ଓଡ଼ିଶାଲାଇଭ୍‌ ବ୍ୟୁରୋ

Mukteswar dance Festivals 2019

ଉଦ୍‌ଯାପିତ ହୋଇଛି ମୁକ୍ତେଶ୍ୱର ଉତ୍ସବ। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନମୁଗ୍ଧ କରିଛି ଓଡ଼ିଶୀ।

୩ଦିନ ଧରି ଚାଲିଥିବା ମୁକ୍ତେଶ୍ୱର ଉତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ଶେଷ ସନ୍ଧ୍ୟାରେ ଭରପୂର ଦର୍ଶକ ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତକୁ ଉପଭୋଗ କରିଥିଲେ।

ଶେଷ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ଶଙ୍କର ସ୍ତୋତ୍ରମରୁ, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଡ.ବିଜୟ କୁମାର ଜେନା।

ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରାଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥ ଅଷ୍ଟକମ ପରେ ଖମାଜି ପଲ୍ଲବୀ ଏବଂ ତାଙ୍କର ଶେଷ ପ୍ରସ୍ତୁତିରେ ଥିଲା ଦେବୀ ସ୍ତୋତ୍ରମ ଅୟୀଗିରିନନ୍ଦିନି ଯାହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି। ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଉତ୍କଳ ସଂସ୍କୃତି ମହାବିଦ୍ୟାଳୟର ତପନ କୁମାର ସାହୁ ଓ ବିଦ୍ୟା ବିଶ୍ୱଜିତାଙ୍କ ଦ୍ୱାରା ପ୍ରଥମେ ପଲ୍ଲବୀ ରାଗ ଗତି ପରେ ପରେ ସେମାନଙ୍କର ପ୍ରସ୍ତୁତିଟି ଥିଲା ପଞ୍ଚ ପରମେଶ୍ୱର ଯାହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ମନୋରଞ୍ଜନ ପ୍ରଧାନ ଏବଂ ଲିଙ୍ଗରାଜ ସ୍ୱାଇଁ।

ଶିଳ୍ପୀଦ୍ୱୟଙ୍କର ଚମତ୍କାର ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ। ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଗୁଞ୍ଜନ ଡାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ପଲ୍ଲବୀ ରାଗ ଐସ ପରେ ପରେ ଶିବ ପଞ୍ଚାକ୍ଷର ସ୍ତୋତ୍ରମ ଏବଂ ଶେଷରେ ରୁଦ୍ର ଆରତି ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂଯୋଜନା କରିଥିଲେ ମୀରା ଦାସ।

ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ଗୁରୁ କେଳୁ ଚରଣ ମହାପାତ୍ର, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ.ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର।

Comment