ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ବଦଳିଗଲା ଜମ୍ମୁ କଶ୍ମୀରର ଇତିହାସ ଭୂଗୋଳ। କେମିତି ଥିଲା ପୂରା ପ୍ଲାନିଙ୍ଗ, ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ।

  • ୨୦୧୮ରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ
  • ହଠାତ ଅମରନାଥ ଯାତ୍ରା ବନ୍ଦ
  • ୨୦୧୯, ଅଗଷ୍ଟ ୫ରେ ମିଶନ ସଫଳ

ଦୀର୍ଘ ୭୦ ବର୍ଷ ଧରି ଯାହା ସମ୍ଭବ ହୋଇନଥିଲା ତାହା ୨୦୧୯ରେ ସମ୍ଭବ ହୋଇଥିଲା। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ମୋଦି ସରକାର ନୂଆ ଇତିହାସ ହାସ ସୃଷ୍ଟି କଲେ। ଏହା ଥିଲା ମୋଦି ସରକାରଙ୍କର ଟପ୍‌ ସିକ୍ରେଟ୍ ମିଶନ। କେବଳ ଆଗଧାଡ଼ିର ତିନି ଚାରି ଜଣ ମନ୍ତ୍ରୀ, ସଚିବଙ୍କୁ ଛାଡ଼ିଦେଲେ ଆଉ କେହି ବି ଏହି ମିଶନର ଟେର୍‌ ପାଇ ନଥିଲେ। ଶେଷରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ହୋଇଥିଲା। ମୋଦୀ ସରକାରଙ୍କ ଏହି ଐତିହାସିକ ପଦକ୍ଷେପକୁ ଅନେକ ସମର୍ଥନ କରିଥିଲା ବେଳେ ବିରୋଧୀ କିନ୍ତୁ ଏହାକୁ ଘୋର ବିରୋଧ କରିଥିଲେ।

ସିକ୍ରେଟ ପ୍ଲାନ କରିଥିଲେ ମୋଦୀ

୨୦୧୮ରେ ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ଭାଙ୍ଗିବା ପରଠୁ ଧାରା ୩୭୦ ଉଛେଦ କରିବା ପାଇଁ ମୋଦି ସରକାର ଯୋଜନା କରିଥିଲେ। ୨୦୧୯ ନିର୍ବାଚନରେ ମୋଦୀଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ  ପରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା।

ଅଚାନକ ଅମରନାଥ ଯାତ୍ରା ବନ୍ଦ

ହଠାତ ଅମରନାଥ ଯାତ୍ରା ବନ୍ଦ କରିବାକୁ ଘୋଷଣା ହୋଇଥିଲା। ଅମରନାଥ ଯାତ୍ରୀ ସୁରକ୍ଷିତ ଭାବେ ସ୍ଥାନାନ୍ତର ହେବା ପରେ ଜମ୍ମୁ କଶ୍ମୀର ମୁଖ୍ୟ ସଚିବ ବିଭିଆର୍‌ ସୁବ୍ରମଣ୍ୟମ ସ୍ଥିତିର ତନ୍ନ ତନ୍ନ ଯାଞ୍ଚ କରିଥିଲେ। ଗ୍ରାଉଣ୍ଡ ଜିରୋର ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେଇଥଇଲେ। ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଗ୍ରାଉଣ୍ଡରେ ଥିବା ସୁରକ୍ଷା କର୍ମୀ ଏବଂ ଅଫିସରମାନଙ୍କୁ ସାଟେଲାଇଟ୍ ଫୋନ ଯୋଗାଇ ଦେବା ପରେ ଅଗଷ୍ଟ ୪ରେ ପଲିଟିକାଲ୍‌ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ ହୋଇଥିଲା।

