ସୌରବନ୍ଧୁ କର

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ।

ସକାଳ ୬ଟା ୩୦ ମିନିଟ୍। ମୋବାଇଲ୍ ଟେଲିଫୋନ୍‌ ରିଂ କଲା।

-ସାର୍। ନମସ୍କାର।

– କେଉଁଠି?

– ମର୍ଣ୍ଣିଂୱାକ୍‌ରୁ ଘରକୁ ଫେରିଛି।

– ଆସିବ ଏଆଡ଼େ?

ଏମିତି ପ୍ରତି ସପ୍ତାହରେ ତିନି ଚାରିଥର ଟେଲିଫୋନ୍‌ ଆସେ।

ମୁଁ ବାହାରେ ଥିଲେ ଭୁବନେଶ୍ୱରକୁ ଫେରିବା ପରେ ଯିବାକୁ କହେ। ଅତ୍ୟନ୍ତ ପକ୍ଷେ ସପ୍ତାହରେ ଥରେ, ଦୁଇଥର ସାକ୍ଷାତ ହୁଏ। ମର୍ଣ୍ଣିଂ ୱାକ୍‌ରୁ ତାଙ୍କ ଘର ରାସ୍ତାଦେଇ ଫେରିବା ସମୟରେ ଗେଟ୍‌ ପାଖରେ ଚାହେଁ। ବାହାରେ ବସିଛନ୍ତି କି ନାହିଁ। ଟେଲିଫୋନ୍ କରେ। ସେ ଆସନ୍ତି, ଗେଟ୍ ଚାବି ଖୋଲନ୍ତି, କୁକୁରକୁ ବାନ୍ଧି ଦେବା ପାଇଁ ପ୍ରବୀରକୁ କହନ୍ତି, ଆମେ ବାହାରେ ବସି ଗପକରୁ।

ଖବର କାଗଜବାଲା ଥାକେ କାଗଜ ପକାଇ ଦେଇଯାଏ।

ପ୍ରବୀର ଚା’ ଆଣି ଦିଏ।

ଏଇମିତି ଚାଲିଥିଲା ଦୀର୍ଘ ଦୁଇବର୍ଷ ଧରି।

ଦେହ ଖରାପ ହେବା ପରେ ସେ ପ୍ରାୟ ଘରେ ରହୁଥିଲେ। ଶରୀର କ୍ରମଶଃ କ୍ଷୀର୍ଣ୍ଣ ହୋଇ ଆସୁଥିଲା। କିନ୍ତୁ ମନର ବଳ ଥିଲା ଅତ୍ୟନ୍ତ ଦୃଢ଼।

ପ୍ରଥମେ ପ୍ରଥମେ ସେ ଭାବୁଥିଲେ ରୋଗମୁକ୍ତ ହେବେ କିନ୍ତୁ ପ୍ରାୟ ଦୁଇମାସ ତଳେ କହିଲେ, ‘ସୌରୀ’, ଡାକ୍ତର କହୁଛନ୍ତି ଆଉ ଭଲ ହେବିନି।”

ରୋଗ ତାଙ୍କୁ କଷ୍ଟ ଦେଉଥିଲା, କିନ୍ତୁ ଯନ୍ତ୍ରଣାର ଲେଶମାତ୍ର ଚିହ୍ନ ମୁଁ ତାଙ୍କ ଭିତରେ ଦେଖିବାକୁ ପାଉନଥିଲି। ଚିରନିଦ୍ରାରେ ଶୋଇ ଯିବାର କିଛିଦିନ ପୂର୍ବରୁ ଆମେ ସାଙ୍ଗ ହୋଇ ବାହାରେ ବସି ଗପିଥିଲୁ। ତାଙ୍କର ବହି ପ୍ରକାଶନ ସମ୍ପର୍କରେ କହିଲେ। ତା’ ଆଗଦିନ ଡାକ୍ତରଖାନାରୁ ଫେରିଥିଲେ। କହିଲେ, “ପେଟରେ ପାଣି ଜମିଯାଇଛି, ବାହାର ହୋଇ ପାରିବନାହିଁ।”

