ଓଡ଼ିଶାଲାଇଭ୍ ବ୍ୟୁରୋ

HRAO Odisha Tourism Conclave 2019 Concludes at Bhubaneswar, Indias Best Kept Secret, Incredible India

  • ଓଡ଼ିଶା ଟୁରିଜିମ୍‌ କନକ୍ଲେଭ-୨୦୧୯ ଉଦ୍‌ଯାପିତ
  • ହାରୋ ପକ୍ଷରୁ ଆୟୋଜିତ ହୋଇଥିଲା ଦିନିକିଆ କନକ୍ଲେଭ
  • ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କଲେ ଉଦଘାଟନ
  • ୫ଟି ଅଧିବେଶନରେ ବିଭିନ୍ନ ବିଷୟକୁ ନେଇ ଚାଲିଲା ମନ୍ଥନ
  • ହୋଟେଲ ଶିଳ୍ପ ଉପରେ ଥିବା ୨୮% ଜିଏସ୍‌ଟିକୁ ୫% କରିବାକୁ ଦାବି

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌-୨୦୧୯ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ହାରୋ) ପକ୍ଷରୁ ଏହି ଦିନିକିଆ କନକ୍ଲେଭ ଆୟୋଜନ କରାଯାଇଥିଲା।

ଉଦ୍‌ଯାପନୀ ସମାରୋହରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଏବଂ ପର୍ଯ୍ୟଟନ ସଚିବ ବିଶାଳ ଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ହାରୋର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେକେ ମହାନ୍ତି ଉଦ୍‌ଯାପନୀ ସମାରୋହରେ କହିଥିଲେ ଯେ ଓଡ଼ିଶା ଟୁରିଜିମ୍‌ କନକ୍ଲେଭରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ଯେଉଁ ମତାମତ ଏବଂ ପ୍ରସ୍ତାବ ଆସିଛି ତାକୁ ଆମେ ଏକାଠି କରି ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବୁ।

 ‘‘ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଓଡ଼ିଶା ଟୁରିଜିମ୍‌ କନକ୍ଲେଭରୁ ଆସିଥିବା ବିଭିନ୍ନ ପ୍ରସ୍ତାବକୁ ଆମେ ଗ୍ରହଣ କରୁଛୁ। ଏହି ପ୍ରସ୍ତାବକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ସରକାର ପଦକ୍ଷେପ ନେବେ’’, କହିଛନ୍ତି ବିଶାଳ ଦେବ।

ଉଦ୍‌ଯାପନୀ ସମାରୋହରେ ହାରୋର ବରିଷ୍ଠ ସଦସ୍ୟ ତଥା ହୋଟେଲ କ୍ରାଉନ୍‌ ଏବଂ ଡାଲ୍‌ମାର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ହାରୋର ମହାସଚିବ ଶ୍ରୀନିବାସ ସୁବୁଦ୍ଧି ଏବଂ ପରାମର୍ଶଦାତା ଦୀପକ ରାଠୋର ଉପସ୍ଥିତ ଥିଲେ।

ବୁଧବାର ପୂର୍ବାହ୍‌ଣରେ ଓଡ଼ିଶା ଟୁରିଜିମ୍‌ କନକ୍ଲେଭକୁ ଉଦଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ରାଜ୍ୟପାଳ କହିଥିଲେ, ‘‘ଓଡ଼ିଶା ହେଉଛି ଭାରତୀୟ ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଆକର୍ଷଣ। ଏହାର କଳା ଓ ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ଅପୂର୍ବ ପ୍ରାକୃତିକ ଶୋଭା ଆଜି ପର୍ଯ୍ୟଟନ କ୍ଷେତ୍ର ପାଇଁ ସବୁଠାରୁ ଆକର୍ଷଣ ହୋଇପାରିଛି। ତେଣୁ, ଓଡ଼ିଶା ପର୍ଯ୍ୟଟନର ବିକାଶ ଓ ପ୍ରସାର ପାଇଁ ପ୍ରକୃତି ଓ ସଂସ୍କୃତି ଦୁଇଟି ବିଷୟ ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେବାକୁ ପଡ଼ିବ। ଅର୍ଥର ଅଭାବ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ କେବେ ବାଧକ ହେବ ନାହିଁ। ତେବେ ଆମେ କେବଳ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଉପରେ ଜୋର ନଦେଇ ଉତ୍କଳର ପ୍ରାକୃତିକ ସମ୍ପଦ ଓ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟର ପ୍ରସାର କଲେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରିବ।’’

