କମଳାକାନ୍ତ ପତି

ଧାରା ୩୭୦ ପୁନଃ ପ୍ରତିଷ୍ଠା, ବିଭାଜିତ ଜମ୍ମୁ-କଶ୍ମୀରକୁ ପୁନର୍ବାର ଏକତ୍ରିତ କରି ରାଜ୍ୟର ମାନ୍ୟତା ପ୍ରଦାନ, ପୂର୍ବ ପରି ଏହି ରାଜ୍ୟର ସ୍ୱାତନ୍ତ୍ର୍ୟ ବଜାୟ ରଖିବାର ଦାବି ଉଠିଛି। ଅହି-ନକୁଳ ସମ୍ପର୍କ ଏବେ କ୍ଷୀର-ନୀର ସମ୍ପର୍କରେ ପରିଣତ ହୋଇଛି। ପିପୁଲ୍ସ ଆଲାଏନ୍ସ ବା ଗଣମେଣ୍ଟ କରି ଆଗକୁ ବଢୁଛନ୍ତି ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା। ଏଥିସହ ହାତ ମିଶାଇବାକୁ ଆଗେଇ ଆସିଲାଣି ଅପ୍‌ନି ପାର୍ଟି। ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ଏହି ମେଣ୍ଟ।

ଧାରା ୩୭୦ ଉଚ୍ଛେଦ ସାହସିକ ପଦକ୍ଷେପ

ଭାରତ ଓ ଭାରତୀୟତାର ପରିଚୟ ଏହି ସ୍ୱାଧୀନ ଭୂଖଣ୍ଡରେ କେଉଁଠି ଅଟକି ଯାଇଥିଲା ବୋଲି ପ୍ରଶ୍ନ କରାଗଲେ ଉତ୍ତର ଆସୁଥିଲା ଜମ୍ମୁ-କଶ୍ମୀରରେ। ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଏହି ଉତ୍ତର ରାଜ୍ୟଟି ଏକ ଭିନ୍ନ ପରିଚୟ ନେଇ ରହିଥିଲା। ଯାହା ସମ୍ଭବ ହୋଇଥିଲା ସମ୍ବିଧାନର ଧାରା ୩୭୦ରେ ଉଲ୍ଲେଖ ଥିବା ଅବାଞ୍ଛିତ ବ୍ୟବସ୍ଥା ପାଇଁ। ଏତେଦିନ ଧରି ଯାହାକୁ ଉଚ୍ଛେଦ କରାଯାଇ ପାରୁ ନ ଥଲା, ତାହାକୁ ଗୋଟିଏ ଝଟ୍‌କାରେ ସମାପ୍ତ କରିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିରୋଧ, ସମାଲୋଚନାକୁ ଭ୍ରୁକ୍ଷେପ ନ କରି ମୋଦୀ ତାଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ୩୭୦ ଧାରା ଉଚ୍ଛେଦକୁ ଗ୍ରହଣ କରିଥିଲେ।

୨୦୧୯ ଅଗଷ୍ଟ ୫ରେ ଘୋଷଣା କରିଦିଆଗଲା ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ କଶ୍ମୀର ରାଜ୍ୟକୁ ବିଭାଜିତ କରି ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଦିଆଯିବାର ନିଷ୍ପତ୍ତି। ଅର୍ଥାତ୍ ସେହିଦିନଠାରୁ ଆକୁମାରୀ-ହିମାଚଳ ଭାରତ ଏକ। ଦେଶ ଭିତରେ ରହି ଭିନ୍ନ ଏକ ସାମ୍ବିଧାନିକ, ପ୍ରଶାସନିକ ବ୍ୟବସ୍ଥାରେ ପରିଚାଳିତ ହୋଇ ଆସୁଥିବା ଜମ୍ମୁ କଶ୍ମୀରକୁ ଦେଶରେ ପ୍ରଚଳିତ ବ୍ୟବସ୍ଥା ସହ ସାମିଲ କରିଦିଆଗଲା। ସେହି ବର୍ଷ ଶ୍ରୀନଗରର ଲାଲଚୌକରେ କଶ୍ମୀର ପତାକା ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା। ଜମ୍ମୁ କଶ୍ମୀର ରାଜ୍ୟରୁ ପୃଥକ୍ ହୋଇ ଲଦାଖ ପାଇଲା କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା। ଏହାକୁ ନିଶ୍ଚିତ ଭାବେ ମୋଦୀଙ୍କର ଏକ ସାହସିକ ପଦକ୍ଷେପ ବୋଲି କୁହାଯାଇପାରିବ।