ତା’ ପରଦିନଠାରୁ ମୋ’ ଟେଲିଫୋନ୍‌ର ଉତ୍ତର ମିଳିଲା ନାହିଁ।

ଦିନକ ପରେ ତାଙ୍କର ବଡ଼ପୁଅ ବାବୁକୁ ପଚାରିଲି, “ଡ୍ୟାଡ୍! କିପରି ଅଛନ୍ତି? ଟେଲିଫୋନ୍ ଉଠାଉ ନାହାନ୍ତି।” ବାବୁ କହିଲା, ‘ଡ୍ୟାଡ୍! ସମ୍ପୂର୍ଣ୍ଣ ବିଛଣାରେ। ଉଠି ପାରୁ ନାହାନ୍ତି। କଥାବାର୍ତ୍ତା ମଧ୍ୟ ନାହିଁ।”

ସେଉଠୁ ଆରମ୍ଭ ହୋଇଗଲା ତାଙ୍କ ଯାତ୍ରାର ମହାନ ପର୍ବ।

ଏତେ ଶୀଘ୍ର ଏହା ଘଟିବ ବୋଲି ମୋର କଳ୍ପନାରେ ନଥିଲା।

୧୦ ତାରିଖ ସକାଳ ମର୍ଣ୍ଣିଂୱାକ୍‌ରୁ ଫେରିବା ବେଳେ ହଠାତ୍‌ ପ୍ରଫେସର ଗଣେଶ ପ୍ରସାଦ ଦାସ ମୋତେ ଟେଲିଫୋନ୍‌ କରି ପଚାରିଲେ, “ଗଣେଶ୍ୱର ବାବୁ ଚାଲିଗଲେ, ଏହା କ’ଣ ସତ୍ୟ। ଟି.ଭି. ନ୍ୟୁଜ୍‌ରେ ଦେଉଛି।’ ମୁଁ ହତଚକିତ ହୋଇଗଲି। ସିପୁର ମେସେଜ୍‌ ଆସିଲା, “ଡ୍ୟାଡ୍‌ ଚାଲିଗଲେ, ଆପୋଲୋ ହସ୍ପିଟାଲରେ।”

ମୁଁ ଚାଲିଲି ଆପୋଲୋ ହସ୍ପିଟାଲ୍‌କୁ!

ତାଙ୍କର ପାର୍ଥିବ ଶରୀର ତାଙ୍କ ପ୍ରିୟ ଗଜପତି ନଗର ବାସଭବନକୁ ଆସିଲା।

ଦୀର୍ଘ ୪୩ ବର୍ଷର ସମ୍ପର୍କ ମୋର ତାଙ୍କ ସହିତ।

ବାଣୀବିହାରର ଫ୍ଲାଟ କ୍ୱାର୍ଟରଠୁ ଆରମ୍ଭ ହୋଇ ଅନ୍ୟ ଦୁଇଟି ବଡ଼ କ୍ୱାର୍ଟରକୁ ଆସିବା ଓ ପରେ ଗଜପତି ନଗରରେ ଆସି ନିଜ ଘରେ ରହିବା ପର୍ଯ୍ୟନ୍ତ ମୋର ସମ୍ପର୍କର ଡୋରି ତାଙ୍କ ସହିତ ଏତେ ନିବିଡ଼ ହୋଇଯାଇଥିଲା ଯେ ତାହା ଭାଷାରେ ବର୍ଣ୍ଣନା କରାଯାଇ ପାରେନା।

ଏପରିକି ତାଙ୍କ ଜନ୍ମ ଦିନରେ ମୁଁ କେବଳ ମାତ୍ର ଅତିଥି ହୋଇ ସାଙ୍ଗ ହୋଇ ମହାପ୍ରସାଦ ସେବନ କରୁଥିଲୁ। ତାଙ୍କର ସମସ୍ତ ବହି ପ୍ରକାଶ ପାଇବା ମାତ୍ରେ ସେ ପ୍ରଥମେ ମୋତେ ଦେବାକୁ ଭୁଲୁ ନଥିଲେ ଏବଂ ରାମକୃଷ୍ଣ ମିସନ୍ ବିବେକାନନ୍ଦ ଲାଇବ୍ରେରୀ ପାଇଁ ଖଣ୍ଡିଏ ଦେଉଥିଲେ।