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାରୋର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେକେ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ। ସେ କହିଥିଲେ ଯେ, ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ଭିତ୍ତିଭୂମିର ବିକାଶ ହେବା ଜରୁରୀ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ଷ୍ଟାର ଏବଂ ବିଭିନ୍ନ ବର୍ଗର ହୋଟେଲର ଆବଶ୍ୟକତା ରହିଛି।

ଏହି ଅବସରରେ ବର୍ତ୍ତମାନ ଭାରତରେ ହୋଟେଲ ଶିଳ୍ପ କ୍ଷେତ୍ରରେ ପ୍ରଚଳିତ ଜିଏସଟି ପ୍ରସଙ୍ଗ ଉଠାଇଥିଲେ ହାରୋ ଅଧ୍ୟକ୍ଷ। ସେ କହିଥିଲେ ଯେ, ଦିନକୁ ୭ହଜାର ୮୦୦ଟଙ୍କାର ରୁମ୍ ରେଣ୍ଟ ଥିବା ହୋଟେଲରେ ରହିବା ପାଇଁ ଗ୍ରାହକଙ୍କୁ ୨୮% ଜିଏସଟି ଦେବାକୁ ପଡ଼ୁଛି। ଏହାକୁ ୫ ପ୍ରତିଶତକୁ କମାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

ଉଦଘାଟନୀ ସମାରୋହ ପରେ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ୫ଟି ଅଧିବେଶନରେ ବିଭିନ୍ନ ବିଷୟରେ ମାନସମନ୍ଥନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ହୋଟେଲ ଓ ଟ୍ରାଭେଲ ଶିଳ୍ପ ସହ ସଂପୃକ୍ତ ଉଦ୍ୟୋଗୀ ଏବଂ ପେସାଦାର ଯୋଗ ଦେଇଥିଲେ। ତା’ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ , ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ, ପୁରୀକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ପୁରୀର ଏହି ନୂଆ ରୂପ ପାଇଁ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ଓଡ଼ିଶାର ଅନ୍ୟ ପର୍ଯ୍ୟଟନ ସମ୍ପଦର ବିନିଯୋଗ ଓ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଫାଇଭ୍-ଟିର ପ୍ରୟୋଗ କରାଯାଉଛି। ପୁରୀ, କୋଣାର୍କ ଏବଂ ଭୁବନେଶ୍ୱର ସହ ରାଜ୍ୟର ଅନ୍ୟ ପର୍ଯ୍ୟଟନ କ୍ଷେତ୍ରର କିଭଳି ବିକାଶ ହୋଇପାରିବ ସେଥିପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପର୍ଯ୍ୟଟନ, କ୍ରୀଡ଼ା ବିକାଶ ସଚିବ ବିଶାଳ ଦେବ।

ଏହି ଅବସରରେ ସେ କହିଥିଲେ ଯେ, ଚିଲିକା ହେଉଛି ଓଡ଼ିଶା ପର୍ଯ୍ୟଟନର ସୁନା ଖଣି। ଆଗାମୀ ଦିନରେ ଏହାର ଅଖପାଖରେ ହୋଟେଲ, ରିସର୍ଟ, ୱାଟର ସ୍ପୋର୍ଟସ ଏବଂ ଅନ୍ୟ ପର୍ଯ୍ୟଟନ ଭିତ୍ତିଭୂମି ତିଆରି ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ପର୍ଯ୍ୟଟନ ଅଂଶୀଦାରଙ୍କ ସହ ସରକାର କଥାବାର୍ତ୍ତା କରୁଛନ୍ତି।

ଆଗାମୀ ଦିନରେ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରରେ କେତେକ ଜାତୀୟ ହୋଟେଲ ଚେନ୍ ଷ୍ଟାର ହୋଟେଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ବିଭାଗ ହାଇସ ବୋଟ୍, କାରଭ୍ୟାନ ଟୁରିଜିମ୍ ଏବଂ ହେରିଟେଜ୍ ହୋଟେଲ୍  ଓ ହୋମ୍ ଷ୍ଟେ ଭଳି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି, ଯାହାକି ଭବିଷ୍ୟତରେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କୁ ନୂଆ ଅନୁଭବ ଦେଇପାରିବ ବୋଲି ବିଶାଳ ଦେବ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରୂପିନ୍ଦର ବ୍ରାର କହିଥିଲେ ଯେ, ଓଡ଼ିଶା ହେଉଛି ଭାରତ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ବିକାଶ ପାଇଁ କେନ୍ଦ୍ର ବିଭିନ୍ନ ପଦକ୍ଷେପ ନେଉଛି। ସେହିପରି ହୋଟେଲ ଶିଳ୍ପ ଉପରେ ଥିବା  ୨୮ ପ୍ରତିଶତ ଜିଏସ୍‌ଟି ସମ୍ପର୍କରେ ସେ କହିଥିଲେ ଯେ, ଏ ବାବଦରେ କେନ୍ଦ୍ର ସରକାର ସକାରତ୍ମକ ପଦକ୍ଷେପ ଗ୍ରହଣ କରିପାରନ୍ତି।