ଆଇନ ଶୃଙ୍ଖଳା ପାଇଁ କଠୋର ପଦକ୍ଷେପ

ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟ ବିଭାଜନ କଶ୍ମୀରରେ ପ୍ରଚଣ୍ଡ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ। ପାକିସ୍ତାନ ପଟୁ ଏଥିପାଇଁ ବିଭିନ୍ନ ମାର୍ଗରେ ପ୍ରୋତ୍ସାହନ ମିଳିବ। ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା ରାଜରାସ୍ତାକୁ ଓହ୍ଲାଇଆସି ବିରୋଧ କରିବେ- ଏଭଳି ଆକଳନ ଯଥେଷ୍ଟ ପୂର୍ବରୁ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ। ତେଣୁ ଅତି ସନ୍ତର୍ପଣରେ ଆଗକୁ ବଢ଼ିଥିଲେ ଏହି ୩ ଜଣଙ୍କୁ ନେଇ ଗଠିତ ବାହିନୀ। ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟ ବିଭାଜନ ଘୋଷଣାର ଯଥେଷ୍ଟ ପୂର୍ବରୁ ଜମ୍ମୁ କଶ୍ମୀରକୁ ସେନା ଓ ପୋଲିସ ଛାଉଣୀରେ ପରିଣତ କରିଦିଆଯାଇଥିଲା।

ରାଜ୍ୟର ରାଜନେତାମାନଙ୍କୁ ସ୍ୱର ଉତ୍ତୋଳନର ସୁଯୋଗ ନ ଦେଇ ଗୃହବନ୍ଦୀ କରି ରଖିଦିଆଗଲା। ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରିଦିଆଗଲା। ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଆଳ ଦେଖାଇ ଅନ୍ୟ ରାଜ୍ୟର ଲୋକମାନଙ୍କୁ (ପର୍ଯ୍ୟଟକ) ତୁରନ୍ତ ଜମ୍ମୁ କଶ୍ମୀର ଛାଡ଼ି ଚାଲିଯିବାକୁ କୁହାଗଲା।

ରାଜ୍ୟରେ ଏକ ନିଶ୍ଚିନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ କେନ୍ଦ୍ର ସରକାର ଘୋଷଣା କରିଥିଲେ ଉପରୋକ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲାଙ୍କ ଭଳି ଅନେକ ନେତାଙ୍କୁ ଗୃହବନ୍ଦୀ କରି ରଖି ଦିଆଯାଇଥିଲା। ସମଗ୍ର ରାଜ୍ୟରେ କର୍ଫ୍ୟୁ ଜାରି କରିଦିଆଯାଇଥିଲା।

ଗୃହବନ୍ଦୀ ମୁକ୍ତି ପରେ ସକ୍ରିୟତା

ଜମ୍ମୁ କଶ୍ମୀରରେ ଦୀର୍ଘ ୬ ମାସ ପରେ ପରିସ୍ଥିତି କ୍ରମେ ସ୍ୱାଭାବିକ ହୋଇଥିଲା। ହଠାତ୍ ଏକ ବିରାଟ ପରିବର୍ତ୍ତନକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା କ୍ରମେ ଶାନ୍ତ ହୋଇଥିଲା। ପରିସ୍ଥିତିକୁ ନେଇ ପର୍ଯ୍ୟାୟକ୍ରମେ କର୍ଫ୍ୟୁ କୋହଳ ହୋଇଥିଲା। ଗୃହବନ୍ଦୀ ଥିବା ରାଜନେତାମାନେ ମଧ୍ୟ ମୁକ୍ତ ହୋଇଥିଲେ। ବେଶ୍‌ କିଛି ମାସ ପୂର୍ବରୁ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଗୃହବନ୍ଦୀରୁ ମୁକ୍ତ ହୋଇଥିଲେ ମଧ୍ୟ ନିକଟରେ ମୁକୁଳିଛନ୍ତି ମେହବୁବା ମୁଫ୍‌ତି। ମେହବୁବା ଗୃହବନ୍ଦୀ ମୁକ୍ତ ହେବା ପରେ ତାଙ୍କୁ ଭେଟିଥିଲେ କଶ୍ମୀର ରାଜନୀତିର ଦୁଇ ଅନ୍ୟତମ ପ୍ରମୁଖ ନେତା ଫାରୁକ ଏବଂ ଓମାର ଅବଦୁଲ୍ଲା।

