ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କୁହାଯାଏ ରାଜନୀତିରେ କେତେବେଳେ କ’ଣ ହେବ ସେ କଥା କହିବା କଷ୍ଟ। କିଏ ଆଗକୁ ତ କିଏ ପଛକୁ। ୨୦୧୯ ନିର୍ବାଚନ ଆଉ ଅଳ୍ପ ସମୟ ଥିବା ବେଳେ ଓ ପ୍ରାୟ ସବୁ ଦଳ ଏଥିପାଇଁ  ପ୍ରସ୍ତୁତ ହେଉଥିବା ବେଳେ ଏଥର ମୁଖ୍ୟ ଲଢ଼େଇ ଶାସକ ବିଜେଡି ଓ ବିଜେପି ମଧ୍ୟରେ ହେବା ଏକରକମ ସ୍ପଷ୍ଟ।

ଏବେ ଏବେ  କରାଯାଇଥିବା ଏକ ଓପିନିଅନ ପୋଲରୁ ଜଣାପଡ଼ିଛି ଯେ ଏଥର  ଲୋକସଭା ନିର୍ବାଚନରେ ବିଜେପି ଉତ୍ତମ ପ୍ରଦର୍ଶନ କରିବ ଓ ବିଜେଡି ଅଧିକାଂଶ ସ୍ଥାନରେ ପରାଜୟ ସ୍ୱୀକାର କରିବ। ଅନ୍ୟ ଅର୍ଥରେ, ୨୦୧୯ରେ  ବିଜେପି ୨୦୧୪ର ବଦଲା ନେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନରେ ମୋଦି ଲହର ସତ୍ତ୍ୱେ ଓଡ଼ିଶାରେ ନବୀନ ପଟ୍ଟନାୟକ ହିଁ ପ୍ରକୃତ ନାୟକ ସାଜିଥିଲେ। ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୨୦ଟି ଜିତି ଏକରକମ ମୋଦି ହାୱାକୁ ସେ ପରାହତ କରିପାରିଥିଲେ। କିନ୍ତୁ ଏଥର ତାହା ହେବ ନାହିଁ ଯାହାକି ନିଶ୍ଚିତ ଭାବରେ ବିଜେଡିକୁ ଝଟକା ଦେବା ଭଳି ଖବର।

ଆନନ୍ଦ ବଜାର ପତ୍ରିକା-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ବିଜେଡିକୁ ଭାରି କ୍ଷତି ସହିବାକୁ ପଡ଼ିବ। ୨୦୧୪ରେ ଯେତେବେଳେ ସମଗ୍ର ଦେଶରେ ମୋଦିଙ୍କ ସପକ୍ଷରେ ଭୋଟ ପଡ଼ିଥିଲା ଏହି ହାୱା କିନ୍ତୁ ଓଡ଼ିଶାରେ କାମ ଦେଇନଥିଲା। ୨୧ ଲୋକସଭା ଆସନ ମଧ୍ୟରୁ ୨୦ଟି ଆସନରେ ବିଜେଡି ପ୍ରାର୍ଥୀମାନେ ଜିତି ବିଜେପିକୁ ମାତ୍ ଦେଇଥିଲେ।

୨୦୧୮ ମତାମତ ସଂଗ୍ରହ ଅନୁସାରେ ବିଜେପି ପାଇଁ ଅଚ୍ଛେ ଦିନ ଆସୁଛି ଓ ଦଳକୁ ଓଡ଼ିଶାରେ ପୂରା ଫାଇଦା ହେବ। ବିଜେପି ପ୍ରାର୍ଥୀମାନେ ୨୧ଟି ମଧ୍ୟରୁ ୧୫ଟି ଆସନରେ ବିଜୟୀ ହେବେ ବୋଲି ଏହି ସର୍ଭେ କହୁଛି। ଫଳରେ ବିଜେଡିକୁ କେବଳ ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ଏହି ସର୍ଭେରୁ ଜଣାପଡୁଛି ଯେ ହିନ୍ଦୀ ରାଜ୍ୟମାନଙ୍କରେ ବିଜେପିକୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ସେହି ସ୍ଥିତିରେ କେନ୍ଦ୍ରରେ ସରକାର ଗଠନ ପାଇଁ ଯେଉଁ ମ୍ୟାଜିକ୍ ସଂଖ୍ୟା ଦରକାର ପଡ଼ିବ, ଓଡ଼ିଶା ଭଳି ରାଜ୍ୟରୁ ତାହା ଭରଣା କରାଯିବ। ନଭେମ୍ବର ଶେଷ ସପ୍ତାହରୁ ଡିସେମ୍ବର ତୃତୀୟ ସପ୍ତାହ ମଧ୍ୟରେ ଏବି ସର୍ଭେ କରାଯାଇଥିଲା।

Comment