ଓଡ଼ିଶା ପର୍ଯ୍ୟଟନର ସମ୍ଭାବନାକୁ ନେଇ ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ ସେବା ସଚିବ ବିଶାଳ ଦେବ ବିଶେଷ ଉପସ୍ଥାପନା କରିଥିଲେ। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡକ୍ଟର ହରିଶଙ୍କର ଶର୍ମା ରାଜ୍ୟରେ ପରିବେଶ ପର୍ଯ୍ୟଟନର ବିଶାଳ ସମ୍ଭାବନା ସମ୍ପର୍କରେ ଉପସ୍ଥାପନ କରିଥିଲେ।

ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା ଏହି ଅଧିବେଶରେ ଯୋଗଦେଇ ଆମର ସ୍ୱତନ୍ତ୍ର କଳା (ହସ୍ତଶିଳ୍ପ, ହସ୍ତକଳା ଏବଂ ହସ୍ତତନ୍ତ ଇତ୍ୟାଦି) ପରମ୍ପରା କିଭଳି ଓଡ଼ିଶା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି ସେ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ରାଜ୍ୟ ଉନ୍ନୟନ କମିଶନର ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏଥିରେ ଯୋଗଦେଇ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ବିଭାଗ କିଳି ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ସେ ଦିଗରେ ଗୁରୁତ୍ୱ ଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା କନକ୍ଲେଭର ପ୍ରଥମ ପ୍ୟାନେଲ ଡିସକସନ। ଏହାର ବିଷୟବସ୍ତୁ ଥିଲା ‘ବ୍ରାଣ୍ଡିଂ ଓଡ଼ିଶା’। ଏହି ଆଲୋଚନାରେ ଘରୋଇ ଟୁର ଅପରେଟର ସଂଘ ଏଡିଟିଓଆଇର ସଭାପତି ପି ପି ଖନ୍ନା, ଗ୍ଲୋବାଲ ଆଡଭର୍ଟାଇଜମେଣ୍ଟ କନସଲଟାଣ୍ଟ ସଚିନ ଦାସ ବର୍ମା, ଭାରତୀୟ ଗଲ୍ଫ ଟୁରିଜିମ୍‌ ଆସୋସିଏସନର ସଭାପତି ରଞ୍ଜନ ସେହଗଲ ଉପସ୍ଥିତ ଥିଲେ। ଡକ୍ଟର କମଳେଶ ମିଶ୍ର ଏହି ଆଲୋଚନାକୁ ପରିଚାଳନା କରିଥିବା ବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଆଲୋଚନାରେ ଭାଗ ନେଇ ଓଡ଼ିଶାର ପର୍ଯ୍ୟଟନ ଆମ ସଂସ୍କତି ଉପରେ ଆଧାରିତ ହେବା ଦରକାର ବୋଲି ମତ ରଖିଥିଲେ।

ଉଦ୍‌ଯାପନୀ ସମାରୋହର ଅପରାହ୍‌ଣରେ ‘ହସ୍ପିଟାଲିଟି ଏବଂ ଟୁରିଜିମ୍‌’ ବିଷୟବସ୍ତୁକୁ ନେଇ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମେଡିକାଲ ଟୁରିଜିମ୍‌ର ଚିଦାତ୍ମିକା ଖଟୁଆ, ପୁରୀ ହୋଟେଲ ସଂଘର ସଭାପତି ଆର୍‌ କେ ପାତ୍ର, ସମ୍ବଲପୁର ହୋଟେଲ ଆସୋସିଏସନ ସଭାପତି ଯଶବିର ସିଂହ ହୁରା, ହାରୋ ସଦସ୍ୟ ସୌଭାଗ୍ୟ ମହାପାତ୍ର, ଗଞ୍ଜାମ ହୋଟେଲ ସଂଘର ସଭାପତି ୟୁ ଏସ୍‌ ପାଣିଗ୍ରାହୀ ଯୋଗ ଦେଇଥିଲେ।

