କପିଳାସ ଭୂୟାଁ 

କରୋନା ମହାମାରୀ ଯୋଗୁଁ ଆମେ ଏବେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲେଣି। ଚତୁର୍ଥ ପର୍ଯ୍ୟାୟର ରୂପରେଖ କ’ଣ ହେବ ତାହା ଆସନ୍ତା ମେ’ ୧୮ ତାରିଖ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ। ମାର୍ଚ୍ଚ ୨୨ରୁ ମେ’ ୧୭ ପର୍ଯ୍ୟନ୍ତ ସମୁଦାୟ ୫୫ ଦିନର ଅବରୋଧ ସମୟ। ୧୩୦ କୋଟିରୁ ଅଧିକ ଜନସଂଖ୍ୟା – ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ କଡା ଘୋଷଣା। ଏହାର ତଦାରଖ କରିବା ଦାୟିତ୍ଵ ରହିଲା ପୋଲିସବଳ ଉପରେ। ଏଠାରେ ଦୁଇଟି କଥା ମନକୁ ଆସେ – ପ୍ରଥମେ, ରହିବା ପାଇଁ ମୁଣ୍ଡ ଉପରେ ଛାତ ଥାଇ ଘରଟିଏ ହେଉଛି ଜଣେ ନାଗରିକର ମୌଳିକ ଅଧିକାର। କିନ୍ତୁ, ଦୁର୍ଭାଗ୍ୟର କଥା ଯେ ସ୍ଵାଧୀନୋତ୍ତୋର ଭାରତରେ ସମାଜର ନିମ୍ନବର୍ଗର ଅଧିକାଂଶ ଲୋକ ସେହି ସାମର୍ଥ୍ୟ ହାସଲ କରି ପାରିନାହାନ୍ତି। କୌଣସି ସରକାରଙ୍କ ପକ୍ଷରୁ ସେହି ମୌଳିକ ସୁବିଧାଟିକୁ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇ ପାରିନାହିଁ।

ତେବେ ଅବରୋଧ ସମୟରେ ଲୋକେ କେଉଁ ଘର ଭିତରେ ନିଜକୁ ଅବରୋଧ କରି ରଖିବେ? ଗ୍ରାମାଞ୍ଚଳର ଘର ନଥିବା ଲୋକେ ହୁଏତ କାହା ପିଣ୍ଡା କି ଓଳି ତଳେ ରହିଯାଇ ପାରିବେ। କିନ୍ତୁ ସହରାଞ୍ଚଳକୁ ଦିନ ମଜୁରିଆ ଭାବେ ଖଟିବାକୁ ଯାଇଥିବା ଲୋକେ ଯେଉଁମାନେ ଗୋଟିଏ ଗୋଟିଏ ଘରେ ୧୨ରୁ ୧୬ ଜଣ ପର୍ଯ୍ୟନ୍ତ ରହି କାମ କରନ୍ତି, ସେମାନେ କିଭଳି ନିଜକୁ ସେହି ଘର ଭିତରେ ଅବରୋଧ କରି ରଖି ପାରିବେ? କୋଭିଡ-୧୯ ଭୂତାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସେଭଳି ଲୋକମାନେ ବରଂ ବାହାରର ମୁକ୍ତ ବାଯୁରେ ବୁଲାଚଲା କରିବା ଅଧିକ ନିରାପଦ।

ସରକାର ବିନା କୌଣସି ଚିନ୍ତନରେ ସମସ୍ତଙ୍କ ପାଇଁ ସମାନ ନିୟମଟିଏ ଜାରି କରିଦେଲେ। କାରଣ ମଧ୍ୟବିତ୍ତ, ଉଚ୍ଚ-ମଧ୍ୟବିତ୍ତ ଓ ଉଚ୍ଚ-ବର୍ଗର ଲୋକଙ୍କ ଜୀବନ କଥା ସରକାର ଅଧିକ ହୃଦୟଙ୍ଗମ କରନ୍ତି। ସେମାନଙ୍କର ତ ଗୋଟିଏ ନୁହେଁ, ଏକାଧିକ ଘର ରହିଛି। ସରକାରଙ୍କ ଧାରଣା ଭିତରେ ତ ଏ ଦେଶରେ ଗରିବ ବୋଲି କେହି ନାହାନ୍ତି, କାରଣ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କର ସବୁ ଅଭାବ ପୂରଣ କରାଯାଉଛି ବୋଲି ସରକାରଙ୍କ ଧାରଣା। ଗାଡି ମଟର ଟ୍ରେନ ଚଳାଚଳ ବି ବନ୍ଦ କରି ଦିଆଗଲା। ଲୋକେ ହଲିଚଲି ପାରିଲେ ନାହିଁ। କାରୋନା ସଂକ୍ରମଣ ଜାରି ରହିଲା।

ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଯେଉଁ ସବୁ ଘୋଷଣା କରାଗଲା ସେଥିରେ ଲୋକେ ଯେତିକି ସଚେତନ ନହେଲେ, ତା’ଠାରୁ ଅଧିକ ଭୟଭୀତ ହେଲେ। ତେଣୁ ଓଡିଶା, ବିହାର ଭଳି ଗରିବ ରାଜ୍ୟଗୁଡିକରୁ ଯେଉଁ ଶ୍ରମିକମାନେ ଦିଲ୍ଲୀ, ସୁରତ ଭଳି ଜାଗାକୁ ଦାଦନ ଖଟିବାକୁ ଯାଇଥିଲେ କାମ ବନ୍ଦ ହୋଇଯିବାରୁ ସେମାନଙ୍କୁ ଖାଇବାକୁ ମିଳିଲା ନାହିଁ। ଘର ମାଲିକମାନେ ସେମାନଙ୍କୁ ଘରୁ ବାହାର କରିଦେଲେ। ସେମାନେ ଶେଷ ଜୀବନ ନିଜ ନିଜ ଜନ୍ମଭୂମିରେ ରହିବା ପାଇଁ ସବୁ ବାଧାବିଘ୍ନକୁ ବେଖାତିର କରି ଫେରିବାକୁ ଲାଗିଲେ।

ଭୋକ, ଶୋଷରେ ଆସିବା ବେଳେ ବାଟରେ ବିଭିନ୍ନ ସ୍ଥାନରେ ଅବରୋଧ ନିୟମ ମାନୁ ନଥିବାରୁ ପୋଲିସ ସେମାନଙ୍କ ଉପରେ ଅତ୍ୟାଚାର କଲା। ସେହି ଅତ୍ୟାଚାର ଦାଉରୁ ରକ୍ଷା ପାଇବା ପାଇଁ ତେଲ ଟ୍ୟାଙ୍କର, ଏପରିକି ସିମେଣ୍ଟ ମିକଶ୍ଚର ଗାଡିରେ ଲୁଚି କିଛି ଶ୍ରମିକ ଆସିବା ବେଳେ ଧରାପଡି ହନ୍ତସନ୍ତ ମଧ୍ୟ ହେଲେ। ଖାଲି ଶହ ଶହ ନୁହେଁ, ହଜାର ହଜାର ମାଇଲ ବାଟ ଚାଲିଚାଲି ଫେରିବାକୁ ବି ପଛେଇଲେ ନାହିଁ। ଦଳ ଦଳ ହୋଇ ସଡକ ପଥରେ, ନଚେତ ରେଳ ଧାରଣାରେ ଚାଲିଚାଲି ସେମାନେ ଫେରିଲେ।

ସେମାନଙ୍କ ଭିତରୁ ଥୋକାଏ ଲୋକ ରେଳଗାଡି ଚଳାଚଳ ହେଉନାହିଁ ଭାବି ରାତିରେ ହାଲିଆ ହୋଇ ରେଳ ଧାରଣାରେ ଶୋଇଥିଲା ବେଳେ ମାଲବାହୀ ଟ୍ରେନ ତଳେ ଜୀବନ ବି ଦେଲେ। ଶେଷକୁ ଯେଉଁମାନେ ଆସି ଗାଁରେ ନିଜନିଜ ଘରେ ପହଞ୍ଚିଲେ ସେମାନଙ୍କୁ ଗାଁରେ କି ଘରେ ପୁରେଇ ଦିଆଗଲା ନାହିଁ। କଥା ଏତିକିରେ ସରିଲା ନାହିଁ। ଆସନ୍ନପ୍ରସବା ମହିଳା ଗଛ ମୂଳରେ ପ୍ରସବ କରିବା ପରେ ମାତ୍ର କେଇଘଣ୍ଟା ବିଶ୍ରାମ କରି ପୁଣି ଚାଲିବା ଖବର ମଧ୍ୟ ଦୃଷ୍ଟିକୁ ଆସିଲା। ତଥାପି ଏହା ସରକାରଙ୍କ ହୃଦୟ ତରଳେଇ ପାରିଲା ନାହିଁ।

ତେଣୁ ମୂଳ ପ୍ରଶ୍ନ ହେଲା ଯେ ଏଭଳି ପରିସ୍ଥିତି ସୃଷ୍ଟି ହେଲା କାହିଁକି?

