ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବଶୀଘ୍ର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ। ତିନି ରାଜ୍ୟରେ ଶୋଚନୀୟ ପରାଜୟ ଏବଂ ଆଗକୁ ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଚାଷୀମାନଙ୍କୁ ଖୁସି କରିବା ଯୋଜନାରେ ଅଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି।

ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କୃଷିମନ୍ତ୍ରୀ ରାଧା ମୋହନ ସିଂହ ଉପସ୍ଥିତ ଥିଲେ। ପାଖାପାଖି ପ୍ରାୟ ଅଢ଼େଇ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। କୃଷକଙ୍କ ଲାଗି ଅନେକ ଯୋଜନା ସମ୍ପର୍କରେ ଆଲୋଚନା ହେବା ସହ ଖୁବ୍ ଶୀଘ୍ର ମୋଦି ସରକାର ଏକ ବଡ଼ ପ୍ୟାକେଜ୍ ଘୋଷଣା କରିପାରନ୍ତି।

ଯେଉଁଥିରେ ଚାଷୀମାନଙ୍କ ଲାଗି କୃଷି ଋଣଛାଡ଼ ମଧ୍ୟ ରହିପାରେ। ସେହିପରି ଫସଲର ଦାମ୍ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବା ଏବଂ ଚାଷୀ ହିତକର ଯୋଜନା ଘୋଷଣା କରାଯିବା ନେଇ ବିଚାର କରାଯାଉଛି। ନିକଟରେ ନିର୍ବାଚନ ଜିତିବା ପରେ କଂଗ୍ରେସ ସରକାର ତିନି ରାଜ୍ୟରେ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର କୃଷିଋଣ ଛାଡ଼ କରିଛନ୍ତି।

ଏହା ପରେ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଋଣ ଛାଡ଼ କରିବା ନେଇ ଚାପ ପଡ଼ି ଆସୁଛି। ତିନି ରାଜ୍ୟରେ ଶକ୍ତ ଝଟକା ଖାଇବା ପରେ କେନ୍ଦ୍ର ସରକାର ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ପ୍ୟାକେଜ ଘୋଷଣା କରିପାରନ୍ତି। କାରଣ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାଷ ଏବଂ ଚାଷୀ ପ୍ରସଙ୍ଗକୁ ଫୋକସରେ ରଖିପାରନ୍ତି ମୋଦି ସରକାର।

LEAVE A REPLY

Please enter your comment!
Please enter your name here