ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଜାନୁଆରୀ ୨୫ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡ଼କୁ ପଶ୍ଚିମ ବାୟୁ ପ୍ରବାହ ରହିଛି। ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଫଳରେ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି। ତେଣୁ ବାୟୁ ପ୍ରଦୂଷଣ ହେବା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ସୃଷ୍ଟି ହେଉଛି ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଘନ କୁହୁଡ଼ି ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଘନ କୁହୁଡ଼ି ଯୋଗୁଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା­, ଭଦ୍ରକ, କଟକ ଏବଂ ଖୋର୍ଦ୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ସେହିପରି ଅନଗୁଳ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ଼ ଏବଂ ଯାଜପୁରରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ।

ଜାନୁଆରୀ ୨୪ ଓ ୨୫ ତାରିଖ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ିର ପ୍ରଭାବ ରହିବ। ସେହିପରି ଜାନୁଆରୀ ୨୫ ରାତିରୁ ୨୮ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି।

Comment