ପଛକୁ ଫେରି ଚାହିଁଲେ ଆମ ଦେଶରେ କୋଭିଡ-୧୯ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କରୋନା ମହାମାରୀକୁ ଯେତିକି ଗୁରୁତ୍ଵର ସହ ନେବା କଥା ତାହା କରାଗଲା ନାହିଁ। ବରଂ ତାଳି ମାରି, ଘଣ୍ଟଘଣ୍ଟା ବଜାଇ, ଆଲୁଅ ଲିଭାଇ ଓ ଦୀପ ଜାଳି ଏହି ମହାମାରୀକୁ ପ୍ରଭାବ ଶୂନ୍ୟ କରିବାକୁ ଚେଷ୍ଟା କରାଗଲା।

ଅବଶ୍ୟ ଏହା ପ୍ରଧାନମନ୍ତ୍ରୀଙ୍କ କଥାକୁ ଲୋକେ କେତେ ଗୁରୁତ୍ଵ ଦିଅନ୍ତି ତାହାକୁ ଯଥେଷ୍ଟ ପ୍ରମାଣିତ କଲା, ଏବଂ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ପ୍ରତିପକ୍ଷମାନଙ୍କୁ ଧରାଶାୟୀ କରିବାର ଆନନ୍ଦ ଆଣି ଦେଇଥାଇ ପାରେ। କିନ୍ତୁ ସେହି ସବୁ ନାଟକବାଜି ଦ୍ଵାରା ଯେ କିଛି ଲାଭ ମିଳିବ ନାହିଁ ବୁଝିବା ପରେ ମାର୍ଚ୍ଚ ୨୪ ତାରିଖ ଦିନ ଅସହାୟ ପ୍ରଧାନମନ୍ତ୍ରୀ ତା’ର ପରଦିନଠାରୁ ସାରା ଦେଶକୁ ତିନି ସପ୍ତାହ ବା ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ଅବରୋଧ କରିବା ପାଇଁ ଘୋଷଣା କରିଦେଲେ।

ଲକ୍‌ଡାଉନ୍‌ର ପରିଣତି କ’ଣ ହେବ ସେ ବିଷୟରେ ସେ କୌଣସି ଚିନ୍ତା ହିଁ କଲେନାହିଁ। ପରିଣାମ ଭୋଗିଲେ ଦେଶବାସୀ, ଯେଉଁମାନେ ନିଜ ନିଜର କାମ ପାଇଁ ଘର ଛାଡି ଦେଶର ଅନ୍ୟ ପ୍ରାନ୍ତରେ ଥିଲେ, ବା ଅନ୍ୟ ଯେଉଁ ଶ୍ରମିକମାନେ ପେଟ ପୋଷିବା ପାଇଁ ନିଜ ନିଜର ଭିଟାମାଟି ଛାଡି ଦେଶର ଅନ୍ୟ ଅଞ୍ଚଳ ଓ ସହରରେ ଖଣିଖାଦାନ ଓ କାରଖାନାରେ ଶ୍ରମିକ ନଚେତ ଠିକା-ଶ୍ରମିକ ବା ଦାଦନ ଭାବେ କାମ କରୁଥିଲେ।

ଆମକୁ ମନେ ରଖିବାକୁ ହେବ ଯେ ଦେଶର ଶ୍ରମିକ ଶ୍ରେଣୀ ହିଁ ପ୍ରଗତିର ମେରୁଦଣ୍ଡ। ଆମ ଦେଶରେ ଗୋଟିଏ ରାଜ୍ୟରୁ ଯାଇ ଅନ୍ୟ ରାଜ୍ୟ ଓ ଦେଶରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସଂଖ୍ୟା ପ୍ରାୟ ପାଞ୍ଚ କୋଟିରୁ ଅଧିକ। ଅବରୋଧ ସମୟରେ ସେହି ପ୍ରଗତିର ମେରୁଦଣ୍ଡ ଭାଙ୍ଗି ଯାଇଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ତେବେ ଏହି ଶ୍ରମିକମାନଙ୍କର ସଂଖ୍ୟା ବାବଦରେ ସରକାରଙ୍କ ପାଖରେ କୌଣସି ହିସାବ ନାହିଁ।

