ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ପେଟ୍ରୋଲରୁ ଟିକସ ଏବଂ ଡିଲର କମିସନ୍ ହଟାଇ ଦିଆଯାଏ ତାହାଲେ ଗ୍ରାହକମାନେ ପାଖାପାଖି ଅଧା ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ କିଣିବାରେ ସୁଯୋଗ ପାଇ ପାରନ୍ତେ। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୪ ଟଙ୍କା ୪ ପଇସାରେ ଏବଂ ଡିଜେଲ ୩୮ ଟଙ୍କା ୬୭ ପଇସାରେ ମିଳିପାରନ୍ତା। ଲୋକସଭାରେ ପେଟ୍ରୋଲିୟମ ଉତ୍ପାଦନର ମୂଲ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏପରି କହିଛନ୍ତିା
ପେଟ୍ରୋଲ ଓ ଡିଜେଲ ଦର ଉପରେ ଟିକସ ଓ ଡିଲର କମିସନର ପ୍ରଭାବ ଯଥାକ୍ରମେ ୯୬.୯ ପ୍ରତିଶତ ଏବଂ ୬୦.୩ ପ୍ରତିଶତ ରହିଛି। ଏକ ଲିଟର ପେଟ୍ରୋଲରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କର ଅଂଶ ୧୭ ଟଙ୍କା ୯୮ ପଇସା ଥିବାବେଳେ ଭାଟ୍ର ଅଂଶ ୧୫ ଟଙ୍କା ୨ ପଇସା ଏବଂ ୩ ଟଙ୍କା ୫୯ ପଇସା ଡିଲର କମିସନ ରହିଥାଏ।
ସେହିଭଳି ଡିଜେଲରେ ଟିକସ ପୂର୍ବ ମୂଲ୍ୟ ୩୮ ଟଙ୍କା ୬୭ ପଇସା ଥିବାବେଳେ କେନ୍ଦ୍ର ସରକାର ଏହା ଉପରୁ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ବାବଦରେ ୧୩ ଟଙ୍କା ୮୩ ପଇସା, ରାଜ୍ୟ ସରକାର ଭାଟ୍ ବାବଦରେ ୯ ଟଙ୍କା ୫୧ ପଇସା, ଡିଲରମାନେ ସେମାନଙ୍କ କମିସନ ବାବଦରେ ୨ ଟଙ୍କା ୫୩ ପଇସା ଆଦାୟ କରୁଛନ୍ତି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ବାବଦରେ ପେଟ୍ରୋଲରୁ ୭୩,୫୧୬.୮ କୋଟି ଏବଂ ଡିଜେଲରୁ ୧.୫ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ତେବେ ଗତ ଅକ୍ଟୋବରରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ କେନ୍ଦ୍ର ସରକାର ପ୍ରାୟ ୭ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିବ ବୋଲି କହିଛନ୍ତି। ମନ୍ତ୍ରୀଙ୍କ ଏହି ପ୍ରତିକ୍ରୀୟା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ଆସୁଛି


















