ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁ ଅଧିକାର ସମ୍ପର୍କିତ ‘କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସଂଗ୍ରାମକେଶରୀ ସାହୁଙ୍କ ‘ଗୁଡ୍ଡି’ ପ୍ରଥମ ପୁରସ୍କାର ହାସଲ କରିଛି। ଏହା ଥିଲା କଲ୍ଲୋଳ ୨୦୧୮ର ଚତୁର୍ଥ ସଂସ୍କରଣ। ଚଳିତବର୍ଷ ବିଷୟବସ୍ତୁ ରଖାଯାଇଥିଲା ‘ନିରାପଦ ଜଳ ପ୍ରତ୍ୟେକ ଶିଶୁର ଅଧିକାର’।

ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ହୋଟେଲ ଏଚ୍‌ଏଚ୍‌ଆଇରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଆଇନାର ସମ୍ପାଦକ ସ୍ନେହ ମିଶ୍ର ଏହାର ଅଧ୍ୟକ୍ଷତା କରିଥିଲେ। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ବିଶିଷ୍ଟ ଅଭିନେତା କୁନା ତ୍ରିପାଠୀ, ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ  ୟୁନିସେଫ୍ ଓଡ଼ିଶା ବିଭାଗୀୟ ଅଧିକାରୀ ଓ ନ୍ୟୁଟ୍ରିସନ୍ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୁନା ତ୍ରିପାଠୀ କହିଥିଲେ,“ଶିଶୁ ଅଧିକାର ନେଇ ଆଇନା ଓ ୟୁନିସେଫ୍ ଦ୍ୱାରା ଆୟୋଜିତ କଲ୍ଲୋଳର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଖୁବ୍ ପ୍ରଶଂସନୀୟ। ଶିଶୁ ସମ୍ପର୍କିତ ଚଳଚ୍ଚିତ୍ରକୁ ପ୍ରତିଟି ବ୍ୟକ୍ତି ଦେଖିବା ଉଚିତ୍।”

ସେ ଆହୁରି ମଧ୍ୟ କହିଥିଲେ ଯେ, ନିରାପଦ ଜଳ ପାଇବା ପ୍ରତ୍ୟେକ ଶିଶୁର ଅଧିକାର। ଶିଶୁ ଜୀବନର ପ୍ରତିଟି କ୍ଷେତ୍ରରେ ଜଳର ମଧ୍ୟ ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ  ଦିଲ୍ଲୀପ ତିର୍କୀ କହିଥିଲେ “ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ କଲ୍ଲୋଳ ଏକ ପ୍ଲାଟଫର୍ମ ନୁହେଁ ବରଂ ଶିଶୁ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ଜ୍ଞାନର ଏକ କେନ୍ଦ୍ର।”

ଆଇନାର ସମ୍ପାଦକ ସ୍ନେହ ମିଶ୍ର କହିଥିଲେ, “ଚଳିତବର୍ଷ ୫୩ଟି କ୍ଷୁଦ୍ର ଚଳଚ୍ଚିତ୍ର ବିଚାର ପାଇଁ ପହଞ୍ଚିଥିଲା। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ଶିଶୁ ଅଧିକାର ପ୍ରତି ବ୍ୟକ୍ତିବିଶେଷ ଓ ଚିତ୍ର ନିର୍ମାତାମାନେ ସଚେତନ ହେଲେଣି ଯାହାକି ଏକ ଶୁଭ ସଙ୍କେତ।”

ପ୍ରତିଯୋଗିତାରେ ଭାଗ ନେଇଥିବା ୫୩ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ସଂଗ୍ରାମକେଶରୀ ସାହୁଙ୍କ ‘ଗୁଡ୍ଡି’ ପ୍ରଥମ ପୁରସ୍କାର ଲାଭ କରିଥବା ବେଳେ ଋିତ୍ୱିକ ଦାସଙ୍କ ‘ଜଳ ଓ ଭବିଷ୍ୟ’ ଦ୍ୱିତୀୟ ପୁରସ୍କାର ଏବଂ ଅବିନାଶ କୁମାର ପ୍ରଧାନଙ୍କ ‘ୱାଟର ବୟ’ ତୃତୀୟ ପୁରସ୍କାର ହାସଲ କରିଥିଲା। ଜୁରି ଚଏସ୍ ପୁରସ୍କାର ଲାଭ କରିଛି ପ୍ରଦୀପ କୁମାର ଜେନାଙ୍କ “ଚୁମକୀ ଏବଂ ଜୁରୀ ମଣ୍ଡଳଙ୍କ ଦ୍ୱାରା ରାମ ପଟ୍ଟନାୟକ, ଶତାବ୍ଦୀ ମହାନ୍ତି ଏବଂ ଶ୍ୱେତସ୍ୱିନୀ ବେହେରାଙ୍କ ଦ୍ୱାରା ନିର୍ମିତ ଚିତ୍ର ‘ଇଟ ଇଜ୍ ଆୱାର ରେସପନ୍ସିବିଲିଟି’ ଶିଶୁ ଜୁରୀ ପୁରସ୍କାର ହାସଲ କରିଛି।

ଚଳିତବର୍ଷ ପ୍ରତିଯୋଗିତାର ବିଚାରକମାନେ ଥିଲେ କପିଳାସ ଭୂୟାଁ, ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ, ଚନ୍ଦ୍ରଭାନୁ ପଟ୍ଟନାୟକ, ଇଲିଆନା ସିତାରିଷ୍ଟ,  ଏସ୍.ଭି.ରମଣ ଏବଂ ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା। ଆଇନାର କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comment