ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ଓସ୍ତରହାଟ ଗାଁର ସୁକଦେବ ଦାସଙ୍କ ଘରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ବୁଧବାର ସକାଳ ୫ଟା ବେଳେ ଲାଗିଥିଲା ଏହି ନିଆଁ। ବ୍ୟାପକ ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହେବା ସହ ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ମର୍ଶାଘାଈରୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁୟାୟୀ, ସୁକଦେବ ଦାସ ଜଷର ମେଣ୍ଢା ପାଳକ। ବୁଧବାର ସକାଳେ ପରିବାର ଲୋକ ଶୋଇଥିବା ବେଳେ ହଠାତ୍‌ କୌଣସି କାରଣବଶତଃ ନିଆଁ ଲାଗିଥିଲା। ନିଆଁ ଲାଗି ସୁକଦେବଙ୍କ ମା’ ମଖି ଦାସଙ୍କ ଉପରେ ଚାଳର କିଛି ଅଂଶ ପଡ଼ିଥିଲା। ତାହାପରେ ଘର ଲୋକ ଉଠି ଚିତ୍କାର କରିଥିଲେ। ଏହା ପରେ ପାଖ ପଡ଼ିଶା ଲୋକ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁକୁ ଆୟତ୍ତ କରିପାରିନଥିଲେ।

ସୁକଦେବଙ୍କର ୭୦ ବର୍ଷିୟା ବୃଦ୍ଧା ମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଣେ ସୁକଦେବଙ୍କ ପରିବାରକୁ ଗାଁ ଲୋକେ ଆଶ୍ରୟ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଖବର ପାଇ ମହାକାଳପଡ଼ା ତହସିଲଦାରଙ୍କୁ ଘଟଣା ସ୍ଥଳକୁ ପଠାଇଛନ୍ତି। ତୁରନ୍ତ ଏହି ଅଗ୍ନି ବିପନ୍ନମାନଙ୍କ ଥଇଥାନ ଦାବି କରିଛନ୍ତି ଗ୍ରାମବାସୀମାନେ।

Comment