ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ୱକପରେ ଶନିବାର ପୁଲ୍ ସିର ଅନ୍ତିମ ମୁକାବିଲା ହେବ। ସଂଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍ ବେଲଜିୟମ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ରାତି ୭ଟାରେ କାନାଡା ଓ ଭାରତ ମଧ୍ୟରେ ଲଢ଼େଇ ହେବ। ଅନ୍ତିମ ମ୍ୟାଚରେ କାନାଡାକୁ ହରାଇ ଭାରତର ପୁରୁଷ ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିବାକୁ ଓହ୍ଲାଇବ।

ବିଶ୍ୱ ତାଲିକାର ପଞ୍ଚମ ସ୍ଥାନରେ ଥିବା ଭାରତ ପୁଲ୍-ସିରେ ଚାରି ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି। ବେଲଜିୟମ ମଧ୍ୟ ଚାରି ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଗୋଲ ଅନ୍ତର ଅଧିକ ରହିଛି। ଭାରତର ଗୋଲ୍ ଆଭରେଜ ଯୁକ୍ତ ପାଞ୍ଚ ଥିବାବେଳେ ବେଲଜିୟମର ଯୁକ୍ତ ଏକ ରହିଛି। କାନାଡା ଏବଂ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରୁ ଗୋଟିଏ ଲେଖାଁଏ ପଏଣ୍ଟ ପାଇଛନ୍ତି। କିନ୍ତୁ ଗୋଲ ଅନ୍ତର କାରଣରୁ କାନାଡା ତୃତୀୟ ସ୍ଥାନରେ ରହିଛି।

ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ହରାଇଥିବାବେଳେ ବେଲଜିୟମ ସହ ୨-୨ରେ ଡ୍ର ରହିଥିଲା। କାନାଡାକୁ ବେଲଜିୟମ ୨-୧ ଗୋଲରେ ହରାଇଛି ଏବଂ କାନାଡା ଦକ୍ଷିଣ ଆଫ୍ରିକା ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିଛି। ପୁଲରେ ଏବେ ବି ସମସ୍ତ ଦଳ ପାଇଁ କବାଟ ଖୋଲା ରହିଛି। ଭାରତୀୟ ଟିମ୍ ମ୍ୟାଚ୍ ଜିତି ସିଧାସଳଖ କ୍ୱାର୍ଟର ଫାଇନାଲ ଲକ୍ଷ୍ୟରେ ରହିବ। ଅନ୍ୟପଟେ ତୃତୀୟ ସ୍ଥାନରେ ଥିବା ଟିମ୍ ଦ୍ୱିତୀୟ ପୁଲର ଦ୍ୱିତୀୟ-ତୃତୀୟ ଟିମ୍ ସହ କ୍ରସଓଭର ଖେଳିବେ, ଯାହାଦ୍ୱାରା କ୍ୱାର୍ଟର ଫାଇନାଲ କିଏ ଖେଳିବ ସ୍ଥିର ହେବ।

ଭାରତର ପଲା ଭାରି

ରେକର୍ଡ ଏବଂ ଫର୍ମ ଦେଖିଲେ ଭାରତର ପଲା ଭାରି ରହିଛି କିନ୍ତୁ ଗୁରୁବାର ମ୍ୟାଚ ଦେଖିଲେ ବିଶ୍ୱର ୨୦ତମ ସ୍ଥାନରେ ଥିବା ଫ୍ରାନ୍ସ ଅଲିମ୍ପିକ୍ ଚମ୍ପିଆନ୍ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ୨୦୧୬ରେ ରିଓ ଅଲିମ୍ପିକରେ ପୁଲ୍ ମ୍ୟାଚ୍ କଥା ଭାରତ କେବେ ବି ଭୁଲିବ ନାହିଁ। କାନାଡା ପଛରେ ଥିବା ସତ୍ୱେ ମ୍ୟାଚକୁ ଫେରି ଡ୍ର ରଖିଥିଲା। ଏହାଛଡ଼ା ଲଣ୍ଡନରେ ଖେଳାଯାଇଥିବା ବିଶ୍ୱ ଲିଗ ସେମିଫାଇନାଲରେ କାନାଡା ଭାରତକୁ ୩-୨ ଗୋଲରେ ହରାଇ ପଞ୍ଚମ ସ୍ଥାନ ଅଧିକାର କରିଥିଲା। ୨୦୧୩ରୁ କାନାଡା ବିରୋଧରେ ଭାରତ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳିଛି। ସେଥିରୁ ତିନିଟିରେ ବିଜୟ ଲାଭ କରିଥିବାବେଳେ ଗୋଟିଏରେ ହାରିଛି, ଅନ୍ୟଟି ଡ୍ର ରହିଛି।

Comment