ସଂସଦରେ ବିଲ ପାସ ପାଇଁ କସରତ

ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପରେ ଦିଲ୍ଲୀରେ ଚାଲିଥିଲା ଗୋଟି ଚାଳନା। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ରାଜ୍ୟସଭାରେ କେମିତି ପାସ୍‌ ହେବ ତାକୁ ନେଇ ମାନସମନ୍ଥନ କରିଥିଲେ ଅମିତ ଶାହ।

ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା କମ୍ ଥିବାରୁ ଅନ୍ୟ ରାଜନୀତିକ ଦଳର ସମର୍ଥନ ଲୋଡ଼ିଥିଲେ ଶାହ। ଟଡିପି ରାଜ୍ୟସଭା ସଦସ୍ୟଙ୍କୁ ମନାଇବା ପରେ ସମାଜବାଦୀ ପାର୍ଟିର ସଦସ୍ୟ ନୀରଜ ଶେଖର, ସୁରେନ୍ଦ୍ର ନାଗର, ସଞ୍ଜୟ ସେଠଙ୍କୁ ମନା ଯାଇଥିଲା। କଂଗ୍ରେସ ସାଂସଦ ସଞ୍ଜୟ ସିଂହ ମଧ୍ୟ ବାହାରେ ରହିଥିଲେ। ଫଳରେ ବିଜେପିକୁ ବିଲ୍‌ ପାସ୍‌ କରାଇବାରେ ଅସୁବିଧା ହୋଇ ନଥିଲା।

ଏପଟେ ବିଜେପିର ଘୋର ବିରୋଧୀ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିକୁ ମଧ୍ୟ ନିଜ ସପକ୍ଷରେ ନେଇପାରିଥିଲା ବିଜେପି। ଅନ୍ୟପଟେ ବିଜେପି ମଧ୍ୟ ନିଜ ଦଳର ସବୁ ସାଂସଦଙ୍କ ପାଇଁ ହୁଇପ୍‌ ଜାରି କରିଥିଲା। ଅଗଷ୍ଟ ୫ରେ ଦିନ ସାରା ବିତର୍କ ପରେ ରାଜ୍ୟସଭାରେ ବିଲ୍‌ ପାସ୍‌ କରିଥିଲେ ଅମିତ ଶାହ।

ବଦଳିଲା ଇତିହାସ-ଭୂଗୋଳ

ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଗଲା। ଏହି ଉଲ୍ଲେଖଯୋଗ୍ୟ ନିଷ୍ପତ୍ତି ଯୋଗୁଁ ଜାମ୍ମୁ କାଶ୍ମୀରର ଇତିହାସ କେବଳ ନୁହେଁ ଭୂଗୋଳ ବି ବଦଳି ଗଲା। ଜମ୍ମୁ କଶ୍ମୀରରୁ ଲେହ ଲଦାଖ ଅଲଗା ହେଲା।

ଧାରା ୩୭୦ ଉଚ୍ଛେଦ ପରେ କ’ଣ ବଦଳିଲା?

ପୂର୍ବରୁ ଜମ୍ମୁ କାଶ୍ମୀରବାସୀଙ୍କ ପାଖରେ ଭାରତ ସମେତ କାଶ୍ମୀର ନାଗରିକତା ରହୁଥିଲା। ମାତ୍ର ଏହି ଧାରା ହଟିବା ପରେ ଗୋଟିଏ ନାଗରିକତା ମିଳିଲା। ୨୦୧୯, ଅଗଷ୍ଟ ୧୫ରେ ଜମ୍ମୁ କଶ୍ମୀରରେ ପ୍ରଥମ ଥର ଲାଗି ଭାରତର ଜାତୀୟ ପତାକା ଉଡ଼ିଲା।  ସେହିପରି ଏହି ହଟିବା ପରେ ଯୋକୗଣସି ନାଗରିକ ସେଠାରେ ସମ୍ପତ୍ତି କିଣିପାରିବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ:  https://chat.whatsapp.com/IRipWbC83HpD1JetdjgdJX

Comment