ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’     
  • ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ

କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଏଥିରୁ ମୁକୁଳିବା ପାଇଁ ସମସ୍ତେ ନୂଆ ବାଟ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ପ୍ରଥମ ଅଧ୍ୟାୟରେ ଏଥରର ପ୍ରସଙ୍ଗ ରହିଛି ‘କୋଭିଡ୍‌ ବିରୋଧରେ ଏକାଠି ଲଢ଼ିବା’।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜ ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ ୧୦୪ ଏଫ୍‌ଏମରେ ପ୍ରସାରିତ ହେବ। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ପ୍ରସାରଣ କରାଯାଉଛି।

ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ’ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

ଅଡିଓ ସିରିଜର ପ୍ରଥମ ଅଧ୍ୟାୟରେ ସାମିଲ ହୋଇଛନ୍ତି ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍‌, ‘ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଏସ୍‌ସିବି ମେଡିକାଲ କଲେଜର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା, କୋଭିଡ ଯୋଦ୍ଧା ଶର୍ମିଷ୍ଠା ସୂତାର ଓ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ କଳାହାଣ୍ଡିର ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ରେଡିଓ ଧାରାବାହିକରେ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଫେସବୁକରେ ଭିଡିଓ ପୋଷ୍ଟ କରାଯିବ। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯିବ।

Comment