ଦିନେ କହିଲେ ବହିଗୁଡ଼ିକ ଏତେ ହୋଇଗଲାଣି ଯେ ତାକୁ ସାଇତି ରଖିବା କଷ୍ଟ। ମୁଁ କହିଲି ‘ମୁଁ ସ୍ଥିର କରିଛି ମୋର ସମସ୍ତ ବହି ରାମକୃଷ୍ଣ ବିବେକାନନ୍ଦ ଲାଇବ୍ରେରୀକୁ ଦେଇଦେବି। ଆପଣ ସେହିପରି କୌଣସି ଲାଇବ୍ରେରୀକୁ ଦେଇଦିଅନ୍ତୁ। ‘ହଁ, ତାହା ହିଁ ବୋଧହୁଏ ଠିକ୍‌ ହେବ।’

ବିଭିନ୍ନ ସମସ୍ୟା ସମ୍ପର୍କରେ ମୋର ମତ ନେବେ। ଥରେ ମୁଁ ତାଙ୍କୁ କହିଲି, ‘ସାର୍! ମୋ ଇଚ୍ଛା ଘରଦ୍ୱାର ଛାଡ଼ି ସନ୍ନ୍ୟାସ ନେଇ କୁଆଡେ ଯାଇ ରହିବି।’

ତା’ର ଉତ୍ତରରେ ସେ କହିଲେ, “ସୌର, ତୁମେ ପାରିବ। ମୁଁ କିନ୍ତୁ ପରିବାର ଛାଡ଼ି ଯାଇ ପାରିବି ନାହିଁ।’ ତାଙ୍କର ନିଜ ପିଲାମାନଙ୍କ ପ୍ରତି ଅଶେଷ ଶ୍ରଦ୍ଧା ଥିଲା। ବଡ଼ ମଝିଆ ପୁଅ ପାପୁ (ସିଦ୍ଧାର୍ଥ)ର ଅକାଳ ମୃତ୍ୟୁରେ ସେ ଭାଙ୍ଗି ପଡ଼ିନଥିଲେ। ଚୁପ୍‌ଚାପ୍‌ ବସି ନିରବରେ ଗଭୀର ଦୁଃଖକୁ ନିଜ ଭିତରେ ସମାହିତ କରିଥିଲେ। ସେ ଥିଲେ ଅତ୍ୟନ୍ତ ଦୃଢ଼ମନା।

କୌଣସି ଦୁଃଖରେ ଭାଙ୍ଗି ପଡ଼ିବାର କେବେ ମୁଁ ଦେଖିନି। ଜଣେ ନିଷ୍ଠାପର ସାହିତ୍ୟ ସାଧକ ଭାବରେ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସଦାସର୍ବଦା ଥିଲେ ଚିନ୍ତାଶୀଳ। ପ୍ରତ୍ୟେକ ସାହିତ୍ୟିକମାନଙ୍କର ସୃଷ୍ଟି ସମ୍ପର୍କରେ ଆମେ ଆଲୋଚନା କରୁ। କିନ୍ତୁ କାହାରି ପ୍ରତି ଅସୂୟାଭାବ ପୋଷଣ କରିବା କିମ୍ବା ମନ୍ତବ୍ୟ ଦେବା କେବେ ମୁଁ ତାଙ୍କଠାରୁ ଶୁଣିନି।

ତାଙ୍କର ଗଛ ଥିଲା ଭାରି ପ୍ରିୟ। କୁକୁରଟିଏ ରଖିବା ଓ ଗଛ ତଳେ ବସିବାରେ ସେ ପାଉଥିଲେ ଆନନ୍ଦ। ଶୀତଦିନେ ବାହାରେ ତାଉଆରେ ନିଆଁ ଜାଳି ବସିଥିବେ। ପୁରୁଣା କଥା, ଗାଁ ଗହଳର କଥା, ସାଧାରଣ ଲୋକମାନଙ୍କର ଜୀବନଜୀବିକାର କଥା ଆମେ ଚର୍ଚ୍ଚା କରୁ।

