ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଲବମ୍ ଅଭିନେତ୍ରୀ ସିମ୍‌ରନ୍ ମୃତ୍ୟୁ ଘଟଣାରୁ ଖିଅ ପାଉନି ସମ୍ବଲପୁର ପୋଲିସ।

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମ୍‌ରନ ସିଂଙ୍କ  ହତ୍ୟା ଘଟଣାକୁ ୧୫ ଦିନ ବିତିଛି। ହେଲେ ଏହା ଉପରୁ ପରଦା ହଟାଇ ପାରିନି ପୋଲିସ। ସିମ୍‌ରନ୍‌କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଆଜିଯାଏଁ ସ୍ପଷ୍ଟ କରିପାରିନି ପୋଲିସ।

ସିମ୍‌ରନ୍‌ଙ୍କ ପୁରୁଷ ବନ୍ଧୁ ୟୁଗ ସୁନା ଝାରସୁଗୁଡ଼ା ଟାଉନ୍‌ଥାନାର ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି। ବୁର୍ଲାଥାନା ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ଚାହୁଁଥିଲେ ମଧ୍ୟ ସେଥିରେ ସମର୍ଥ ହୋଇନି ପୋଲିସ।

ସିମରନ୍‌ର ପୁରୁଷବନ୍ଧୁ ୟୁଗ ସୁନା ଙ୍କ ଘରେ ଆଜି ପୋଲିସ ଲଟ୍‌କା ଲଗାଇ, ବୁର୍ଲା ଥାନାକୁ ପଚରା ଉଚରା ପାଇଁ ଡାକିଛି। ମୃତ୍ୟୁର ୧୫ ଦିନ ପରେ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବାରୁ ସିମରନ୍‌ଙ୍କ ସମର୍ଥକମାନେ ନିରାଶ ହେଉଛନ୍ତି।

ସିମରନ୍‌ଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସିମରନ୍‌ ଆତ୍ମହତ୍ୟା କରଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି? ଯଦି ଆତ୍ମହତ୍ୟା କରିଛନ୍ତି ତେବେ ତା’ର କାରଣ କ’ଣ? ଯଦି ତାଙ୍କୁ ହତ୍ୟା କରାଯାଇଛି ତେବେ ହତ୍ୟାକାରୀ କିଏ? ଏସବୁ ପ୍ରଶ୍ନ ଗତ ୧୫ ଦିନ ହେଲା ସିମ୍‌ରନଙ୍କ ସମର୍ଥକଙ୍କ ମନରେ ଉଙ୍କି ମାରୁଛି।

ଏହି ଘଟଣାରେ ସମୟ ଯେତିକି ଗଡୁଛି, ଘଟଣା ସେତିକି ଅଧିକ ଜଟିଳ ହୋଇଯାଉଛି। ସବୁଠାରୁ ବଡ଼ କଥା ହେଲା, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମଧ୍ୟ ବୁର୍ଲାଥାନା ପୋଲିସ ସ୍ପଷ୍ଟ କରିପାରିଲାନି ଯେ ଏହା ଏକ ହତ୍ୟା ନା ଆତ୍ମହତ୍ୟା? ପୋଲିସ କେବଳ ପ୍ରାଥମିକ ତଦନ୍ତ ସାରି ନୀରବ ରହିଛି।

କୁହାଯାଉଛି ଅଭିନେତ୍ରୀ ସିମ୍‌ରନ୍‌ଙ୍କର ଦୁଇ ଜଣ ପୁରୁଷ ବନ୍ଧୁ ଥିଲେ। ହେଲେ ପୋଲିସ ଆଜି ଯାଏଁ ତାଙ୍କ ଦ୍ୱିତୀୟ ପୁରୁଷ ବନ୍ଧୁ ଇଶ୍ୱରକୁ ନୋଟିସ ଦେଇନି। ସେହିପରି ପ୍ରଥମ ପୁରୁଷ ବନ୍ଧୁ ୟୁଗ୍‌ ସୁନାର ପରିବାର ଲୋକଙ୍କୁ ପଚରା ଉଚରା ଆରମ୍ଭ କରିନି।

ୟୁଗ୍‌ ସୁନାର ବାପା, ମାଆ ଓ କକାଙ୍କୁ ବୁର୍ଲା ଥାନା ପୋଲିସ ନୋଟିସ ଜାରି କରିଥିଲେ ମଧ୍ୟ ସେମାନେ ଥାନାରେ ହାଜର ହୋଇ ନାହାନ୍ତି। ଏହି ମାମଲାରେ ପୋଲିସ ପୁଣି ୟୁଗ୍‌ ସୁନାର ଘର ସମ୍ମୁଖରେ ଲଟ୍‌କା ଲଗାଇ ଥାନାରେ ହାଜର ହେବାକୁ ନୋଟିସ କରିଛି।

ସେପଟେ ୟୁଗ୍‌ ସୁନାକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଛି ପୋଲିସ। ହେଲେ ଏପର୍ଯ୍ୟନ୍ତ କୋର୍ଟ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନି ବୋଲି ସମ୍ବଲପୁରର ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା କହିଛନ୍ତି।

ବୁର୍ଲା ଥାନାର ସବ୍‌ ଇନ୍ସିପେକ୍ଟର ପୁଷ୍ପା କିଷାନ୍‌ କହିଛନ୍ତି, “ଅଭିନେତ୍ରୀ ସିମରନ୍‌ ମୃତ୍ୟୁ ଘଟଣାର ତଦନ୍ତ ଆଗକୁ ବଢ଼ିଛି। ତଦନ୍ତକାରୀ ଟିମ୍‌ ଏନେଇ ସଚେତନ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ ତଦନ୍ତକାରୀ ଟିମ୍ କୌଣସି ବିନ୍ଦୁରେ ପହଞ୍ଚି ପାରିନି।”

ସମ୍ବଲପୁର ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା କହିଛନ୍ତି, “ସିମରନ୍‌ଙ୍କ ପୁରୁଷ ବନ୍ଧୁ ୟୁଗ୍‌ ସୁନାଙ୍କୁ କେତେ ଦିନିଆ ରିମାଣ୍ଡରେ ନିଆଯିବ ଏବଂ କେବେ ନିଆଯିବ ତାକୁ ଗୋପନ ରଖାଯାଇଛି। କାରଣ ଏହାର ଖୁଲାସା କଲେ ପୋଲିସ୍‌ ତଦନ୍ତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।”

ପୋଲିସ ଗତ ୧୫ ଦିନ ହେଲା ସିମ୍‌ରନ୍‌ ସିଂଙ୍କ ମୃତ୍ୟୁ ରହସ୍ୟ ଭେଦ କରିପାରୁ ନଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ପୋଲିସ ତଦନ୍ତ ଉପରୁ ସେମାନେ ଭରସା ତୁଟାଇବାକୁ ବସିଛନ୍ତି।

“ସିମ୍‌ରନ ସିଂ ମୃତ୍ୟୁ ଘଟଣାରେ ତିନୋଟି ଜିଲ୍ଲାର ପୋଲିସ୍‌ ତଦନ୍ତ କରୁଛି। ଏହି ସମ୍ବେଦନଶୀଳ ଘଟଣା ଉପରୁ ପରଦା ହଟାଇବା ପାଇଁ ପୋଲିସର ଆନ୍ତରିକତା ନଥିବା ମନେ ହେଉଛି”, ଏହା କହିଛନ୍ତି ସିମ୍‌ରନ୍‌ଙ୍କ ବାପା ବିଜେନ୍ଦ୍ର କୁମାର ସିଂ ଏବଂ ମା’ ରାଣୀ ଦେବୀ।

ସିମ୍‌ରନ ସିଂ ମୃତ୍ୟୁକୁ ପରିବାର ଲୋକ ସୁପରିକଳ୍ପିତ ହତ୍ୟାକାଣ୍ଡ କହୁଥିଲେ ମଧ୍ୟ ପୋଲିସ କେବଳ ଗୋଟି ହତ୍ୟା ମାମଲା ରୁଜୁ କରି ହାତବାନ୍ଧି ବସିଛି। ତେବେ ପୋଲିସ କେବେ ସିମରନ୍‌ ସିଂଙ୍କ ପରିବାରକୁ ନ୍ୟାୟ ଦେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment