ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ ୨’
  • ନଲେଜ୍‌ ପାର୍ଟନର ରାଜ୍ୟ ସରକାରଙ୍କ ‘ମୋ କଲେଜ୍‌’ ଅଭିଯାନ
  • ଏଥରର ପ୍ରସଙ୍ଗ ଥିଲା ‘କୋଭିଡ୍‌ ବିରୋଧରେ ଏକାଠି ଲଢ଼ିବା’
  • କୋଭିଡ୍‌ ସଙ୍କଟ ବେଳେ ସଚେତନତା ଉପରେ ଗୁରୁତ୍ୱ
  • କରୋନା ସମୟରେ ଯୁବକଙ୍କ ଭୂମିକା
  • କରୋନା ଯୋଦ୍ଧାଙ୍କ ଅଙ୍ଗେନିଭା କାହାଣୀ

ସାରାବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼େଇ କରୁଛି। କୋଭିଡ୍‌-୧୯ ମହାମାରୀ ପାଇଁ ଜନଜୀବନ ପ୍ରଭାବିତ ହୋଇଛି। କିଏ ଜୀବିକା ହରାଇଛି ତ ଆଉ କିଏ ନୂଆ ଜୀବନ ଆରମ୍ଭ ପାଇଁ ବାଟ ଖୋଜୁଛି। ତେଣୁ କୋଭିଡ୍‌ ମହାମାରୀ ବେଳେ ସଚେତନତା ବାଣ୍ଟିବା ଓ କିଛି ପ୍ରେରଣାଦାୟକ କାହାଣୀକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ଆଧାରିତ ସ୍ୱାସ୍ଥ୍ୟ ପ୍ଲସ୍‌ ନେଟଓ୍ୱାର୍କ ଆଣିଛି ‘କେତେ ନୂଆବାଟ ସିଜିନ୍‌ ୨’। ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଏହାର ନଲେଜ ପାର୍ଟନର ରହିଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଡିଓ ସିରିଜ ରବିବାର ପ୍ରସାରିତ ହୋଇଛି। ଏଥର ପ୍ରସଙ୍ଗ ଥିଲା ‘କୋଭିଡ ବିରୋଧରେ ଏକାଠି ଲଢ଼ିବା’

ରବିବାର ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହି ଅଡିଓ ସିରିଜ ପ୍ରସାରିତ ହୋଇଛି। ସେହିପରି ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟ ପ୍ରସାରିତ ହୋଇଛି। ଏହାସହିତ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି।

ଅଡିଓ ସିରିଜର ପ୍ରଥମ ଅଧ୍ୟାୟରେ ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍, ‘ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, କୋଭିଡ ଯୋଦ୍ଧା ଶର୍ମିଷ୍ଠା ସୂତାର, ଓ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ କଳାହାଣ୍ଡିର ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲ, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କୁ ଶୁଣିଛନ୍ତି ଶ୍ରୋତା।

ୟୁନିସେଫ୍ ଓଡ଼ିଶା ମୁଖ୍ୟା ମୋନିକା ନେଲସନ

‘‘କୋଭିଡ୍‌ ୧୯ ପୁଣି ଥରେ ଆମ ସମସ୍ତଙ୍କ ଆଗରେ ବଡ଼ ସମସ୍ୟା ଠିଆ କରିଛି। ବିଶେଷକରି ଏହା ପିଲା ଓ ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି। ଦୀର୍ଘଦିନରୁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଅନେକ ଯୁବକ ଯୁବତୀ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ଅଛନ୍ତି। ତେଣୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଛି ’’, କାର୍ଯ୍ୟକ୍ରମରେ ଭାଗ ନେଇ କହିଥିଲେ ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ମୋନିକା ନେଲ୍‌ସନ୍‌।

‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ

‘‘ବର୍ତ୍ତମାନ ଆମେ ସମସ୍ତେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛେ ଏହି ସମୟରେ ସମସ୍ତଙ୍କୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବାକୁ ହେବ। ତା’ ସହିତ ଆମ ଜୀବନରେ କେତେ ଯେ ନୂଆ ବାଟ ଅଛି ତାକୁ ଖୋଜିବାକୁ ହେବ। ବିପଦ ଭିତରୁ ସମ୍ପଦକୁ ଖୋଜିବାକୁ ହେବ’’, କହିଥିଲେ ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର

ରାଜ୍ୟରେ ଏବେ କରୋନା ଜରୁରୀ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଏହି ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟରେ ଏବେ ଲକଡାଉନ୍‌, ସଟଡାଉନ୍‌, କଣ୍ଟେନମେଣ୍ଟ ଜୋନ୍‌ ଭଳି ପଦକ୍ଷେପ ନିଆଯାଉଛି। ଏହାଛଡ଼ା କରୋନାକୁ ମାତ୍‌ ଦେବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି କୋଭିଡ୍‌ ନିୟମର ପାଳନ। ତେଣୁ ‘କେତେ ନୂଆ ବାଟ ସିଜିନ୍‌ ୨’ ପ୍ରଥମ ଅଧ୍ୟାୟରେ ସାମିଲ ହୋଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ,‘‘ ରାଜ୍ୟରେ ଦ୍ୱିତୀୟ ଲହରୀ ସଂକ୍ରମଣ ସାଂଘାତିକ ହୋଇଛି। ଏହାକୁ ନଜରରେ ରଖି ପ୍ରତ୍ୟେକ ଜନସାଧାରଣ କୋଭିଡ ଉପଯୋଗୀ ନିୟମ ମାନନ୍ତୁ। ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଭିଡ଼ଠୁ ଦୂରେଇ ରହିବା’’।

sharmistha sutar
କିମ୍‌ସ ହସ୍ପିଟାଲର ଷ୍ଟାଫ୍‌ ନର୍ସ ଶର୍ମିଷ୍ଠା ସୂତାର

କରୋନା ମହାମାରୀ ଆସିବା ଦିନରୁ ମନରେ ଭୟ। କିନ୍ତୁ ତାହା କାରୋନା ଯୋଦ୍ଧାଙ୍କୁ କର୍ତ୍ତବ୍ୟରୁ ବିରତ କରାଇପାରିନି। ଏହି କୋଭିଡ ସମୟର ଅନୁଭୂତି ବର୍ଣ୍ଣନା କରି ଭୁବନେଶ୍ୱର କିମ୍‌ସ ହସ୍ପିଟାଲର ଜଣେ ଷ୍ଟାଫ୍‌ ନର୍ସ ଶର୍ମିଷ୍ଠା ସୂତାର କହିଥିଲେ, ‘‘ଯେଉଁ ସମୟରେ ରୋଗୀଙ୍କ ପାଖରେ ନିଜ ପରିବାର ଲୋକ, ନିଜ ସମ୍ପର୍କୀୟ ପାଖେ ପଶୁ ନାହାନ୍ତି। ସେଇଠି ଆମେ ସେମାନଙ୍କ ସେବା କରୁଛୁ। ସେମାନଙ୍କ ଚିକିତ୍ସା କରୁଛୁ। ସେମାନଙ୍କ ପାଖରେ କେହି ନାହାନ୍ତି ବୋଲି ଆମେ ତାଙ୍କୁ ଅନୁଭବ କରାଇ ଦେଉନୁ। ଏହାରି ଭିତରେ ବହୁତ ସହଯୋଗୀ କରୋନା ଆକ୍ରାନ୍ତ ହେଲେଣି। କିଛି ସହଯୋଗୀ କରୋନାରେ ଆଖି ମଧ୍ୟ ବୁଜିଛନ୍ତି। ଏହା ଗଭୀର ଆଘାତ ଦେଉଛି। ହେଲେ ଆମେ ଡରି ଯାଇନୁ। ଆମେ ଆମ କର୍ତ୍ତବ୍ୟ କରି ଚାଲିଛୁ’’।

padmabati patel
ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲ

ସେହିପରି ଏହି ଅଡିଓ ସିରିଜରେ ସାମିଲ ହୋଇଥିଲେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ କଳାହାଣ୍ଡିର ଜଣେ ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲ। କରୋନା ବେଳେ ସେମାନେ କିଭଳି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ‘‘ଆମେ ଲୋକଙ୍କୁ ମାସ୍କ ତିଆରି କରି ଦେଉଛୁ। ସେମାନେ କିଭଳି ସତର୍କ ରହିବେ ସେଥିପାଇଁ ସଚେତନ କରୁଛୁ। ପ୍ରବାସୀ ଶ୍ରମିକ ଆସିଲେ ସେମାନଙ୍କୁ ସାହାଯ୍ୟ କରୁଛୁ। ଏହାଛଡ଼ା ଲୋକେ କେମିତି ଟିକା ନେବା, କେମିତି ରେଜିଷ୍ଟ୍ରେସନ କରିବେ ସେ ସମ୍ପର୍କରେ ବି ଜଣାଉଛୁ’’।dr jayanta panda

ଏହାସହିତ ଏହି ଅଡିଓ ସିରିଜରେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କ ପରାମର୍ଶ ଥିଲା।। କୋଭିଡ୍‌ ଟିକା ନେବା କେତେ ଜରୁରୀ, ଏହା ଆମ ଶରୀର ଉପରେ କ’ଣ ପ୍ରଭାବ ପକାଉଛି ସେ ସମ୍ପର୍କରେ ସେ କହିଥିଲେ, ‘‘ ଟିକା ଆମ ଶରୀରରେ ଆଣ୍ଟିବଡି ତିଆରି କରୁଛି। ତେଣୁ ସମସ୍ତେ ଟିକା ନେବା ନିହାତି ଜରୁରୀ। ଟିକା ନେବା ପରେ ମଧ୍ୟ ଯେହେତୁ କରୋନା ଆକ୍ରାନ୍ତ ହେବାର ଆଶଙ୍କା ରହୁଛି ତେଣୁ କୋଭିଡ ନିୟମ ମାନିବା। ଏହାଦ୍ୱାରା ଆପଣ ସୁରକ୍ଷିତ ରହିପାରିବେ’’।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚିବ। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ।

ସେହିପରି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଭିଯାନ ଅଧୀନରେ ବିଭିନ୍ନ ବିଷୟ ଉପରେ ଆପଣ ବିଭିନ୍ନ ଟିଭି ଚ୍ୟାନେଲ ସହିତ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ଫେସବୁକ୍‌, ୟୁଟ୍ୟୁବ୍‌ ସମେତ ବିଭିନ୍ନ ସୋସିଆଲ ଚ୍ୟାନେଲରେ ଭିଡିଓ ମଧ୍ୟ ଦେଖାପାରିବେ।

Comment