‘ସତୀର୍ଥ’ ପକ୍ଷରୁ ସେ କେତେକ ପୁସ୍ତକ ସମ୍ପାଦନା କରି ପ୍ରକାଶ କରିଥିଲେ। ପ୍ରଫେସର ଡକ୍ଟର କୃଷ୍ଣ ପ୍ରାସଦ ମିଶ୍ରଙ୍କ ତିରୋଧାନ ପରେ, ଆମେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ନାମରେ ଗୋଟିଏ ପୁସ୍ତକ ପ୍ରକାଶ କରିଥିଲୁ। ତାହା ଥିଲା ‘ସତୀର୍ଥ’ର ପ୍ରଥମ ପ୍ରକାଶ। କୃଷ୍ଣପ୍ରସାଦଙ୍କ ପ୍ରତି ତାଙ୍କର ଭକ୍ତି, ଶ୍ରଦ୍ଧା ଥିଲା ଅମାପ। ବିରାଜବାବୁ ଓ ମୁଁ କୃଷ୍ଣପ୍ରସାଦ ସ୍ମୃତି ପରିଷଦ ଗଠନ କରି ପ୍ରତ୍ୟେକ ବର୍ଷ ଫେବ୍ରୁଆରି ୧୩ ତାରିଖରେ ତାଙ୍କର ଶ୍ରାଦ୍ଧଦିବସ ପାଳନ କରୁ। ସେ ତା’ ପୂର୍ବରୁ ମୋତେ ପଚାରିବେ।

‘କାହାକୁ ଡାକୁଛ?’

କୃଷ୍ଣପ୍ରସାଦଙ୍କ ଚିଠିଗୁଡ଼ିକୁ ଏକାଠି କରି ପ୍ରକାଶ କରିଥିଲେ। ଚିଠି ଉପରେ ଥିଲା ତାଙ୍କର ଗୁରୁତ୍ୱ ବେଶି। ଅନେକ ଚିଠି ସେ ସାଇତି ରଖୁଥିଲେ। ଜଗନ୍ନାଥ ପ୍ରସାଦ ଦାସ (ଜେ.ପି ଦାସ)ଙ୍କର ଜଗନ୍ନାଥ ପ୍ରସାଦ; ବନ୍ଧୁତାର ଆସର ବହିଟିର ସଂକଳନ କରିଥିଲେ। ତା’ର ସୂଚନା ଲେଖାଟିକୁ ପ୍ରକାଶ କରିବା ପୂର୍ବରୁ ମୋତେ ଦେଖାଇଥିଲେ ଓ ପଚାରିଲେ, ‘କେମିତି ଲାଗୁଛି।’ ମୁଁ କହିଲି, ‘ଆପଣ ସଂକ୍ଷେପରେ ସବୁ କଥା କହିଦେଇଛନ୍ତି। ବେଶ୍ ଭଲ ହୋଇଛି।’ ଜେ.ପିଙ୍କ ପ୍ରତି ତାଙ୍କର ଥିଲା ଅଶେଷ ଶ୍ରଦ୍ଧା। ଜେପି ତାଙ୍କଠାରୁ ବୟସରେ ବଡ଼ କିନ୍ତୁ ସେ ପ୍ରତ୍ୟେକ ଦିନ ଟେଲିଫୋନ୍ କରନ୍ତି ଓ ଭୁବନେଶ୍ୱର ଆସିଲେ ଅତ୍ୟନ୍ତ ଘଣ୍ଟାଏ ତାଙ୍କ ସହିତ ବିତାନ୍ତି।

ତା’ଙ୍କ ସହିତ ଦୀର୍ଘ ୪୩ ବର୍ଷର ମଧୁର ଅନୁଭୂତିର ବର୍ଣ୍ଣନା କରିବା ମୋ ପାଇଁ ସୀମାହୀନ ଆକାଶରେ ବିଚରଣ କରିବା ପରି। କିଛି ଦିନ ତଳେ ତାଙ୍କର ସୃଜନ ସମଗ୍ରର ପ୍ରଥମ ପର୍ବ ପ୍ରକାଶ ପାଇଲା। ବହି ପ୍ରକାଶ ପୂର୍ବରୁ ସେ ମୋତେ ଦେଖାଇ ପଚାରିଲେ, ‘କେମିତି ଲାଗୁଛି?’ ମୁଁ କହିଲି, ‘ବେଶ୍ ଭଲ, କିନ୍ତୁ ଅତ୍ୟନ୍ତ ବ୍ୟୟସାପେକ୍ଷ।’ ମୋଟାମୋଟି ଖର୍ଚ୍ଚର ଆକଳନ କରିବାକୁ ମୋତେ କହିଲେ, ‘ସରୋଜ ଛାପୁଛି, ତାକୁ ତା’ର ଖର୍ଚ୍ଚ ତ ଦେବାକୁ ହେବ।’

