ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ

ଆସନ୍ତା ୨୪ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ଜନ ସମ୍ବାଦ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ବିଶାଳ ସମାବେଶର ଆୟୋଜନ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି।

୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଝଟକା ଖାଇବା ପରେ ଆସୁଛନ୍ତି ମୋଦି। ମୋଦି ଓ ଶାହାଙ୍କ ଫୋକସରେ ଓଡ଼ିଶା ଥିବାରୁ, ଏହା ଗୁରୁତ୍ୱ ବହନ କରୁଛି। ୪ବର୍ଷ ଭିତରେ ଓଡିଶା ପାଇଁ କେନ୍ଦ୍ର ସରକାର କଣ କରିଛନ୍ତି ତା’ର ହିସାବ ବି ରଖିପାରନ୍ତି ମୋଦି। ରୋଜଗାର, ଆତ୍ମନିର୍ଭରଶୀଳତାର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବା କୁହାଯାଉଛି ।

ଏହାଛଡ଼ା  ଗତ ସେପ୍ଟେମ୍ବରରେ ତାଳଚେର ଓ ଝାରସୁଗୁଡା ସମାବେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ମୋଦି ନବୀନଙ୍କୁ ଶାଣିତ ଆକ୍ରମଣ କରିଥିଲେ। ତେବେ ୩ ହିନ୍ଦୀଭାଷୀ ରାଜ୍ୟରେ ଦଳର ପରାଜୟ ପରେ ନବୀନଙ୍କ ପ୍ରତି ସେହି ଆଭିମୁଖ୍ୟ ରହିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ୧୪ହଜାର ୫ଶହ ୨୩ କୋଟି ଟଙ୍କାର ପ୍ୟାକେଜ ନେଇ ଓଡିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିସହିତ ମୋଦି ସରକାରଙ୍କ ସମୟରେ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ କରାଯିବ।

Comment