ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସକାଳ ୯ଟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ଶାହ
  • ସ୍ୱତନ୍ତ୍ର ହେଲିକପ୍ଟରରେ ଯିବେ ସାଲେପୁର
  • ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ ଶାହ
  • କୁଳିଆଠାରେ ଦଳୀୟ କର୍ମୀଙ୍କୁ ଦେବେ ଉଦବୋଧନ

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମଙ୍ଗଳବାର ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ।

ସତ୍ୟଭାମାପୁରରୁ ପୁଣି ହେଲିକପ୍ଟର ଯୋଗେ ସାଲେପୁର କୁଳିଆରେ ପହଞ୍ଚି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେବେ।

ଏହି ସମାବେଶରେ ଶାହ ବୁଥ୍ ସ୍ତରୀୟ କର୍ମକର୍ତ୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ। ଏହି ସମ୍ମିଳନୀ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶାହ କୋଲକାତା ଗସ୍ତ କରିବେ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି।

ଅରୁଣ ସିଂହ କହିଛନ୍ତି, “ରାଜ୍ୟ ବିଜେପି ମିଶନ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି। ପୂର୍ବ ଭାରତର ବିକାଶ ତଥା ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଦେଇଛନ୍ତି।”

ଜାନୁଆରି ୧୮ ତାରିଖରେ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଅଚାନକ ଦେହ ଅସୁସ୍ଥ ହେବାରୁ ତାଙ୍କ ଗସ୍ତକୁ ବାତିଲ କରାଯାଇଥିଲା।

Comment