ଏକଦା ବିଜେପି ସହ ମେଣ୍ଟ କରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବା ମେହବୁବାଙ୍କର ପରମ ଶତ୍ରୁ ଥିଲେ ନ୍ୟାସନାଲ କନଫରେନ୍ସ ନେତା ଓମାର ଓ ଫାରୁକ (ବାପା-ପୁଅ) ଅବଦୁଲ୍ଲା। ଏବେ ଶତ୍ରୁ (ବିଜେପି)ର ଶତ୍ରୁ (ନ୍ୟାସନାଲ କନଫରେନ୍ସ) ମିତ୍ର ନ୍ୟାୟରେ ପିଡିପି ନେତ୍ରୀ ମେହବୁବା ଏହି ବାପା-ପୁଅଙ୍କ ସହ ହାତ ମିଳାଇ ନେଇଛନ୍ତି। ଧାରା ୩୭୦ ପୁନଃ ପ୍ରଚଳନ ଏବଂ ଜମ୍ମୁ କଶ୍ମୀରକୁ ପୁନଃ ରାଜ୍ୟର ମାନ୍ୟତା ଦେବା ସକାଶେ ଏମାନେ ନୂଆ ମେଣ୍ଟ କରିଛନ୍ତି। ନାମ ରଖିଛନ୍ତି ‘ପିପୁଲନ୍ସ ଆଲାଏନ୍ସ’ ବା ଗଣମେଣ୍ଟ। ଏହି ମେଣ୍ଟ ଘୋଷଣା ହେବାର ଦୁଇଦିନ ପରେ ଅଲତାଫ୍ ବୁଖାରୀଙ୍କ ନେତୃତ୍ୱାଧୀନ ଅପ୍‌ନୀ ପାର୍ଟି ଏହାକୁ ସମର୍ଥନ କରିବା ସହ ଜମ୍ମୁ କଶ୍ମୀର ଏକତାର ଆହ୍ୱାନ ଦେଇଛନ୍ତି।

କାହା ସ୍ୱାର୍ଥରେ ଏକତା ଡାକରା

ପ୍ରଶ୍ନ ଉଠୁଛି ପିଡିପି-ଏନ୍‌ସି ନେତୃତ୍ୱାଧୀନ ପିପୁଲ୍ସ ଆଲାଏନ୍ସ ହେଉ କିମ୍ବା ଅପ୍‌ନୀ ପାର୍ଟିର ଏହି ଏକତା ଡାକରା କାହା ସ୍ୱାର୍ଥରେ? ଏକ ସ୍ୱାଧୀନ ରାଷ୍ଟ୍ର ଭିତରେ ପୃଥକ୍ ପରିଚୟ ନେଇ କାହିଁକି ବସବାସ କରିବେ କଶ୍ମୀର ଜନତା। ଦେଶ ଯେତେବେଳେ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ୱାଧୀନତା ଦିବସ ପାଳନ କରିବ, ସେତେବେଳେ ଜମ୍ମୁ କଶ୍ମୀରରେ କାହିଁକି ଉଡ଼ିବ ସେହି ରାଜ୍ୟର ପୃଥକ୍‌ ପତାକା? ସ୍ୱାଧୀନ ଭୂଖଣ୍ଡରେ ସମସ୍ତଙ୍କ ପାଇଁ ଲାଗୁ ହେଉଥିବା ସମାନ ଅଧିକାର ଜମ୍ମୁ କଶ୍ମୀରରେ କାର୍ଯ୍ୟକାରୀ ହେବନାହିଁ କାହିଁକି? ଅନ୍ୟ ରାଜ୍ୟର ଲୋକେ କଶ୍ମୀରରେ ଜାଗା କିଣି ରହିବାରେ କାହିଁକି ରହିବ ପ୍ରତିବନ୍ଧକ?

