ଓଡ଼ିଶାଲାଇଭ୍ ବ୍ୟୁରୋ

୧୭ରୁ ରାଜ୍ୟରେ ବଢ଼ିବ ଶୀତ। ହେଲେ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ଉତ୍ତର ପଶ୍ଚିମ ଭାରତରେ ବର୍ଷା ଓ ତୁଷାରପାତ ଯୋଗୁଁ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ବୁଲେଟିନ୍‌ ଅନୁଯାୟୀ, ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବ। ୧୭ ତାରିଖ ପରଠୁ ଶୀତର ଲହରି ଲାଗି ରହିବ।

୧୭ ତାରିଖରେ ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ, କୋରାପୁଟର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଏହାସହ ରାଜ୍ୟରେ ଥଣ୍ଡା ପବନ ବହିବା ସହ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି। କିଛିଟା ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ କମିବ ବୋଲି କୁହାଯାଇଛି।

ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଯାତାୟାତ ବେଳେ ଚାଳକମାନେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି।

Comment