ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି।

‘‘ଝିଅମାନଙ୍କର ୠତୁସ୍ରାବକୁ ନେଇ ସମସ୍ତଙ୍କ ପାଖରେ ସଂକୁଚିତ ମନୋଭାବ ରହିଛି। ଏବେ ବି ଯେତେବେଳେ ଘର ଭିତରେ ଗୋଟିଏ ଝିଅର ୠତୁସ୍ରାବ ବା ପିରିୟଡସ ହେଉଛି ସେମାନଙ୍କ ଉପରେ ଅନେକ କଟକଣା ଲଗାଯାଉଛି। ସେମାନେ ରୋଷେଇ ଘରକୁ ଯିବେ ନାହିଁ, ସେମାନେ ଠାକୁର ପୂଜା କରିବେନି, ପୁରୁଷଙ୍କ ମୁହଁ ଚାହିଁବେନି, ଏ ସବୁ କୁପ୍ରଥା ତାଙ୍କ ଉପରେ ଲଦି ଦିଆଯାଉଛି। ତେଣୁ ଯେଉଁ ପର୍ଯ୍ୟନ୍ତ ଏସବୁ କୁପ୍ରଥା ନଉଠିଛି ସେଯାଏଁ ପରିଚ୍ଛନତା ଆସିବ ନାହିଁ। ପିରିୟଡସ ବେଳେ ସ୍ୱଚ୍ଛତା ନରହିଲେ ମହିଳାମାନଙ୍କଠାରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି। ତେଣୁ ଏ ଦିଗରେ ସଚେତନତା ବାଣ୍ଟିବା ପାଇଁ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯିବା ନିହାତି ଆବଶ୍ୟକ’’, କହିଛନ୍ତି ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର।

କୋଭିଡ ସମୟରେ ସଚେତନତା ବାଣ୍ଟିବା ପାଇଁ ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡ଼ିଶାଲାଇଭ୍‌ ଏବଂ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ଜୀବନଶୈଳୀ ପ୍ଲାଟଫର୍ମ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି କ୍ୟାମ୍ପେନକୁ ସହଯୋଗ କରୁଛନ୍ତି ‘ୟୁନିସେଫ୍‌’। ଅଭିଯାନର ନଲେଜ୍ ପାର୍ଟନର ରହିଛି ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ।  ମେ‘ ୨୮ ବିଶ୍ୱ ୠତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଏହି ଅଭିଯାନରେ ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର ସାମିଲ ହୋଇ ୠତୁସ୍ରାବ ସ୍ୱଚ୍ଛତା ଦିବସ ଉପରେ ମହିଳା ଓ କିଶୋରୀମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

ପିରିୟଡ୍ସ ସମ୍ବନ୍ଧରେ ଖୋଲି କରି କଥା ହେବାର ଆବଶ୍ୟକତା ଅଛି

‘‘ପିରିୟଡସକୁ ନେଇ ଯେଉଁ ସଙ୍କୁଚିତ ମନୋଭାବ ରହିଛି ତାକୁ ଦୂରେଇବା ଆବଶ୍ୟକ। ଝିଅମାନେ ପିରିୟଡ୍ସ ହେଲେ ଯେ, ଏ ବିଷୟରେ ଜାଣିବେ ତାହା ଜରୁରୀ ନୁହେଁ। ଝିଅମାନଙ୍କୁ ତା’ପୂର୍ବରୁ ଏ ବିଷୟରେ କହିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସେମାନେ ହଠାତ୍ ପିରିୟଡ୍ସ ହେଲେ ଡରି ଯିବେନି। ସେମାନେ ପିରିୟଡସ ହେଲେ ଆଉ ଲାଜ କରିବେନି’’, କହିଛନ୍ତି ସ୍ନେହ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ବି ମହିଳା ଅଛନ୍ତି ଯେଉଁମାନେ ପିରିୟଡସ ବେଳେ ଭାବନ୍ତି ଯେ ଆମ ଶରୀରରୁ ଅପରିଷ୍କାର ରକ୍ତ ବାହାରି ଯାଉଛି। କିନ୍ତୁ ପିରିୟଡ୍ସ ସହିତ ପରିଷ୍କାର ରକ୍ତ, ଅପରିଷ୍କାର ରକ୍ତର କିଛି ସମ୍ପର୍କ ନାହିଁ।