ବହି ପ୍ରକାଶ ପାଇଲା। ମୋତେ ଗୋଟିଏ କପି ଦେଲେ। ସେଥିରେ ଲେଖିଲେ,

ଅନୁଜ

ସୌରୀ

-ଗଣେଶ୍ୱର ମିଶ୍ର, ୩-୬-୧୫

ବହିଟି ଦେଇ ସାରି କହିଲେ, “ଏହା ଉପରେ ଦୁଇପଦ ଲେଖିଦେବେ କୌଣସି କାଗଜକୁ ଦେଇଦେବା।’ ମୁଁ ‘ହଁ’ କଲି। ତା’ର କିଛିଦିନ ପରେ ବିବେକାନନ୍ଦ ଲାଇବ୍ରେରୀ ପାଇଁ ବହିଟିଏ ଦେଲେ। ମୁଁ ସେହି ବହିଟିକୁ ଲାଇବ୍ରେରୀରେ ଦେଇ ତାଙ୍କୁ ଦେଇଛି ବୋଲି କହିଲି। ଜୁନ୍‌ ମାସ ଶେଷାର୍ଦ୍ଧରେ ମୋର ଚଣ୍ଡିଗଡ଼ ଯିବା ସମୟରେ ବହିଟିକୁ ସାଙ୍ଗରେ ନେଇଗଲି, ଟ୍ରେନ୍‌ରେ ପଢ଼ିବା ପାଇଁ। ଆଗରୁ ପ୍ରାୟ ସବୁ ଉପନ୍ୟାସ ପଢ଼ି ସାରିଥିଲି। ପୁଣି ଥରେ ପଢ଼ିଲି, ସାମଗ୍ରିକ କୃତି ସମ୍ପର୍କରେ ଲେଖିବା ପାଇଁ।

ଫେରିବା ପରେ, ତାଙ୍କୁ ବହି ପଢ଼ିବା କଥା କହିଲି ଓ ଖୁବ୍‌ ଶୀଘ୍ର ଆଲୋଚନାଟିଏ ଲେଖି କରି ଦେବି ବୋଲି କହିବାକୁ ଭୁଲିଲି ନାହିଁ। କିନ୍ତୁ ତାହା ହେଲାନି। ସେ ଆମ ସମସ୍ତଙ୍କଠାରୁ ବିଦାୟ ନେଇ ଚାଲିଗଲେ। ଗଲାବେଳେ ମଧ୍ୟ ଅନୁଜକୁ କହିଲେ ନାହିଁ ମୁଁ ଖୁବ୍‌ ଶୀଘ୍ର ଚାଲିଯିବି।

ତାଙ୍କର ଗଜପତି ନଗର ବାସଭବନକୁ ପାର୍ଥିବ ଶରୀର ଯିବାବେଳେ ମୁଁ କେବଳ ଭାବୁଥିଲି, ଅନୁଜ ଏଇ ବାଟରେ ମର୍ଣ୍ଣିଂୱାକ୍‌ କରିବ, କିନ୍ତୁ ଗେଟ୍ ପାଖକୁ ଆସି ଆଉ ଉଣ୍ଡିବ ନାହିଁ, ଅଗ୍ରଜ ବସିଛନ୍ତି କି ନାହିଁ। ତଥାପି ହେ ଅଗ୍ରଜ; ତୁମେ ମୋର ନମସ୍ୟ। ତୁମ ଶ୍ରଦ୍ଧା, ତୁମ ସ୍ନେହ ମୋର ଚିରଦିନ ଅଭୁଲା ହୋଇ ରହିଥିବ।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment