ଓଡ଼ିଶାଲାଇଭ୍ ବ୍ୟୁରୋ

ଛଟ୍‌ ପୂଜା ପାଇଁ ସବୁଠି ଉତ୍ସାହ। ଶନିବାର ଦିନ ଏହି ପୂଜା ପାଳନ କରାଯିବ। ବିଶେଷକରି ହିନ୍ଦୀ ଭାଷାଭାଷି ଅଞ୍ଚଳର ଲୋକେ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରିଥାନ୍ତି। ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରେ ଏହି ପର୍ବକୁ ପାଳନ କରିଥାନ୍ତି।

ଓଡ଼ିଶାର କଟକ ଓ ଭୁବନେଶ୍ଵର ସମେତ ଅନ୍ୟ ସହରରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଲୋକମାନେ ଧୁମଧୁମ୍‌ରେ ଛଟ୍ ପର୍ବ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶନିବାର ଅପରାହ୍ନ ଏବଂ ରବିବାର ଭୋର ସମୟରେ କଟକର ମହାନଦୀ, କାଠଯୋଡି ଏବଂ ଭୁବନେଶ୍ଵର କୁଆଖାଇ ନଦୀରେ ଛଟ୍ ପର୍ବ ପାଳିବେ ଶ୍ରଦ୍ଧାଳୁ।

ହିନ୍ଦୀ ଭାଷାଭାଷୀ ଲୋକମାନଙ୍କର ଏକ ବଡ଼ ପର୍ବ ହେଉଛି ଛଟ୍। ପ୍ରତିବର୍ଷ ଦେଶବିଦେଶରେ ରହୁଥିବା ହିନ୍ଦୀ ଭାଷାଭାଷୀ ଲୋକ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥାନ୍ତି। ପୂର୍ବରୁ ଏହି ପ୍ରାଚୀନ ହିନ୍ଦୁ ପର୍ବକୁ ବିଶେଷ ଭାବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ନେପାଳ କିଛି ଅଂଶରେ ପାଳନ କରାଯାଉଥିଲା। ଧିରେ ଧିରେ ହିନ୍ଦୀ ଭାଷାଭାଷୀ ଲୋକ ଯେଉଁଠି ବସବାସ କଲେ, ସେଠାରେ ଛଟ୍ ପାଳନ କରାଗଲା। ଏହା ସାଧାରଣତ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀଙ୍କ ପୂଜା ଅଟେ। ପରିବାରର ମଙ୍ଗଳ ଏହି ପର୍ବ ପାଳନ କରାଯାଏ। ଏଥିରେ କୌଣସି ପ୍ରକାର ମୂର୍ତ୍ତି ପୂଜା କରାଯାଏ ନାହିଁ।

ଛଟ୍ ପୂଜା ଚାରି ଦିନ ବ୍ୟାପୀ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ଛଟ୍ ପୂଜା ସମୟରେ ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ କରିଥାନ୍ତି। ଏଥି ସହିତ ନଦୀ କୂଳରେ ପାଣି ଭିତରେ ଦୀର୍ଘ ସମୟ ଧରି ଛିଡ଼ା ହେବା ସହ ସୂର୍ଯ୍ୟ ଦେବତାଙ୍କୁ ପ୍ରସାଦ ଅର୍ପଣ କରିଥାନ୍ତି। ସୂର୍ଯ୍ୟ ଅସ୍ତ ଏବଂ ଉଦୟ ହେବା ବେଳେ ହିଁ ଏହି ପୂଜା କରାଯାଇଥାଏ। ଛଟ୍ ପୂଜା କରିବାକୁ କେତେକ ଲୋକେ ଭୋଗ ପସରା ଧରି ଶୋଭାଯାତ୍ରାରେ ନଦୀ କୂଳକୁ ଆସିଥାନ୍ତି। ଛଟ୍ ପର୍ବରେ ସାଧାରଣତଃ ଅଧିକରୁ ଅଧିକ ମହିଳା ଭକ୍ତ ସାମିଲ ହୋଇଥାନ୍ତି। ଏବେ ପୁରୁଷମାନେ ମଧ୍ୟ ଏହାକୁ ପାଳନ କରୁଛନ୍ତି।

ଛଟ୍ ପୂଜା ଥରେ ଜଣେ ଭକ୍ତ ଆରମ୍ଭ କରିବା ପରେ ଏହାକୁ ପ୍ରତିବର୍ଷ ପାଳନ କରିଥାନ୍ତି। ତାଙ୍କ ପରେ ପରପୀଢିର ସଦସ୍ୟମାନେ ଏହାକୁ ପାଳନ କରିଥାନ୍ତି। ଛଟ୍ ପାଳନ ଅବସରରେ ଘରେ ଘରେ ଖିରି, ଲଡୁ, ଫଳ, ଲେମ୍ବୁ ଓ କଦଳୀ ଭୋଗ ଲାଗି ହୋଇଥାଏ।

Comment