ପିରିୟଡସ୍ ସମୟରେ ସ୍ୱଚ୍ଛତା ପରିଚାଳନା ଜରୁରୀ

ପିରିୟଡ୍ସ ସମୟରେ ଯଦି ଆମେ ସ୍ୱଚ୍ଛତା ପରିଚାଳନା ନକରନ୍ତି ତେବେ ତାହା ଆମକୁ ଏକ ଜଟିଳ ରୋଗରେ ପକାଇପାରେ। ପୂର୍ବରୁ ମହିଳାମାନେ କପଡ଼ା ବ୍ୟବହାର କରୁଥିଲେ। ଏମିତିକି କେତେକ ମହିଳା ପିରିୟଡସକୁ ଅପବିତ୍ର ବୋଲି ଭାବନ୍ତି। କପଡ଼ାକୁ ଏଣେତେଣେ ରଖି ଦିଅନ୍ତି। ପୁଣି ଥରେ ତାକୁ ପର ମାସରେ ବ୍ୟବହାର କରନ୍ତି। ଯେହେତୁ କପଡ଼ା ଆମର ଏକ ସମ୍ବେଦନଶୀଳ ଅଙ୍ଗରେ ଲାଗି ରହୁଛି, ତାହା ଯଦି ଅପରିଷ୍କାର ହୋଇଥାଏ ତେବେ ନିଶ୍ଚୟ ଆମ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବ। ତେଣୁ ଆମକୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ତେଣୁ ପ୍ୟାଡ ବ୍ୟବହାର କରୁଥିଲେ ତାକୁ ୬ ଘଣ୍ଟାରେ ଥରେ ନିଶ୍ଚୟ ବଦଳାନ୍ତୁ। ପ୍ୟାଡ ପରିବର୍ତ୍ତନ କରିବା ପରେ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାସହିତ ବିଶୁଦ୍ଧ ପାଣିରେ ଯୌନିକୁ ମଧ୍ୟ ପରିଷ୍କାର ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ନେହ ମିଶ୍ର।

ପୁରୁଷମାନଙ୍କୁ ବି ପିରିୟଡସ୍ ବିଷୟରେ କହିବା ଦରକାର

‘‘ବର୍ତ୍ତମାନ ପର୍ଯ୍ୟନ୍ତ ଆମେମାନେ ପୁରୁଷମାନଙ୍କୁ ପିରିୟଡ୍ସ ସମ୍ବନ୍ଧୀୟ ଆଲୋଚନାରୁ ଦୂରେଇ ରଖିଛନ୍ତି। ପୁଅମାନଙ୍କ ସହିତ ଆମେମାନେ ଏ ସମ୍ପର୍କରେ ଖୋଲି କରି କଥା ହେଉନାହାନ୍ତି। ଯାହାଦ୍ୱାରା ପୁଆମାନେ ବି ଏ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତି। ଯଦି ସେମାନେ ଏ ବିଷୟରେ ଠିକ୍ ସୂଚନା ନ ପାଆନ୍ତି ତାହେଲେ ନିଶ୍ଚିତ ସେମାନେ ଭୁଲ କଥା ଶିଖିବେ। ତେଣୁ ପୁଅମାନଙ୍କୁ ବି ଏ ସମ୍ପର୍କରେ ଅବଗତ କରାଇବା ଆବଶ୍ୟକ। ତା’ଦ୍ୱାରା ସେମାନେ ମଧ୍ୟ ତାଙ୍କ ପରିବାର ହେଉ, ସାଙ୍ଗସାଥୀରେ ହେଉ ଯଦି କୌଣସି ଝିଅ ଏ ସମସ୍ୟା ଦେଇ ଗତି କରୁଥିବେ ତାଙ୍କୁ ସାହାଯ୍ୟ କରିପାରିବେ’’, କହିଛନ୍ତି ସ୍ନେହ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ପିରିୟଡ୍ସ ବା ୠତୁସ୍ରାବ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା। ତେଣୁ ଏହାକୁ ଏକ ଆହ୍ୱାନ ଭାବେ ନେବା କଥା ନୁହେଁ। ହଁ, ଯେଉଁ ମହିଳାମାନେ ଅଫିସ୍ ଯାଉଛନ୍ତି, ଯେଉଁମାନେ କ୍ରୀଡ଼ାବିତ୍ ଅଛନ୍ତି ସେମାନେ ପରିୟଡସ୍ ବେଳେ ଅସହଜ ଅନୁଭବ କରନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହିଁବି ଯେ, ସେମାନେ ନିଜକୁ ସବୁବେଳେ ପ୍ରସ୍ତୁତ ରଖନ୍ତୁ। ଯେଉଁ ଅଫିସ୍ରେ କାମ କରୁଛନ୍ତି, ବା ଯେଉଁଠାକୁ ଖେଳିବାକୁ ଯାଉଛନ୍ତି ସେଠାରେ ନିଜର ସବୁଧା ପାଇଁ ସବୁ ବ୍ୟବସ୍ଥା କରନ୍ତୁ। ଏମିତିକି ଅଫିସମାନଙ୍କରେ ମଧ୍ୟ ଝିଅମାନଙ୍କ ପାଇଁ ଏହି ସୁବିଧା କରିବା ଆବଶ୍ୟକ’’।

kete nua bata featured image

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍‌ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।

Comment