ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱଚ୍ଛ ଭାରତଠାରୁ ଆରମ୍ଭ କରି ସୁସ୍ଥ ଭାରତ ପର୍ଯ୍ୟନ୍ତ, କଶ୍ମୀରଠାରୁ ଆରମ୍ଭ କରି ନାଗରିକତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ବଡ଼ ପଦକ୍ଷେପ ନେଇ ଚର୍ଚ୍ଚିତ ହୋଇଛନ୍ତି। ଏଭଳି କିଛି ବିବାଦୀୟ ପ୍ରସଙ୍ଗର ନିଷ୍ପତ୍ତି ଦଶନ୍ଧି ଦଶନ୍ଧି ଧରି ଝୁଲି ରହିଥିବା ବେଳେ ମୋଦୀ ସରକାର ତାହାର ଅନ୍ତ କରିଛନ୍ତି। ସେହିଭଳି ସରକାରୀ ଯୋଜନାରେ ମଧ୍ୟ ଅନେକ ବଡ଼ ଉପଲବ୍ଧି ଦେଇଛନ୍ତି ମୋଦୀ।

ଜମ୍ମୁ କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିଲା

ଦୀର୍ଘ ୭୦ ବର୍ଷ ଧରି ଅନୁଚ୍ଛେଦ ୩୭୦ରେ ଫସି ରହିଥିବା ଜମ୍ମୁ କଶ୍ମୀରକୁ ଗତ ବର୍ଷ ଅଗଷ୍ଟ ୫ରେ ମୁକ୍ତ କରିଥିଲେ ମୋଦୀ ସରକାର। ଏହାସହ ଜମ୍ମୁ କଶ୍ମୀରରେ ଦେଶର ସବୁ ପ୍ରକାର ନିୟମ ଲାଗୁ ହେଲା, ଯାହା ବିଗତ ୭୦ ବର୍ଷ ଧରି ହୋଇପାରୁ ନ ଥିଲା। ସେଠାରେ ପ୍ରଚଳିତ ଥିବା ପୃଥକ୍ ପତାକା ହଟାଇ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ିଲା। ସେଠାକାର ଲୋକେ କେନ୍ଦ୍ର ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଫାଇଦା ନେଇପାରିଲେ।

ନାଗରିକତା ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି

ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ମାତ୍ର ୭ ମାସ ଭିତରେ ଡିସେମ୍ବର ୧୧ରେ ସଂସଦରେ ନାଗରିକତା ସଂଶୋଧନ ବିଲ୍ ଆଗତ କରିଥିଲେ, ଯାହା ଆଇନରେ ପରିଣତ ହୋଇସାରିଛି। ନାଗରିକତା ସଂଶୋଧନ ଆଇନ ଅନୁସାରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ଥାନରେ ଥିବା ସଂଖ୍ୟାଲଘୁଙ୍କୁ ଭାରତରେ ନାଗରିକତା ଅଧିକାର ମିଳିଲା। ଉପରୋକ୍ତ ଦେଶଗୁଡ଼ିକରେ ବର୍ଷ ବର୍ଷ ଧରି ଶରଣାର୍ଥୀର ଜୀବନ କାଟୁଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସି ଓ ଇସାଇ ସମ୍ପ୍ରଦାୟର ଲୋକଙ୍କୁ ଭାରତରେ ନାଗରିକତା ପ୍ରାପ୍ତ ହେଲା।

ଅଯୋଧ୍ୟା ବିବାଦର ଅନ୍ତ ହେଲା

ଦେଶର ସବୁଠାରୁ ବଡ଼ ଆଇନଗତ ବିବାଦ ଅଯୋଧ୍ୟା ମାମଲାର ଅନ୍ତ ଘଟାଇ ଚର୍ଚ୍ଚାରେ ଥିଲେ ମୋଦୀ ସରକାର। ବର୍ଷ ବର୍ଷ ଧରି କୋର୍ଟର ବିଚାର ପ୍ରକ୍ରିୟା ଭିତରେ ଫସି ରହିଥିବା ଭଗବାନ ରାମଙ୍କୁ ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଲା। ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ କ୍ରମରେ ଅଯୋଧ୍ୟାରେ ରାମ ଜନ୍ମଭୂମିକୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ବୋଲି ଗ୍ରହଣ କରାଗଲା। ଏହି ରାୟ ପରେ ମୋଦୀ ସରକାର ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ କରିବା ସହ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ମଧ୍ୟ ଆରମ୍ଭ କଲେଣି।

ମୁସଲିମ୍‌ ମହିଳାଙ୍କୁ ତିନି ତଲାକରୁ ମୁକ୍ତି

ମୁସଲିମ୍‌ ମହିଳାମାନଙ୍କୁ ତିନି ତଲାକ ପ୍ରଥାରୁ ମୁକ୍ତି ଦେବା ମୋଦୀ ସରକାରଙ୍କ ଅନ୍ୟତମ ବଡ଼ ଉପଲବ୍ଧି। ତିନି ତଲାକ ଆଇନ ଅନୁସାରେ ଯଦି କେହି ମୁସଲିମ୍‌ ବ୍ୟକ୍ତି ମୌଖିକ, ଲିଖିତ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ନିଜ ପତ୍ନୀଙ୍କୁ ଗୋଟିଏ ଥରରେ ତିନି ଥର ତଲାକ ଦେଉଛନ୍ତି, ତେବେ ତାହାକୁ ଅପରାଧ ବୋଲି ଧରାଯିବ। ପୂର୍ବରୁ ତିନି ତଲାକ ଡର ଭିତରେ ଜିଉଁଥିବା ମୁସଲିମ୍‌ ମହିଳାମାନେ ଏବେ ଆତ୍ମସମ୍ମାନର ସହ ଜୀବନ କାଟୁଛନ୍ତି।

ଆତଙ୍କବାଦ ପ୍ରତି ଜିରୋ ଟଲରେନ୍ସ ନୀତି

ଦେଶର ନିରାପତ୍ତା ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ଆତଙ୍କବାଦ ପ୍ରସଙ୍ଗରେ ଏହାକୁ ସହିବା ବଦଳରେ ମୁହଁତୋଡ଼ ଜବାବ ଦେବା ଶିଖାଇଲେ ମୋଦୀ ସରକାର। ୨୦୧୬ରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଏହାର ପ୍ରଥମ ଉଦାହରଣ ଥିଲା। ୨୦୧୯ରେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ପୁଣିଥରେ ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲରେନ୍ସ ନୀତି ପ୍ରଦର୍ଶନ କରିଥିଲେ ମୋଦୀ ସରକାର। ଗତବର୍ଷ ଅକ୍ଟୋବରରେ ପିଓକେରେ ଲଞ୍ଚ ପ୍ୟାଡ୍ ଧ୍ବଂସ କରି ଭାରତ ଏହି ନୂଆ ନୀତି ଦିଗରେ ନିଜର ଦୃଢ଼ତା ଦେଖାଇଥିଲା।

ଦେଶରେ ସ୍ବଚ୍ଛତା ଅଭିଯାନ

ମୋଦୀଙ୍କ ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଥିଲା ସ୍ୱଚ୍ଛ ଭାରତ ନିର୍ମାଣ। ନିଜ ପ୍ରଥମ ପ୍ରଧାନମନ୍ତ୍ରିତ୍ୱ କାଳରେ ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଦେଶ, ସହର, ଗାଁକୁ ସ୍ୱଚ୍ଛ କରିବା ପାଇଁ ବ୍ୟାପକ ମିଶନ କାର୍ଯ୍ୟକାରୀ ହେଲା। ଗାଁରେ ପାଇଖାନା ନିର୍ମାଣ ଓ ସହରରେ ପରିମଳ ପରିଚ୍ଛନ୍ନ ରଖାଯିବାକୁ ପ୍ରାଥମିକତା ଦେଇଥିଲେ ମୋଦୀ।

ଅନେକ ଯୋଜନା ପାଇଁ ଚର୍ଚ୍ଚାରେ ମୋଦୀ

ମୋଦୀ ଆହୁରି ଅନେକ ଯୋଜନା ପ୍ରଣୟନ କରି ଚର୍ଚ୍ଚାରେ ରହିବା ସହ ସେହି ସବୁ ଯୋଜନା ତାଙ୍କ ସରକାର ପାଇଁ ଭଲ ଉପଲବ୍ଧି ଦେଇପାରିଛି। ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ପାଇଁ ଜନ ଧନ ଯୋଜନା, ଯୁବପିଢ଼ି ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଇଣ୍ଡିଆ ମିଶନ, ଦେଶରେ ଉଦ୍ୟୋଗ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା କରିଛନ୍ତି।

ସେହିପରି ଝିଅମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ତରରେ ଆତ୍ମନିର୍ଭର କରିବା ପାଇଁ ବେଟି ବଚାଓ ବେଟି ପଢ଼ାଓ, ଶକ୍ତି ସଂଚୟ କରିବା ପାଇଁ କମ୍ ଦରରେ ଏଲ୍‌ଇଡି ବଲ୍‌ବ ବିତରଣ ପାଇଁ ଉଜାଲା ଯୋଜନା, ଅସଙ୍ଗଠିତ କ୍ଷେତ୍ରରେ ୧୮ରୁ ୪୦ ବର୍ଷ ବୟସର ଲୋକଙ୍କ ପାଇଁ ମାସିକ ଭତ୍ତା ଦେବା ପାଇଁ ଅଟନ ପେନସନ ଯୋଜନା, ଦେଶର ବଛା ବଛା ୧୦୦ଟି ସହରର ବିକାଶ ପାଇଁ ସ୍ମାର୍ଟ ସିଟି ଯୋଜନା, ସରକାରୀ ସେବାକୁ ଅନ୍‌ଲାଇନ୍‌ରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଡିଜିଟାଲ ଇଣ୍ଡିଆ ମିଶନ, ନୂଆ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଷ୍ଟାର୍ଟ ଅପ୍ ଇଣ୍ଡିଆ ପ୍ରଣୟନ କରି ଚର୍ଚ୍ଚାରେ ଥିଲେ ମୋଦୀ ସରକାର।

Comment