ଉଦାହରଣ ରୂପେ ଓଡିଶାର ଗଞ୍ଜାମ କିମ୍ବା ବଲାଙ୍ଗିର ଜିଲ୍ଲା ଉଲ୍ଲେଖନୀୟ। ଏଭଳି ଜିଲ୍ଲାଗୁଡିକରୁ କେତେ ସଂଖ୍ୟକ ଲୋକ ଶ୍ରମିକ ରୂପେ ଯାଇ ଅନ୍ୟତ୍ର ରାଜ୍ୟ ବାହାରେ କାମ କରୁଛନ୍ତି ତାହା କେହି ଜାଣନ୍ତି ନାହିଁ। ଯଦିଓ ପ୍ରତି ଜିଲ୍ଲାରେ ଶ୍ରମ ବିଭାଗ ଅଧିକାରୀ ଅଛନ୍ତି, ତେବେ ଠିକାଦାରମାନଙ୍କ ସହ ସଲାସୁତରାରେ କେଉଁ ଗାଁର କେତେ ଲୋକ ବାହାରକୁ କାମ କରିବାକୁ ଯାଉଛନ୍ତି ତାହାର ହିସାବ ରଖି ନାହାନ୍ତି। ସାରା ଦେଶକୁ ଅବରୋଧ କରିବା ପରେ ଯେଉଁମାନେ ଯେଉଁଠି ଥିଲେ ସେଠାରେ ଯଦି ସେମାନଙ୍କୁ ସୁବିଧାରେ ରଖି ସେମାନଙ୍କ ନାମ ପଞ୍ଜୀକରଣ ସହ କେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି ତାହାକୁ ଚିହ୍ନଟ କରା ଯାଇଥାନ୍ତା ତେବେ କରୋନା ସଂକ୍ରମଣର ପ୍ରସାରଣକୁ ଯେଉଁ ଭଳି ନିୟନ୍ତ୍ରଣ କରାଯାଇ ପାରିଥାନ୍ତା, ତେବେ ତାହାର ଦୁଇଟି ଲାଭ ମିଳିଥାନ୍ତା – ଶ୍ରମିକମାନଙ୍କ ମୂଳ ସ୍ଥାନ ସହିତ ସଂଖ୍ୟା ପଞ୍ଜୀକରଣ ହେବା ସହ କରୋନା ସଂକ୍ରମଣକୁ ରୋକାଯାଇ ପାରିଥାନ୍ତା। କିନ୍ତୁ ତାହା ଆଉ ହେବା ସମ୍ଭବ ନୁହେଁ।

ତୃତୀୟ ବାରି ଦେଶ ଅବରୋଧ ହେବା ସମୟରେ ସେହି ସବୁ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ଫେରିଯିବା ଅନୁମତି ମିଳିଲା ବା ସମ୍ପୃକ୍ତ ରାଜ୍ୟଗୁଡିକ ସେମାନଙ୍କ ଅଧିବାସୀମାନଙ୍କୁ ଫେରେଇନେବାକୁ ବ୍ୟବସ୍ଥା ଆରମ୍ଭ କଲେ। ଓଡିଶା ଭଳି ରାଜ୍ୟ ଯେଉଁଠାରେ ସମୟୋପଯୋଗୀ ପଦକ୍ଷେପ ନିଆଯାଇ କରୋନା ସଂକ୍ରମଣକୁ କେବଳ କେତୋଟି ସହରରେ ସୀମିତ ରଖି ଯଥେଷ୍ଟ ନିୟନ୍ତ୍ରଣରେ ରଖାଯାଇ ପାରିଥିଲା, ଏହିସବୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ ଗାଁ ଗାଁରେ ବର୍ତ୍ତମାନ ସଂକ୍ରମଣ ବହୁଗୁଣିତ ହୋଇଯାଇଛି। ଏହାର ମୁକାବିଲା କରିବା ବାସ୍ତବ ଦୃଷ୍ଟିରୁ ଅତି କଷ୍ଟକର।

ଦ୍ଵିତୀୟରେ, ସମଗ୍ର ଦେଶକୁ ଅବରୋଧ କରିବା ପାଇଁ ସରକାରଙ୍କ ପକ୍ଷରୁ କେବଳ ପୋଲିସବାହିନୀ ସାହାଯ୍ୟରେ ହିଁ ପଦକ୍ଷେପ ନିଆଗଲା। ଦେଶର ଜନସଂଖ୍ୟା ତୁଳନାରେ ଏହି ପୋଲିସବାହିନୀର ସଂଖ୍ୟା କେତେ? ସଂକ୍ରମଣର ଭୟାବହତା ଏତେ ଅଧିକ ଯେ ଲୋକେ ନିଜ ନିଜର ପ୍ରାଣ ବଞ୍ଚେଇବାକୁ ସବୁ ଦୁଖଦୁର୍ଦ୍ଦଶା ଓ ପୋଲିସ ଅତ୍ୟାଚାରକୁ ଚୁପଚାପ ସହିଗଲେ। ଲୋକଙ୍କ ରାଗ ବଢିଲେ ଯେ ତାହା କିଭଳି ଭୟାବହ ରୂପ ନିଏ ମୋଦୀ ମହାଶୟଙ୍କ ସରକାର ଏବେ ପର୍ଯ୍ୟନ୍ତ ତାହାର ସମ୍ମୁଖୀନ ହୋଇନାହିଁ। କିନ୍ତୁ ଆଗକୁ ଯେ ହେବ ନାହିଁ ସେଭଳି ନୁହେଁ।

