ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ସୁପରଷ୍ଟାର ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ରିଅଲ୍‌ ଲାଇଫ୍‌ ସମେତ ରିଲ୍‌ ଲାଇଫ୍ରେ ମଧ୍ୟ ସୁପର ଡୁପରହିଟ୍‌ ଯୋଡ଼ି। ହେଲେ ଏହି ଯୋଡ଼ିକୁ ଅନେକ ଦିନରୁ ବଡ଼ ପରଦାରେ ଦେଖିନାହାନ୍ତି ଦର୍ଶକେ।

ଓଲିଉଡ ସୁପରଷ୍ଟାର ଅନୁଭବ ଓ ଓଲିଉଡ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦର୍ଶକ ଶେଷଥର ଲାଗି ଏକାଠି ୨୦୧୫ର ସିନେମା ‘ଗପ ହେଲେ ବି ସତ’ରେ ଦେଖିଥିଲେ। ଏହାପରେ ଅନୁଭବଙ୍କୁ ଜଗା ହାତରେ ପଘା, ବେବି, ଅଗସ୍ତ୍ୟ, ଅଭୟ, କାବୁଲା ବାରବୁଲା ଓ ପ୍ରେମ କୁମାର ଆଦି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ଅନୁଭବ ଉପରୋକ୍ତ ସିନେମାରେ କିନ୍ତୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିନଥିଲା। ‘ଜଗା ହାତରେ ପଘା’ରେ ଏଲିନା ସାମନ୍ତରାୟ ଓ ଝିଲିକ୍‌, ‘ବେବି ଓ ‘ଅଗସ୍ତ୍ୟ’ରେ ଝିଲିକ୍‌, ‘ଅଭୟ’ ଓ ‘କାବୁଲା’ରେ ଏଲିନା, ‘ପ୍ରେମ କୁମାର’ରେ ଶିବାନୀ ଓ ତମନ୍ନା ପ୍ରମୁଖ ନାୟିକା ଭୂମିକା ନିଭାଇଥିଲେ।

‘ଗପ ହେଲେ ବି ସତ’ ପରେ ବର୍ଷା ବି କେତୋଟି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଏହି ସିନେମା ମଧ୍ୟରେ ରହିଛି ‘ରୋମିଓ ଜୁଲିଅଟ୍‌’ ଏବଂ ‘ଛାତି ତଳେ ଡିଂଡଙ୍ଗ୍‌’। ତା’ଛଡ଼ା ସେ ଅନ୍ୟ ଏକ ସିନେମା ‘ନିମକି’ରେ ବି ଆସିବାକୁ ପ୍ରସ୍ତୁତ ହେଉଛନ୍ତି।

ଏସବୁ ଫିଲ୍ମରେ କିନ୍ତୁ ବର୍ଷା ପ୍ରିୟଦର୍ଶିନୀଙ୍କ ନାୟକ ଭୂମିକାରେ ଅନୁଭବଙ୍କୁ ଦେଖିବାକୁ ପାଇନାହାନ୍ତି ଦର୍ଶକ। ‘ରୋମିଓ ଜୁଲିଅଟ୍‌’ ଫିଲ୍ମରେ ଅରିନ୍ଦମ୍‌ଙ୍କ ବିପକ୍ଷରେ କାମ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ଅନ୍ୟପକ୍ଷରେ ‘ଛାତି ତଳେ ଡିଂଡଙ୍ଗ୍‌’ ସିନେମାରେ ସବ୍ୟସାଚୀ ଓ ସମ୍ବିତ ଥିଲେ ନାୟକ ଭୂମିକାରେ।

ଅର୍ଥାତ୍‌ ପ୍ରାୟ ତିନି ବର୍ଷ ହେବ ଅନୁଭବ-ବର୍ଷାଙ୍କ ଯୋଡ଼ି ପରଦାକୁ ଆସିନାହାନ୍ତି। ପୁଣି କେବେ ଏହି ଯୋଡ଼ି ଏକାଠି ବଡ଼ପରଦାରେ ନଜର ଆସିବେ, ତାହା ଏକ ବଡ଼ ପ୍ରଶ୍ନ।

ଅନୁଭବ ଓ ବର୍ଷା ପରସ୍ପରର ସାଥି ପାଇବା ପାଇଁ ବି କିଛି ବର୍ଷ ଅପେକ୍ଷା କରିଥିଲେ। କାରଣ ଦୁହେଁ ପ୍ରଥମ ସିନେମାରେ ପରସ୍ପରର ସାଥି ପାଇ ନଥିଲେ। ଅନୁଭବଙ୍କ ପ୍ରଥମ ସିନେମା ଥିଲା ୨୦୦୪ରେ ରିଲିଜ୍‌ ହୋଇଥିବା ‘ଆଇ ଲଭ୍‌ ୟୁ’। ଏଥିରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ସେ। ଏହି ସିନେମାରେ ଅନୁଭବଙ୍କ ନାୟିକା ବନିଥିଲେ ନମ୍ରତା ଥାପ୍ପା।

ଅନ୍ୟପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ ୨୦୦୩ରେ ମୁକ୍ତିଲାଭ ହୋଇଥିଲା। ଏହି ଫିଲ୍ମରେ ବର୍ଷାଙ୍କ ନାୟକ ଥିଲେ ସୂରଜ କୁମାର। ଗୋଟିଏ କଥା ଅବଶ୍ୟ ଏକ ସଂଯୋଗ ଯେ ଉଭୟ ଅନୁଭବ ଓ ବର୍ଷାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ସୁପରହିଟ୍‌ ହୋଇଥିଲା।

ଅନୁଭବ-ବର୍ଷା ଯୋଡ଼ିକୁ ନେଇ ଯେତେ ସବୁ ଫିଲ୍ମ ନିର୍ମିତ ହୋଇଛି, ତାହା ହିଟ୍‌ ହେଉକି ଫ୍ଲପ୍‌ ଏହା ଭିନ୍ନ କଥା। କିନ୍ତୁ ଏହି ଯୋଡ଼ିକୁ ଦର୍ଶକ ଅଧିକାଂଶ ଥର ପସନ୍ଦ କରିଛନ୍ତି ଓ ଏବେ ବି ଓଲିଉଡର ଲୋକପ୍ରିୟ ଯୋଡ଼ି ତାଲିକାରେ ରହିଛନ୍ତି ଅନୁଭବ ବର୍ଷା ପ୍ରିୟଦର୍ଶିନୀ।

ଅନୁଭବ-ବର୍ଷା ଯୋଡ଼ିଙ୍କର ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ଥ୍ୟାଙ୍କ୍‌ ୟୁ ଭଗବାନ, ମେଣ୍ଟାଲ୍‌, କେହି ଜଣେ ଭଲ ଲାଗେରେ, ହାତ ଧରି ଚାଲୁଥା, ନେଇ ଯା’ରେ ମେଘ ମତେ, ସୁନା ଚଢ଼େଇ ମୋ’ ରୂପା ଚଢ଼େଇ, କିଏ ସେ ଡାକୁଚି କୋଉଠି ମତେ, ମୋ’ ଦୁନିଆଁ ତୁହି ତୁ, ସମଥିଙ୍ଗ୍‌ ସମ୍‌ଥିଙ୍ଗ୍‌, ଗପ ହେଲେ ବି ସତ ଏବଂ ଆମ ଭିତରେ କିଛି ଅଛି ଇତ୍ୟାଦି।

Comment