ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର ହିତାଧିକାରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା।
ଡିସେମ୍ବର ୩୧ ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ବନ୍ଦ ହୋଇଯାଇଛି। ଏହି ଯୋଜନାରେ ସଂପୃକ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର ୪୪ ହଜାର ୮୭୦ ହିତାଧିକାରୀଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ କରାଯିବ। ଏହି ହିତାଧିକାରୀମାନେ ୪୪ ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଉଥିଲେ। ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ ହେବା ପରେ ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର ବିଜୁ କୃଷକ କଲ୍ୟାଣ ଯୋଜନା-୨ର କାର୍ଡ ଯୋଗାଇ ଦିଆଯିବ। ଯେଉଁ ହିତାଧିକାରୀ କାର୍ଡ ପାଇ ନଥିବେ ସେମାନେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ ଦେଖାଇ ନେଇପାରିବେ।
ଏହି ଅବସରରେ ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ କହିଥିଲେ। ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନସୁଦ୍ଧା ୧ କୋଟି ୮୨ ଲକ୍ଷ ଲୋକ ଉପକୃତ ହୋଇଛନ୍ତି।