‘ପର୍ଯ୍ୟଟନର ପ୍ରଚାର ପ୍ରସାର କ୍ଷେତ୍ରରେ ଡିଜିଟାଲ ମଡିଆର ଭୂମିକା’ ଶୀର୍ଷକରେ ଅନୁଷ୍ଠିତ ହୋଇଥିଲା ପ୍ୟାନେଲ ଡିସ୍‌କସନ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ। ଏହି ଆଲୋଚନାରେ କିଟ୍‌ ସ୍କୁଲ ମ୍ୟାନେଜେମେଣ୍ଟର ପ୍ରଫେସର ସୂର୍ଯ୍ୟ ମିଶ୍ର, ବୁକିଂ ଡଟ୍‌ କମ୍‌ର ମୁଖ୍ୟ ମହମ୍ମଦ ଅବ୍‌ଦୁଲ ଆହଦ, ଫୁଡ୍‌ଫାଇଣ୍ଡୋର ପ୍ରତିଷ୍ଠାତା ରୋହିତ ଶ୍ରୀବାସ୍ତବ, ବ୍ଲଗର ତାରୁକା ଶ୍ରୀବାସ୍ତବ ଭାଗ ନେଇଥିଲେ। ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାରରେ ଡିଜିଟାଲ ମଡିଆ କିଭଳି ସହାୟକ ହୋଇପାରିବ ସେନେଇ ଆଲୋଚନା କରାଯାଇଥିଲା।

‘ଓଡ଼ିଶା ଐତିହ୍ୟ, ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାକୁ ବିଶ୍ୱସ୍ତରରେ ପହଞ୍ଚାଇବା’ ବିଷୟକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଜାପାନ ନାଗରିକ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମାସାକୋ ଓନୋ, ପ୍ରିୟଦର୍ଶିନୀ ହ୍ୟାଣ୍ଡଲୁମ୍‌ସର ମୁଖ୍ୟ ରାଜଶେଖର ପରମାଣିକ, ଫେସନ ଡିଜାଇନର ରିମ୍‌ଲୀ ମହାନ୍ତି ଏବଂ ଇଣ୍ଡିଆ ଫୁଡ୍‌ ଟୁରର ସହ ପ୍ରତିଷ୍ଠାତା ସେଫ୍‌ ରାଜୀବ ଗୋଏଲ ଏଥିରେ ଭାଗ ନେଇଥିଲେ। ଏହାକୁ ପରିଚାଳନା କରିଥିଲେ ପିଏନ୍‌ଭି ଗ୍ରୁପ୍‌ର ନିର୍ଦ୍ଦେଶକ ସାନୁ ରଥ।

ଓଡ଼ିଶା ଟୁରିଜିମ୍‌ କନକ୍ଲେଭରେ ପଞ୍ଚମ ତଥା ଶେଷ ପ୍ୟାନେଲ ଡିସକସନର ବିଷୟବସ୍ତୁ ଥିଲା ‘କନେକ୍ଟିଙ୍ଗ୍‌ ଓଡ଼ିଶା ଗ୍ଲୋବାଲି’। ଏଥିରେ ବରିଷ୍ଠ ଟୁର୍‌ ଅପରେଟର ବେଞ୍ଜାମିନ୍‌ ସାଇମନ, ଏକ୍‌ତାର ଉପସଭାପତି ଦେବାଶିଷ ମିଶ୍ର, ପ୍ରମୁଖ ଟ୍ରାଭେଲ ଅପରେଟର ରାଜୀବ କୋହଲି ଏବଂ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍‌ ସି ହୋତା ଭାଗ ନେଇଥିଲେ। ଏହାକୁ ପରିଚାଳନା କରିଥିଲେ କ୍ରାଉନ୍‌ ହୋଟେଲ ତଥା ଡାଲ୍‌ମାର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ।

ଏ ତାଲୁକଦାର, ଜୋନାଥନ୍‌ ରାଉଳ, ମିଲିନ୍ଦ ଗୁପ୍ତା, ସୌଭାଗ୍ୟ ମହାପାତ୍ର, ସ୍ନେହାଶିଷ ପ୍ରମୁଖ ହାରୋ ପକ୍ଷରୁ ଆୟୋଜିତ ଏହି ବାର୍ଷିକ କାର୍ଯ୍ୟକ୍ରମର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହି ଦିନିକିଆ କାର୍ଯ୍ୟକ୍ରମର ସୋସିଆଲ ମିଡିଆରେ ସିଧାପ୍ରସାରଣ କରାଯାଇଥିଲା। ଓଡ଼ିଶା ଟୁରିଜିମ୍  କନକ୍ଲେଭ୍‌ର ଡିଜିଟାଲ ମିଡିଆ ପାର୍ଟନର ଥିବା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ର ଫେସବୁକ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।

Comment