ରଚାଯାଉଥିବା କହିବା ସହ ଏହା ପାକିସ୍ତାନ ପ୍ରାୟୋଜିତ କହିଛିନ୍ତି କବୀନ୍ଦ୍ର।  ଯଦି ତିନି ଦଳ ରାଜ୍ୟରେ ସରକାର ଗଠନ କରନ୍ତି ଏହା ଲୋକଙ୍କ ସହ ବିଶ୍ୱାସଘାତକତା ହେବ କହିଛନ୍ତି କବୀନ୍ଦ୍ର।

ଦିଲ୍ଲୀରେ କାଶ୍ମୀର ନେତା

କଂଗ୍ରେସର ପ୍ରଭାରୀ ମହାସଚିବ ଅମ୍ବିକା ସୋନୀ କାଶ୍ମୀର ପ୍ରଦେଶ ଅଧ୍ୟକ୍ଷ ଏବଂ ବିଧାୟକ ଦଳ ନେତୃତ୍ୱଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି। ଏହି ପ୍ୟାନେଲ ଟିମ୍ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସହ ଆଲୋଚନା କରିବେ। ଆସନ୍ତା ୨୩ରେ ଜାମ୍ମୁ-କାଶ୍ମୀରର ୫୦ ନେତାଙ୍କୁ ନେଇ ଦିଲ୍ଲୀରେ ବୈଠକ କରିବେ ଅମ୍ବିକା ସୋନୀ।

ଜାମ୍ମୁ-କାଶ୍ମୀରର ବିଧାନସଭା ସ୍ଥିତି

ଜାମ୍ମୁ-କାଶ୍ମୀରର ମୋଟ୍ ବିଧାନସଭା ଆସନ ସଂଖ୍ୟା ୮୭।  ବହୁମତ ପାଇଁ ୪୪ଟି ସିଟ୍ ଆବଶ୍ୟକ। ଏଭଳି ସ୍ଥିତିରେ ପିଡିପିର ୨୮, ଏନସି ୧୫ ତଥା କଂଗ୍ରେସ ପାଖରେ ୧୨ ବିଧାୟକ ଅଛନ୍ତି। ଯଦି ତିନି ଦଳ ଏକାଠି ହୁଅନ୍ତି ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୪୪କୁ ସହଜରେ ହାସଲ କରିପାରିବେ। ବିଜେପି ନିକଟରେ ୨୫ ବିଧାୟକ ଆସନ ଥିବାବେଳେ ଅନ୍ୟାନ୍ୟ ୭ଟି ରହିଛି।

LEAVE A REPLY

Please enter your comment!
Please enter your name here