ବିଶେଷଞ୍ଜ୍ୟମାନଙ୍କ ମତ ଅନୁଯାୟୀ ଚତୁର୍ଥ ବାରି ଅବରୋଧ ଯେ ଅପରିହାର୍ଯ୍ୟ ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ସରକାର ଏହାକୁ ପୂର୍ଣ୍ଣ ଅବରୋଧ ନକରି ଆଂଶିକ କରି ପାରନ୍ତି। କାରଣ ଜୀବନ ବଞ୍ଚାଇବାକୁ ଯାଇ ଅର୍ଥନିତୀକୁ ବିପର୍ଯ୍ୟସ୍ତ କରାଯାଇ ପାରିବ ନାହିଁ।

ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମେ’ ମାସ ୧୨ ତାରିଖ ଦିନ ଦେଶବାସୀଙ୍କୁ ‘ଆତ୍ମ-ନିର୍ଭରଶୀଳ’ ହେବାର ମନ୍ତ୍ର ଶୁଣାଇଲେ। ସେଥିପାଇଁ ୨୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଆଶ୍ଵାସନା ଦେଲେ। ତା’ପର ଦିନ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ଏକାଧିକ ଆର୍ଥିକ ପ୍ୟାକେଜ ବାବଦରେ ଘୋଷଣା କଲେ। ଏମଏସଏମଇ କ୍ଷେତ୍ରରେ ଓ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନଗୁଡିକରେ ବିନିଯୋଗକୁ ଗୁରତ୍ଵ ଦେବା ସହିତ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡିକୁ ସହାୟତା, ଇପିଏଫ ବାବଦରେ ସହଯୋଗ ଓ ଆୟକରଦାତାମାନଙ୍କୁ ଅଧିକ ରିହାତି ଭଳି ପ୍ୟାକେଜର ବ୍ୟବସ୍ଥା କରାଯିବ ବୋଲି କହିଲେ।

କିନ୍ତୁ ଏହା ଭିତରେ ଗରିବ ଶ୍ରମିକମାନଙ୍କୁ ସିଧାସଳଖ ସହାୟତା ପାଇଁ କ’ଣ ରହିଲା? ସୁଲଭ ଦରରେ ଭଡ଼ାଘର ଯୋଗାଇ ଦିଆଯିବ ଓ ଶ୍ରମ କୋଡ ଲାଗୁ କରାଯାଇ ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବ ଏକ ସୁନ୍ଦର ପ୍ରତିଶ୍ରୁତି ଛଡା ଆଉ କ’ଣ? ଏଭଳି ପଦକ୍ଷେପ ପୂର୍ବରୁ କାହିଁକି ନିଆଯାଇ ପାରିଲା ନାହିଁ? ଯେଉଁ ପ୍ରବାସୀ ଶ୍ରମିକ ଯେଉଁଠାରେ କମ କରୁଥିଲେ ସେମାନଙ୍କୁ ସେଠାରେ ରଖିବା ବ୍ୟବସ୍ଥା କାହିଁକି କରାଗଲା ନାହିଁ? ସେପରି ହୋଇଥିଲେ ପ୍ରବାସୀ ଶ୍ରମିକମାନେ ହନ୍ତସନ୍ତ ହେଇ ନିଜ ନିଜ ରାଜ୍ୟକୁ ଫେରି କରୋନା ସଂକ୍ରମଣକୁ ଅନ୍ତଃତ ସମ୍ପ୍ରସାରିତ କରି ନଥାନ୍ତେ।

ଏବେ ସେହି ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରିଯିବା ପରେ କାମଧନ୍ଦା ନପାଇ ହାତ ବାନ୍ଧି ବସିବା ଭଳି ପରିସ୍ଥିତି ଆସି ଯାଇଥିବା ବେଳେ, ମାତ୍ର ଦୁଇ ମାସ ପାଇଁ ଖାଦ୍ୟ ଶସ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ‘ଆତ୍ମ-ନିର୍ଭରଶୀଳ’ ହେବାକୁ କହିବା ଅର୍ଥ ସେମାନଙ୍କ ସହ ଟାପରା କରିବା ଭଳି କଥା ନୁହେଁ କି?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment