ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପରାଧ ଶ୍ରେଣୀରୁ ଧାରା ୩୭୭କୁ ସୁପ୍ରିମକୋର୍ଟ ଉଚ୍ଛେଦ କରିବା ପରେ ଏବେ ସମଲିଙ୍ଗୀମାନେ ଖୁଲମଖୁଲା ଆଗକୁ ବାହାରିଛନ୍ତି। ପ୍ରେମରେ ପାଗଳ ଦୁଇ ମହିଳା ସେମାନଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ପରସ୍ପରକୁ ବିବାହ କରିଛନ୍ତି। ଉତ୍ତରପ୍ରଦେଶ ହମିରପୁରଠାରେ ଘଟିଛି ଏହି ଘଟଣାଟି ।

ଦୁଇ ଜଣ ଯୁବତୀ କଲେଜରେ ଭେଟ ହୋଇଥିଲେ। ତା’ପରେ ସେ ଦୁହେଁ ପ୍ରେମ ସଂପର୍କରେ ରହିଥିଲେ। ସେ ଦୁହେଁ ପରସ୍ପରକୁ ସମଲିଙ୍ଗୀ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ପରିବାରର ଚାପରେ ସେ ଦୁହେଁ ପୁରୁଷଙ୍କୁ ବିବାହ କରିଥିଲେ। ଏବେ ପ୍ରାୟ ଛଅ ବର୍ଷ ପରେ ସେହି ଦୁଇ ମହିଳା ନିଜ ନିଜର ସ୍ୱାମୀଙ୍କୁ ଛାଡ଼ପତ୍ର ନେଇ ମନ୍ଦିରରେ ବିବାହ କରିଥିବା ଖବର ଚର୍ଚ୍ଚାର ବିଷୟ ହୋଇଛି।

ଏହି ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୨୪ ଓ ୨୬ ବର୍ଷ। ସେ ଦୁହିଁଙ୍କ ଘର ଉତ୍ତରପ୍ରଦେଶର ହମିରପୁରଠାରେ। ସେ ଦୁହେଁ କାହିଁକି ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି, ତା’ବିଷୟରେ କିଛି କହି ନାହାଁନ୍ତି। ଜଣଙ୍କର ଗୋଟିଏ ସନ୍ତାନ ଥିଲାବେଳେ ଅନ୍ୟଜଣଙ୍କର କୌଣସି ସନ୍ତାନସନ୍ତତି ନାହିଁ।

ସେମାନେ ସ୍ୱାମୀଙ୍କର କୌଣସି ସଂପତ୍ତିର ଅଂଶୀଦାର ହେବାକୁ ଚାହିଁବେ ନାହିଁ। ଏହି ଦୁଇ ମହିଳା ପ୍ରତୀକାତ୍ମକ ଭାବେ ମନ୍ଦିରରେ ମାଳା ବଦଳାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୁହେଁ ଆଇନଗତ ଲଢେଇ ଲଢିବା ପରେ ପୁଣି ଏକାଠି ହୋଇ ରହିଛନ୍ତି। ଏହି ସମଲିଙ୍ଗୀ ବିବାହକୁ ସମାଜ କେତେ ଦୂର ଗ୍ରହଣ କରୁଛି,ସେଥିନେଇ ସେମାନଙ୍କ ମନରେ ଆଦୌ ଆଶଙ୍କା ନାହିଁ।

ଖାଲି ସେତିକି ନୁହେଁ ୭ଟି ପ୍ରତିଶ୍ରୁତି ଦେଇ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ଚାକିରି କରିବେ କିନ୍ତୁ ଅନ୍ୟ କାହା ଉପରେ ନିର୍ଭର କରିବେ ନାହିଁ। ଦ୍ୱିତୀୟରେ ଦୁଇ ଜଣ କୌଣସି ପୁରୁଷ ସହ ଶାରିରୀକ ସମ୍ପର୍କ ରଖିବେ ନାହିଁ କି ଶିଶୁ ଜନ୍ମ ଦେବେ ନାହିଁ। ଏହିଭଳି ୭ଟି ପ୍ରତିଶ୍ରୁତି ରଖିଛନ୍ତି ଦୁଇ ମହିଳା।

Comment