ଦେଶରେ ଜନମଙ୍ଗଳ ପାଇଁ ଲାଗୁ ହେଉଥିବା ବିଭିନ୍ନ ଯୋଜନାରୁ କଶ୍ମୀରବାସୀ ବଞ୍ଚିତ ହେବେ କାହିଁକି? ରାଜ୍ୟରେ ରାଜନୀତି କରିଆସୁଥିବା ଦଳଗୁଡ଼ିକ ମଧ୍ୟରୁ କେତେକ ପୁନର୍ବାର ପୂର୍ବ ଅବସ୍ଥାକୁ ଫେରିଯିବାକୁ ଚାହୁଁଛନ୍ତି କାହିଁକି? ବାସ୍ତବ କଥା ହେଉଛି ପିଡିପି ହେଉ କିମ୍ବା ଏନ୍‌ସି ଏମାନେ ରାଜାରାଜୁଡ଼ା ଅମଳର ପ୍ରଭୁତ୍ୱ ଚିନ୍ତାଧାରାରୁ ମୁକୁଳି ପାରିନାହାନ୍ତି। ଧାରା ୩୭୦ ଭଳି ଗୋଳିଆ ପାଣି ସେମାନଙ୍କୁ ସୁହାଉଥିଲା। ଯାହା ଫଳରେ ରାଜ୍ୟରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ଜନ୍ମ ନେଇଥିଲା।

ଏହାର ସୁଯୋଗ ନେଉଥିଲା ପଡ଼ୋଶୀ ପାକିସ୍ତାନ। ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟ ବିଭାଜନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେଉଁଭଳି ବିଚଳିତ ହେଲେ, କଶ୍ମୀରରେ ମାନବାଧିକାର ଉଲ୍ଲଂଘନର ଆଳ ଦେଖାଇ ଜାତିସଂଘ କଥା ଉଠାଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଏନ୍‌ସି, ପିଡିପି, ଅପ୍‌ନୀ ପାର୍ଟି ଭଳି ଦଳର ନେତାମାନେ ସେହି ପଥ ଅନୁସରଣ କରୁଛନ୍ତି। ଭାରତ ଏକ, ଅଖଣ୍ଡ- ଏହି ଚିନ୍ତାଧାରାରେ ମେହବୁବା, ଫାରୁକ, ଓମାରଙ୍କ ଭଳି ନେତା ସମ୍ଭବତଃ କାର୍ଯ୍ୟ କରୁନାହାନ୍ତି। ଏବେ ସେମାନଙ୍କ ଅସଲ ଚେହେରାର ପରିପ୍ରକାଶ ଘଟୁଛି।

କେନ୍ଦ୍ରକୁ ଅପ୍‌ନୀ ପାର୍ଟିର ଧୋକା

ଧାରା ୩୭୦କୁ ନେଇ ରାଜନୀତିଠାରୁ ଜମ୍ମୁ କଶ୍ମୀର ଲୋକଙ୍କୁ ଦୂରେଇରଖିବା ସକାଶେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆଶୀର୍ବାଦରୁ ଗଢ଼ାଯାଇଥିଲା ଅପ୍‌ନୀ ପାର୍ଟି। ଅଲତାଫ ବୁଖାରୀ ନେଉଛନ୍ତି ଏହି ପାର୍ଟିର ନେତୃତ୍ୱ। ଏବେ ସେହି ଦଳ କେନ୍ଦ୍ର ବିରୋଧରେ ଯାଇ ନୂଆକରି ସୃଷ୍ଟି ହୋଇଥିବା ପିପୁଲ୍ସ ଆଲାଏନ୍ସ ଆଭିମୁଖ୍ୟକୁ ସମର୍ଥନ କରୁଛି। କେବଳ ସେତିକି ନୁହେଁ, ରାଜ୍ୟକୁ ସ୍ୱତନ୍ତ୍ର କରିବା ସକାଶେ ଜମ୍ମୁ କଶ୍ମୀରର ସମସ୍ତ ରାଜନୈତିକ ଦଳ ଏକ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଛି। ଏଥିରୁ ନିଶ୍ଚିତ ଶିକ୍ଷା ପାଉଥିବା ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ପାରମ୍ପରିକ ଦଳଗୁଡ଼ିକୁ ନେଇ ଏକ ବିକଳ୍ପ ସୃଷ୍ଟିର ଉଦ୍ୟମ ବିଜେପିକୁ ଯେ ମହଙ୍ଗା ସାବ୍ୟସ୍ତ ହେଉଛି ତାହା ଅପ୍‌ନୀ ପାର୍ଟିର ଆଭିମୁଖ୍ୟ ପରିବର୍ତ୍ତନରୁ ସ୍ପଷ୍ଟ ହେଉଛି।

ଅପ୍‌ନୀ ପାର୍ଟିର ଉପସଭାପତି ଚୌଧୁରୀ ଜୁଲଫିକର ଅଲ୍ଲୀ ରବିବାର କହିଛନ୍ତି ଯେ ଜମ୍ମୁ କଶ୍ମୀରର ସମ୍ମାନ, ସ୍ୱାଭିମାନ ଓ ଲୋକଙ୍କ ମର୍ଯ୍ୟାଦା ପାଇଁ ସମସ୍ତ ରାଜନୈତିକ ଦଳ ଏକ ହୋଇ ଲଢ଼େଇ କରିବାର ସମୟ ଆସିଛି। ରାଜନୈତିକ ଆଦର୍ଶକୁ ଜଳାଞ୍ଜଳି ନ ଦେଇ ଦଳମତ ନିର୍ବିଶେଷରେ ସମସ୍ତେ ପୁନଃ ରାଜ୍ୟ ମର୍ଯ୍ୟାଦା ଫେରାଇବା ପାଇଁ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଟୁଇଟ୍‌ ବାର୍ତ୍ତାରେ ଏହା କହିଥିବା ଜୁଲଫିକର ପୂର୍ବରୁ ଜମ୍ମୁ କଶ୍ମୀରର ଜଣେ ମନ୍ତ୍ରୀ ଥିଲେ। ୩୭୦ ଧାରା ପୁନଃ କାର୍ଯ୍ୟକ୍ଷମ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

କଶ୍ମୀର ଉପତ୍ୟକାକୁ ଫେରିଲା ରାଜନୀତି

ଗତବର୍ଷ ଅଗଷ୍ଟ ମାସରୁ ରାଜନେତାମାନେ ଗୃହବନ୍ଦୀ ହେବା କାରଣରୁ କଶ୍ମୀର ଉପତ୍ୟକାରେ ରାଜନୀତି ଶିଥିଳ ପଡ଼ିଯାଇଥିଲା। କଂଗ୍ରେସ ସମେତ ଅଳ୍ପ କେତୋଟି ବିରୋଧୀ ଦଳ ନୂଆଦିଲ୍ଲୀରେ କଶ୍ମୀରକୁ ନେଇ ରାଜନୈତିକ ବୟାନବାଜି କରୁଥିଲେ। ପରେପରେ କରୋନା ସଂକ୍ରମଣ ଏହି ରାଜନୀତିରେ ଭଟ୍ଟା ପକାଇଥିଲା। ଏବେ ବି କେନ୍ଦ୍ର ସରକାର କରୋନା ମୁକାବିଲା ଏବଂ ବିପର୍ଯ୍ୟସ୍ତ ଅର୍ଥନୀତିକୁ ନେଇ ଏତେ ବିଚଳିତ ଯେ କଶ୍ମୀର କଥା ଗୌଣ ହୋଇଯାଇଛି।

ଗତ ମାର୍ଚ୍ଚ ମାସରେ ପିତା ପୁତ୍ର ଫାରୁକ ଓ ଓମାର ଅବଦୁଲ୍ଲା ଗୃହବନ୍ଦୀ ମୁକ୍ତ ହୋଇଥିଲେ। ୧୫ ମାସ ଗୃହବନ୍ଦୀ ରହିବା ପରେ ମେହବୁବା ଗତ ସପ୍ତାହରେ ମୁକୁଳିଛନ୍ତି। ଏହାପରେ କଶ୍ମୀର ଉପତ୍ୟକାକୁ ଫେରିଛି ରାଜନୀତି। ପିଡିପି-ଏନ୍‌ସି ତତ୍ତ୍ୱାବଧାନରେ ପିପୁଲ୍ସ ଆଲାଏନ୍ସର ସୃଷ୍ଟି, ଅପ୍‌ନୀ ପାର୍ଟି ଓ ଜମ୍ମୁ ମୁସଲିମ ଫ୍ରଣ୍ଟର ଏହି ନୂଆ ମେଣ୍ଟ ପ୍ରତି ସମର୍ଥନ କଶ୍ମୀର ଉପତ୍ୟକାରେ ରାଜନୀତିକୁ ଚଳଚଞ୍ଚଳ କରିଛି। କିନ୍ତୁ ସେମାନେ ଏହି ଲଢ଼େଇରେ ସଫଳ ହେବାର ଆଶା କ୍ଷୀଣ। କାରଣ ମୋଦୀଙ୍କ ନିଷ୍ପତ୍ତି ଅଟଳ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment